ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-କରୋନା କଟକଣା ଯୋଗୁ ଦୀର୍ଘ ୨ବର୍ଷ ପରେ ନାଉଗାଁ ବ୍ଳକରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ବ୍ଳକର ବିଭିନ୍ନ ଜଗନ୍ନାଥ ମନ୍ଦିର ଯଥା ଧର୍ମକ୍ଷେତ୍ର ଅଲଣା, ତିହୁଡା ବାଲିସାହିସ୍ଥିତ ଶ୍ରୀ ଶ୍ରୀ ପତିତପାବନ ଜୀଉ ମନ୍ଦିର, ଚାନ୍ଦଖାଁପାଟଣାସ୍ଥିତ ବଳଦେବଜୀଉ ମନ୍ଦିର ଆଦି ରେ ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ଯଥା ରୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଗାରୋଇର ଗୋବର୍ଦ୍ଧନ ପୀଠରେ ରୀତିନିତି ଅନୁଯାୟୀ ରଥ ଟଣା କାର୍ଯ୍ୟ ହୋଇଥିଲା । ଗୋବର୍ଦ୍ଧନ ପୀଠରେ ୩ ରଥ ପ୍ରାତଃ ସମୟରୁ ସୁସଜ୍ଜିତ ହୋଇ ବଡ ଦାଣ୍ଡରେ ରହିଥିଲେ । ନିର୍ଘଂଟ ନିତି ଅନୁଯାୟୀ ଶ୍ରୀ ଜୀୟୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ଶଙ୍ଖ,ହୁଳହୁଳି,ନାମ ସଂକୀର୍ତନରେ ପ୍ରଥମେ ବଡ ଭାଇ ବଳଭଦ୍ରଙ୍କୁ ତାଳଧ୍ୱଜ, ମା ସୁଭଦ୍ରାଙ୍କୁ ଦର୍ପଦଳନ ଓ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥକୁ ପହଣ୍ଡି କରି ଶ୍ରଦ୍ଧାଳୁମାନେ ରଥାରୁଢ କରିଥିଲେ । ଠାକୁର ରାଜା ଭାବେ ଜ୍ଞାନରଂଜନ ବିଶ୍ୱାଳ ୩ ରଥରେ ଛେରା ପହଁରା କରିଥିଲେ । ପୂଜାର୍ଚ୍ଚନା ଓ ଛେରା ପହଁରା କାର୍ଯ୍ୟ ସରିବାପରେ ଶ୍ରଦ୍ଧାଳୁମାନେ ରଥକୁ ତେଲସରାସ୍ଥିତ ମାଉସୀ ମା’ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ଏଠାରେ ସାଧାରଣତଃ ମା ସୁଭଦ୍ରାଙ୍କ ରଥକୁ ମହିଳା ମାନେ ହିଁ ଟାଣିଥିଲେ । ରଥ ଯାତ୍ରା କୁ ଶାନ୍ତି ଶୃଙ୍ଖଳା ସହିତ ଶେଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିଲା । ଜୟ ଜଗନ୍ନାଥ ଧ୍ୱନୀରେ ଚାରିଆଡ ପ୍ରକମ୍ପିତ ହେଉଥିଲା । ଏହି ଘୋଷଯାତ୍ରା ଦେଖିବା ପାଇଁ ବ୍ଳକ ତଥା ବ୍ଳକ ବାହାରୁ ବହୁ ଶ୍ରଦ୍ଧାଳୁ ଏଠାରେ ସମାଗମ ହୋଇଥିଲେ । ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଚାଇନା ପ୍ରଧାନ ଓ ଶିକ୍ଷକ ରବିନ୍ଦ୍ର ସ୍ୱାଇଁ ଧାରା ବିବରଣୀ ପ୍ରଦାନ କରିଥିଲେ । ଗ୍ରାମବାସୀ ଓ ଜଗନ୍ନାଥ ସଂସଦର କର୍ମକର୍ତାମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମାଉସୀ ମା ଘରେ ହଂଚିବା ପରେ ପ୍ରତ୍ୟେହ ସଂଧ୍ୟାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ବୋଲି ଜଗନ୍ନାଥ ସଂସଦର ସଦସ୍ୟଙ୍କ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି ।