ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘର କର୍ତ୍ତୃପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ବାଲେଶ୍ୱର, (ସରୋଜ ପଣ୍ଡା) :-ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘର ଜିଲ୍ଲା କମିଟି ପକ୍ଷରୁ ଗତ ମଇମାସ ୫ ତାରିଖ ଦିନ ଜିଲ୍ଲା ପ୍ରଶାସନଙ୍କୁ ଦିଆଯାଇଥିବା ୧୧ଦଫା ଦାବିପତ୍ର ଉପରେ ବୁଧବାର ଦିନ ପୂର୍ବାହ୍ନରେ ଡିଏସଡବ୍ଲୁଓଙ୍କ କାର୍ଯ୍ୟାଳୟରେ ଆଇସିଡିଏସ୍ ପକ୍ଷରୁ ସିଡିପିଓ ସବିତା ରାଉତ, ସୁଜାତା ପଟ୍ଟନାୟକ ଓ ସାଗରିକା ଦତ୍ତଙ୍କ ସମେତ ପ୍ରୋଗ୍ରାମ ଅଫିସର ଦ୍ରୌପଦୀ ମାରାଣ୍ଡି ସଂଘର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ବାହାନଗା ସିଡ଼ିପିଓଙ୍କର ସରକାରଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ବେଆଇନ କାର୍ଯ୍ୟଗୁଡ଼ିକ ସଂପର୍କରେ ସଂଘର ପ୍ରତିନିଧିମାନେ ଦୃଷ୍ଟାନ୍ତ ସହ ଉପସ୍ଥାପନ କରି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଅନଲାଇନ୍ ପ୍ରକ୍ରିୟାରେ ଅଙ୍ଗନୱାଡ଼ିକର୍ମୀ ଓ ସହାୟିକାମାନଙ୍କୁ ମାସିକ ଭତ୍ତା ପ୍ରଦାନରେ ଥିବା ତ୍ରୁଟିଗୁଡ଼ିକର ସଂଶୋଧନ କରିବା, ବାକିଆ ଗସ୍ତ ଖର୍ଚ୍ଚ ଓ ଭତ୍ତା ପ୍ରଦାନ କରିବା, ଶିଶୁମାନଙ୍କ ପାଇଁ ଗରମ ରନ୍ଧା ଖାଦ୍ୟରେ ବ୍ୟବହୃତ ସାମଗ୍ରୀ ଓ ଅଣ୍ଡାର ବର୍ତ୍ତମାନ ବଜାର ଦର ଧାର୍ଯ୍ୟ କରିବା, କର୍ମୀମାନଙ୍କୁ ଦିଆଯାଇଥିବା ନିମ୍ନମାନର ମୋବାଇଲ ଫୋନ୍‌ଗୁଡ଼ିକ ପରିବର୍ତ୍ତନ କରିବା, ପ୍ରସୂତିକାଳୀନ ଛୁଟିରେ ଥିବା କର୍ମୀ ଓ ସହାୟିକାଙ୍କୁ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମାସିକ ପ୍ରାପ୍ୟ ପ୍ରଦାନ କରିବା, ଗୋଟିଏ ସ୍ଥାନରେ ଥାଇ ତିନିବର୍ଷରୁ ଊର୍ଦ୍ଧ୍ୱ ସମୟ କାର୍ଯ୍ୟ କରିଥିବା ସୁପରଭାଇଜରମାନଙ୍କୁ ଅନ୍ୟତ୍ର ବଦଳି କରିବା, ଜିଲ୍ଲାର ସମସ୍ତ ପ୍ରୋଜେକ୍ଟରେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଏକପ୍ରକାର କାର୍ଯ୍ୟକାରୀ କରିବା, ଅଧିକ କାମକୁ ଅଧିକ ଅର୍ଥ ପ୍ରଦାନ କରିବା ପ୍ରଭୃତି ଦାବି ଉପରେ ବିଶଦ ଓ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଦାବି ମଧ୍ୟରୁ କେତେକ ଦାବି ଇତିମଧ୍ୟରେ ପୂରଣ ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସଂପର୍କରେ ଆଲୋଚନାରେ ଯୋଗ ଦେଇଥିବା ଅଧିକାରୀମାନେ ଜଣାଇଥିଲେ । ଚଳିତ ମାସ ୨୦ ତାରିଖ ମଧ୍ୟରେ ଡିଏସ୍‌ଡବ୍ଲୁଓ ଙ୍କ ସମେତ ସମସ୍ତ ପ୍ରୋଜେକ୍ଟର ସିଡିପିଓ ଓ ସଂଘର ପ୍ରତିନିଧିମାନଙ୍କ ସହ ପୁନଶ୍ଚ ଏକ ଆଲୋଚନାରେ ଅମୀମାଂସିତ ଦାବିଗୁଡ଼ିକ ଉପରେ ଆଲୋଚନା ହୋଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତିଗ୍ରହଣ କରାଯାଇଛି । ଯଦି ଆଇନଗତ ଦାବିଗୁଡ଼ିକ ସଂପର୍କରେ କର୍ତ୍ତୃପକ୍ଷ ଆଗାମୀ ଆଲୋଚନାରେ ସଠିକ୍ କାର୍ଯ୍ୟପନ୍ଥା ଗ୍ରହଣ ନକରନ୍ତି ତେବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ସଂଘ ପକ୍ଷରୁ ଜିଲ୍ଲାବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଏହି ବୈଠକରେ ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏ ଆଇଟିୟୁସିର ରାଜ୍ୟ ଉପସଭାପତି ତଥା ସଂଘର ଜିଲ୍ଲା ସଭାପତି ଗୌରାଙ୍ଗ ପାଣିଗ୍ରାହୀ, ଜିଲ୍ଲା ସଂପାଦିକା ଗୌରୀ ଦାସ, ସହସଂପାଦିକା ଆରତୀ ଦାସ ମହାପାତ୍ରଙ୍କ ସମେତ ବିଭିନ୍ନ ବ୍ଲକ୍ ଓ ପ୍ରୋଜେକ୍ଟରୁ ରେଣୁବାଳା ପାତ୍ର, ଗୀତାରାଣୀ ପଣ୍ଡା, ନିର୍ମଳା ପାଣିଗ୍ରାହୀ, ରାଧାରାଣୀ ପଣ୍ଡା, ରେବତୀ ରଥ, ତାପସୀ ଅଗସ୍ତି, ବାସନ୍ତି ପଣ୍ଡା, ରମାମଣି ବେହେରା, କଳ୍ପନା ଦାସ, ଜମ୍ବୁବତୀ ମହାନ୍ତି, ଅନୁସୂୟା ଦଳାଇ, ରିଙ୍କି ମଜୁମଦାର, ସୁକାନ୍ତି ବିଶ୍ୱାଳ ଓ ନମିତା ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ