ମରଣଯନ୍ତା ପାଲଟିଛି ୩ନଂ ହାଇଲେବୁଲ କେନାଲ ବନ୍ଧ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୩ନଂ ହାଇଲେବୁଲ କେନାଲ ବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଆଖୁଆପଦା ବୈତରଣୀ ନଦୀ ଆନିକଟ ଠାରୁ କେନାଲ ବନ୍ଧ ରାସ୍ତା ଆରମ୍ଭ ହୋଇଥିବା ବେଳେ ଏହା ଭଦ୍ରକ ଡିଆରଡିଏ କାର୍ଯ୍ୟାଳୟ ନିକଟ ଡଗମୁଣ୍ଡ ଠାରେ ଶେଷ ହୋଇଛି । କେନାଲ ରାସ୍ତାଟି ଉପରେ ବ୍ଲକର ବାଲିପୋଖରୀ, ରଣଜିତ, ବୟାବନାପୁର, ନପଙ୍ଗ, ଦକ୍ଷିଣବାଡ଼, ନଗୁଆଁ, ବିଷ୍ଣୁପୁର ପ୍ରମୁଖ ପଞ୍ଚାୟତର ଶହ ଶହ ଜନସାଧାରଣ ଦୈନନ୍ଦିନ ଯାତାୟତ ପାଇଁ ନିର୍ଭର କରିଥାନ୍ତି । ଏହାଛଡା ଭଦ୍ରକ ଓ ବନ୍ତ ବ୍ଲକର ଅଧିବାସୀ ମାନେ ମଧ୍ୟ କେନାଲର ଅର୍ଦ୍ଧାଧିକ ଅଂଶରେ ଯାତାୟତ କରନ୍ତି। ଏହାର ଦୈର୍ଘ୍ୟ ପ୍ରାୟ ୨୦କିମିରୁ ଅଧିକ ରହିଥିବା ବେଳେ ପୂର୍ବେ ମୋରମ, ମାଟି ମିଶା ରାସ୍ତାରେ ପରିଗଣିତ ଥିଲା । ଜଳସମ୍ପଦ ବିଭାଗ ପକ୍ଷରୁ ୨୦୧୪/୧୫ ମସିହାରେ କେନାଲ ବନ୍ଧ ରାସ୍ତା ନବୀକରଣ ପାଇଁ ଦୁଇ ପର୍ଯ୍ୟାୟରେ ପ୍ରାୟ୧୨କୋଟି ଟଙ୍କା ବ୍ୟୟ ହୋଇଥିଲା । ଯାଜପୁର ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କ ଖାମଖିଆଲି ତଦାରଖ ନୀତି ଯୋଗୁ ଦୁଇ ଗୋଟି ଠିକା ସଂସ୍ଥା ମନମୁଖୀ ଭାବେ କାର୍ଯ୍ୟ କରିଥିବା ନେଇ ସେ ସମୟରେ ଅଭିଯୋଗ ହୋଇଥିଲା। ପ୍ରାୟ ଦୁଇ ବର୍ଷରେ କାମ ଶେଷ ହୋଇଥିବା ବେଳେ ଅନୁଦାନ ବାବଦୀୟ ନାବାର୍ଡ ଅର୍ଥ ଧରି ଠିକାସଂସ୍ଥା ଛୁ ମାରିଥିଲା । ବର୍ଷେ ଦୁଇ ବର୍ଷ ଯାଇଛିକି ନାହିଁ କେନାଲ ରାସ୍ତା ଦୟନୀୟ ଅବସ୍ଥା ହୋଇଯାଇଥିଲା । ନିମ୍ନମାନର କାର୍ଯ୍ୟ ଯୋଗୁ ପ୍ରଥମେ ଅମରଗଡ଼ିଆ ବେତଡା ଠାରୁ ନଗୁଆଁ ଯାଏଁ ପିଚ ଉଠିବା ଆରମ୍ଭ କରିଥିବା ବେଳେ ଦକ୍ଷିଣବାଡ଼ ତୋରତ ଠାରେ ମଧ୍ୟ ସମାନ ଅବସ୍ଥା ଦେଖାଦେଇଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ପର୍ବତୀ ଠାରୁ କେନାଲ ଶେଷମୁଣ୍ଡ ଯାଏଁ ରାସ୍ତାର ଅବସ୍ଥା ଦୟନୀୟ ହୋଇପଡିଛି। ଏବେ ରଣଜିତ ସୀମା ଠାରୁ ଆଖୁଆପଦା ଯାଏଁ ବନ୍ଧରାସ୍ତାର ଅନେକ ସ୍ଥାନ ଦୁଇ ଫାଳ ହୋଇଯାଇଥିବା ବେଳେ ପଡିଥିବା ପିଚ ମଧ୍ୟ ନଷ୍ଟ ହେବାକୁ ବସିଲାଣି। ଏଥିଯୋଗୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବା ଅଭିଯୋଗ ହେଉଛି । କାମ ହେବା ଦିନ ଠାରୁ ରାସ୍ତା ରକ୍ଷଣାବେକ୍ଷଣ ବାବଦରେ ଯନ୍ତ୍ରୀ ମାନେ ଦୃଷ୍ଟି ଦେଉନଥିବା ବେଳେ ଜନସାଧାରଣ ଏବେ ଯାତାୟତ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଯାଜପୁର ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ ଅସ୍ଥିର ଭିତ୍ତିରେ ଗତି କରୁଥିବା ବେଳେ ସେଠାରେ କୌଣସି ନିୟମିତ ଅଧିକାରୀ ନଥିବାରୁ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କୁହାଯାଉଛି । ତେଣୁ ଭଦ୍ରକ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଲେ ଲୋକମାନଙ୍କର ଯାତାୟତ ସମସ୍ୟା ଦୂର ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି ।


