ନିଖିଳ ଓଡ଼ିଶା ମାଝୀ ପାର୍ଗାନା ମହଲ ପକ୍ଷରୁ ବିକ୍ଷୋଭ ସମାବେଶ
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଭିନ୍ନ ଦାବି ନେଇ ଆଦିବାସୀ ସଙ୍ଗଠନ ‘ନିଖିଳ ଓଡ଼ିଶା ମାଝୀ ପାର୍ଗାନା ମହଲ’ ବାଲେଶ୍ୱର ଜିଲା ଶାଖା ପକ୍ଷର ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଜିଲାର ବିଭିନ୍ନ ଅଞ୍ଚଳରୁ ଆଦିବାସୀ ସମ୍ପ୍ରଦାୟର ଲୋକେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ସଂଗଠନର କର୍ମକର୍ତ୍ତାମାନେ ଆଦିବାସୀ ସମାଜ ପ୍ରତି ସରକାରୀ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ସ୍ୱାଧୀନତା ଆନ୍ଦୋଳନରେ ବ୍ରିଟିଶ୍ ସରକାର ବିରୋଧରେ ଲଢ଼େଇ ଜାରି ରଖି ଗୋଟିଏ ମା’ର ୬ ସନ୍ତାନ ଶହୀଦ ହେବା ସହ ଭାରତ ଇତିହାସରେ ଇତିହାସ ସୃଷ୍ଟି କରିଥିବା ସିଦ୍ଧୁ କାହ୍ନୁ ହୁଲଙ୍କ ୧୬୮ତମ ଶହୀଦ ଦିବସକୁ ବକ୍ତାମାନେ ସ୍ମରଣ କରିବା ସହ ସ୍ୱାଧୀନତାର ୭୫ବର୍ଷ ପରେ ବି ଆଦିବାସୀମାନେ ଅବହେଳିତ ହୋଇ ରହିବା ବାସ୍ତବିକ ଦୁଃଖ ଓ ପରିତାପର ବିଷୟ ବୋଲି ଆଦିବାସୀ ନେତାମାନେ କହିଥିଲେ । ସାନ୍ତାଳୀ ଭାଷାକୁ ସଂଖ୍ୟାଲଘୁ ଭାବେ ମାନ୍ୟତା ପ୍ରଦାନ, ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସାନ୍ତାଳୀ ଭାଷା ଶିକ୍ଷାର ପ୍ରଚଳନ, ସାନ୍ତାଳୀ ଶିକ୍ଷାକୁ ପରିଚାଳନା ଓ ତ୍ୱରାନ୍ୱିତ କରିବା ପାଇଁ ସାନ୍ତାଳୀ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବୋର୍ଡ଼ ଗଠନ, ଅଲିଚିକି ଭାଷା ଶିକ୍ଷା ପ୍ରଦାନ ପାଇଁ ନିଯୁକ୍ତ ଶିକ୍ଷା ସହାୟକଙ୍କ ସ୍ଥାୟୀ ନିଯୁକ୍ତି ପ୍ରଦାନ, ରାଜ୍ୟ ସରକାରଙ୍କ ନିଷ୍ପତ୍ତ ଅନୁସାରେ ଅଙ୍ଗନବାଡି କେନ୍ଦ୍ରରେ ଆଦିବାସୀ ପିଲାଙ୍କୁ ସାନ୍ତାଳୀ ଭାଷାରେ ପ୍ରାକ ପ୍ରାଥମିକ ଶିକ୍ଷା ପ୍ରଦାନ, ଓଡିଶାରେ ସାନ୍ତାଳୀ ଭାଷା ଏକାଡେମୀ ପ୍ରତିଷ୍ଠା, ନିର୍ମାଣଧୀନ କେନ୍ଦୁଝର ମେଡ଼ିକାଲ କଲେଜକୁ ବୀର ଶହୀଦ ସିଦ୍ଧୁ କାହ୍ନୁ ମେଡ଼ିକାଲ କଲେଜ ନାମରେ ନାମିତ ପ୍ରଭୃତି ଦାବିକୁ ବକ୍ତାମାନେ ଉପସ୍ଥାପନ କରିଥିଲେ । ସରକାର ଏ ଦିଗରେ ଉଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଆନ୍ଦୋଳନ ତୀବ୍ର ହେବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସ୍ମାରକପତ୍ର୍ର ପ୍ରଦାନ ବେଳେ ଓଡ଼ିଶା ମାଝୀ ପାର୍ଗାନା ମହଲର ଜିଲା ସଭାପତି ବୁଦ୍ଧିରାମ ମାଝୀଙ୍କ ସମେତ ବିଜୟ କୁମାର ମୁର୍ମୁ, ଈଶ୍ୱର ହାଁସଦା, ଲୁତିକା ହାଁସଦା, ସୋମନାଥ ଟୁଡୁ,କିଶୋର ହାଁସଦା, ଫୁତୁରାମ ମାଝୀ, ପାଦୁମ ହାଁସଦା, ନାରାୟଣ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।