ଆନ୍ଦୋଳନକୁ ଓହ୍ଲାଇବ ଛାତ୍ର କଂଗ୍ରେସ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରର ଅନ୍ୟତମ ଘରୋଇ ନର୍ସିଂ କଲେଜରେ ସୋର ଅଞ୍ଚଳର ଛାତ୍ରୀ ଲିପ୍ସା ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୁଲିସର ସ୍ଥାଣୁତାକୁ ନେଇ ମୁହଁ ଖୋଲିଛି ବାଲେଶ୍ୱର ଜିଲା ଛାତ୍ର କଂଗ୍ରେସ । ଛାତ୍ରୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ତଥା ତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ନମିଳିଲେ ଛାତ୍ର କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲା ସଭାପତି ଗୌତମ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ଜିଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ ଓ ଲିପସାଙ୍କ ସମ୍ପର୍କୀୟମାନେ ଯୋଗଦେଇ ସନ୍ଦେହ ଜନକ ମୃତ୍ୟୁର ପୃଷ୍ଠଭୂମି ସମ୍ପର୍କରେ ସୂଚନା ଦେଇଥିଲେ । ଗତ ୩ ତାରିଖ ସଂଧ୍ୟାରେ ନର୍ସିଂ କଲେଜ ହଷ୍ଟେଲରୁ ଲିପ୍ସା ତାଙ୍କ ପିତା ଗଙ୍ଗାଧର ବେହେରା ଓ ମାତା ଗାୟତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ । ମାତ୍ର ୯ଟାରେ ଲିପ୍ସାଙ୍କ ଅବସ୍ଥା ଗୁରୁତର ଥିବା କଲେଜ କର୍ତ୍ତୃପକ୍ଷ ଫୋନ ଯୋଗେ ପରିବାର ଲୋକଙ୍କୁ ସୂଚନା ଦେଇଥିବା ସେମାନେ କହିଛନ୍ତି । ତେବେ ପରିବାର ଲୋକେ ନର୍ସିଂ କଲେଜରେ ପହଞ୍ଚିଥିବା ବେଳେ ହଷ୍ଟେଲ ରୁମକୁ ସେମାନଙ୍କୁ ଛାଡ଼ି ନଥିଲେ କିମ୍ବା ଲିପ୍ସାଙ୍କ ରୁମମେଟଙ୍କ ସହ କଥା ହେବାକୁ ବି କର୍ତ୍ତୃପକ୍ଷ ସେମାନଙ୍କୁ ସୁଯୋଗ ଦେଇନଥିଲେ । ଲିପ୍ସା ରହୁଥିବା ହଷ୍ଟେଲ ରୁମରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଓ ତାଙ୍କର ଅବସ୍ଥା ଗୁରୁତର ଥିବା କାରଣରୁ ତାଙ୍କୁ ଅଶ୍ୱିନୀ ହସପିଟାଲକୁ ସ୍ଥାନାନ୍ତର କରାଯାଉଥିବା କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ସୂଚନା ଦେବା । ଗତ ୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ୩ ତାରିଖ ସଂଧ୍ୟାରେ ପିତାମାତାଙ୍କ ସହ ଫୋନରେ କଥା ହେଉଥିବା ବେଳେ ଆଦୌ ମାନସିକ ଚାପରେ ନଥିବା ସେମାନେ ଆରୋପ ଉଠାଇଛନ୍ତି । ଏନେଇ ଲିପ୍ସାଙ୍କ ମାଆ ଡିହ ସବିରା ଓ ଦାଣ୍ଡ ପଳସା ଗ୍ରାମର ଦୁଇ ଯୁବକଙ୍କ ବିରୋଧରେ ସଦର ଥାନାରେ ଏତଲା ହୋଇଥିବା ବେଳେ ପୁଲିସ ସେମାନଙ୍କ ବିିରୋଧରେ କାହିଁକି କାର୍ଯ୍ୟାନୁଷ୍ଠା ଗ୍ରହଣ କରୁ ନାହିଁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠିଥିଲା । ଅନ୍ୟପକ୍ଷରେ ଲିପ୍ସାଙ୍କ ରୁମମେଟ କିମ୍ବା ୱାର୍ଡ଼େନଙ୍କୁ ପଚରାଉଚୁରା ବି କରୁନଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ମୃତ୍ୟୁ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରା ନଗଲେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ଆନ୍ଦୋଳନମୁଖୀ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଛାତ୍ର କଂଗ୍ରେସ ସମ୍ପାଦକ ଶେଖ ରେହେମତଉଲ୍ଲା, ଜୀବନ ମହାପାତ୍ର, ଲିପ୍ସାଙ୍କ ମାମୁଁ ଅଜୟ ରାଉତ, ସୌରଭ ବେହେରା, ରଣଜିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ