ମଧ୍ୟାହ୍ନ ଭୋଜନରେ ପୃଷ୍ଟିକର ଖାଦ୍ୟ ପାଲଟିଛି ପ୍ରହସନ, ପିଲା ଖାଉଛନ୍ତି ହଳଦି ପାଣି
ହାଟଡିହି, (ବିକାଶ ବିଶ୍ୱାଳ) :-ସରକାର ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟହ୍ନ ଭୋଜନରେ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରି କେଉଁଠି ଶିକ୍ଷକ ଓ ଆଉ କେଉଁଠି ଏସଏସଜି ଗ୍ରୁପ ମାନଙ୍କୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦେଲେ । ଏବେ ମଧ୍ୟାହ୍ନ ଭୋଜନରେ ପୃଷ୍ଟିକର ଖାଦ୍ୟ ସାତସପନ ହୋଇଯାଇଛି । ସରକାର ପ୍ରତି ସପ୍ତାହରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦୁଇଦିନ ଅଣ୍ଡା ଯୋଗାଇ ଦେଉଥିବାବେଳେ କେନ୍ଦୁଝର ଜିଲ୍ଲାରେ ଖଣିଜ ପାଣ୍ଠିରୁ ଆଉ ଚାରିିଦିନ ଅଣ୍ଡା ଦେବାକୁ ଅନୁଦାନ ଯୋଗାଇ ଦେଇଛନ୍ତି । କିନ୍ତୁ କିପରି ଚାଳିଛି ଏହି ମଧ୍ୟାହ୍ନ ଭୋଜନ ତାହା କେହି ଦେଖିବାକୁ ନାହିଁ । ପ୍ରଥମେ ପ୍ରଥମେ ବିଧାୟକ, ମନ୍ତ୍ରୀ ଓ ଅଫିସର ମାନେ ସ୍କୁଲ ସ୍କୁଲ ବୁଲି ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରି ଗଣମାଧ୍ୟମର ଶିରୋନାମା ପାଲଟିଥିଲେ । ମାତ୍ର କରୋନା ପାଇଁ ଦୁଇବର୍ଷ ପରେ ଏବେ ପୁଣି ଆରମ୍ଭ ହୋଇଛି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । କିନ୍ତୁ ଏବେ ଆଉ ମନ୍ତ୍ରୀ, କି ବିଧାୟକ କି ଅଫିସର ସ୍କୁଲ ଯିବା ଦେଖିବାକୁ ମିଳୁନି । ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୫ଟଙ୍କା ୪୨ପଇସା ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ୮ଟଙ୍କା ୧୦ପଇସା ସରକାର ଯୋଗାଇ ଦେଉଛନ୍ତି । କେନ୍ଦୁଝର ଜିଲ୍ଲାରେ ଡିଏମଏଫ ଫଣ୍ଡରୁ ଅଣ୍ଡା ପାଇଁ ୫ଟଙ୍କା ୧୫ପଇସା ଯୋଗାଇ ଦିଆଯାଉଛି । ଯାହାକି ଗତ ଦୁଇବର୍ଷ ପୁର୍ବରୁ ଦରଧାର୍ଯ୍ୟ ହୋଇଥିଲା । ଏବେ କରୋନା ପରେ ସମସ୍ତ ମଧ୍ୟାହ୍ନ ଭୋଜନ ସାମଗ୍ରୀର ଦରବୃଦ୍ଧି ଘଟିଥିଲେବି ସରକାର ଏ ବାବଦରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି । ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଗୋଟିଏ ଗୋଟିଏ ଅଣ୍ଡା ଦେବାକୁ ଥିବାବେଳେ ଏବେ ବଜାରରେ ଅଣ୍ଡା ଗୋଟି ୬ଟଙ୍କା ୪୦ପଇସା ପଡୁଥିବାବେଳେ ତାକୁ ପ୍ରସ୍ତୁତ କରିବାପାଇଁ ତେଲ ଓ ସେଥିରେ ପଡୁଥବବା ଆଳୁ ଓ ମସଲା କେଉଁଠୁ ଆସିବ । ସେହିପରି ଡାଲିର ଦର ସେତେବେଳେ ୬୮ଟଙ୍କାରୁ ୭୦ଟଙ୍କା ଥବବାବେଳେ ଏବେ ଶହେ ପାର । ତେଲଦର ସେତେବେଳେ ୧୦ଟଙ୍କା ଥିବାବେଳେ ଏବେ ୧୯୦, ସୋୟା ବଡି କିଲୋ ୧୩୦ଟଙ୍କା । ଗ୍ୟାସଦର ୭୦୦ଥିବାବେଳେ ଏବେ ୯୫୮ । ତେଣୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝୁଥିବା ଶିକ୍ଷକ ଶିକ୍ଷୟତ୍ରୀ କିମ୍ବା ଏସଏସଜି ଗ୍ରୁପ ଗୁଡିକ ମଧ୍ୟହ୍ନ ଭୋଜନ ବଣ୍ଟନରେ ବେହାଲ ହୋଇ ଗଲେଣି । ଏତେ ଦରଦେଇ ସାମଗ୍ରୀ ଆଣିବା ସମ୍ଭବପର ହେଉ ନଥିବାରୁ କେଉଁଠି ଡାଲି ଭଳି ଦେଖାଯାଉଥିବା ହଳଦି ପାଣିରେ କାମ ଚଳାଇ ଦେଉଛନ୍ତି । ଆଉ କିଛି ସ୍କୁଲରେ ନିୟମିତ ଅଣ୍ଡା ନଦେଇ ଦିନେ ଦୁଇଦିନ ଅଣ୍ଡା ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ଆଜି ଏନେଇ ତିନୋଟି ସ୍କୁଲ ବୁଲି ମଧ୍ୟାହ୍ନ ଭୋଜନର ମାନ ଦେଖିବାବେଳେ ଏହା କେଉଁପ୍ରକାର ପୃଷ୍ଟିକର ଖାଦ୍ୟ ବୋଲି ଜଣେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରେ ସେ କଣ ଆମେ ଘରୁ ଜମିବିକି ଆଣି ମଧ୍ୟାହ୍ନ ଭୋଜନ ଚଳାଇବୁ କି ବୋଲି ପ୍ରଶ୍ନ କରିଥିଲେ । ଦରଦାମ ଯେପରି ବୃଦ୍ଧି ଘଟିଛି ସରକାର କଣ ଜାଣି ନାହାନ୍ତି । ଗୋଟିଏ ପ୍ରଥମଶ୍ରେଣୀ ଛାତ୍ରକୁ ଅଣ୍ଡାଟିଏ ଦେବା ବେଳକୁ ଆମ ହାତରୁ ଦୁଇଟଙ୍କା ଯାଉଛି । ଜଣେ ଶିକ୍ଷକ କେଉଁଠୁ ଆଣି ଏହାକୁ ଭରଣା କରିବ ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ । ଏବେ ପ୍ରତି ସାମଗ୍ରୀର ଦର ଶତକଡା ୩୦ରୁ ୪୦ପରସେଣ୍ଟ ବୃଦ୍ଧି ପାଇଥିବାବେଳେ ଗ୍ୟାସ ଦର ଆକାଶ ଛୁଆଁ । ତେଣୁ ୫ଟଙ୍କା ୪୨ପଇସାରେ ପୃଷ୍ଟିକର ଖାଦ୍ୟ ତ ଦୁରେଥାଉ ଖାଲି ଛୁଆ ମାନଙ୍କୁ ଭାତ ଡାଲମା ଦେବା ଅସମ୍ଭବ ବୋଲି ପ୍ରଧାନ ଶିକ୍ଷକ ଜଣକ କହିଛନ୍ତି । ଯେଉଁଠି ଶହେରୁ ଉର୍ଦ୍ଧ ଛାତ୍ରଛାତ୍ରୀ ରହୁଛନ୍ତି ସେଠି ଖାଦ୍ୟର ମାନ ଟିକେ ଭଲ ରହିଥିବାବେଳେ ଯେଉଁଠି ୨୦/୩୦ ଜଣ ଛାତ୍ରଛାତ୍ରୀ ଅଛନ୍ତି ସେଠାରେ ଏତିକି ପଇସାରେ କିପରି ମଧ୍ୟାହ୍ନ ଭୋଜନ ଦିଆଯାଉଥିବ ତାହା ସହଜରେ ଅନୁମେୟ । ଏଣୁ ରାଜ୍ୟ ସରକାର ତୁରନ୍ତ ମଧ୍ୟାହ୍ନ ଭୋଜନ ପାଇଁ ଅନୁଦାନ ବୃଦ୍ଧି କରନ୍ତୁ ନଚେତ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ବନ୍ଦ କରନ୍ତୁ ବୋଲି ଅନେକ ଅଭିଭାବକ ମତ ଦେଇଛନ୍ତି ।


