ଛାତ୍ରଛାତ୍ରୀଙ୍କ ଅର୍ଥ ହଡପ ଅଭିଯୋଗ : ସମର୍ଥ ଆବାସିକ ସ୍ୱତନ୍ତ୍ର ବିଦ୍ୟାଳରରେ ଭିଜିଲାନ୍ସ ଟିମ୍ ର ଚଢାଉ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁରରେ ଥିବା ସମର୍ଥ ଆବାସିକ ସ୍ୱତନ୍ତ୍ର ବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟାଳୟ ଉପରେ ବୁଧବାର ଭିଜିଲାନ୍ସ ଟିମ ଚଢଉ କରି ତନାଘନା ଆରମ୍ଭ କରିଛନ୍ତି । ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଇନିସପେକ୍ଟର ବୈଦେହୀ ବେହେରାଙ୍କ ନେତୃତ୍ୱରେ ୫ଜଣିଆ ଭିଜିଲାନ୍ସ ଟିମ୍ ସ୍ଥାନୀୟ ବ୍ଲକ କଲୋନୀ ସ୍ଥିତ ଥିବା ସମର୍ଥ ବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟାଳୟ ପରିସରରେ ଏହି ଟିମ୍ ଚଢଉ ଜାରି ରଖିଛନ୍ତି । ବିଦ୍ୟାଳୟର ସମ୍ପାଦକ କେ.ଆନନ୍ଦ ରାଓଙ୍କ ବିଭିନ୍ନ ବିଷୟରେ ପଚରା ଉଚରା କରିବା ସହିତ ବିଭିନ୍ନ ନଥି ପତ୍ର ଗୁଡିକ ଯାଞ୍ଚ କରିଛନ୍ତି ।  ଗତ ୪ ତାରିଖ ଦିନ ସମର୍ଥ ବିଦ୍ୟାଳୟର ସମ୍ପାଦକ କେ. ଆନନ୍ଦ ରାଓଙ୍କ ବିରୁଦ୍ଧରେ ଶାରିରୀକ ନିର୍ଯ୍ୟାତନା ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଅର୍ଥ ହଡପ ଅଭିଯୋଗ ହୋଇଥିଲା । ଅଭିଯୋଗ କାରୀ ମାନେ ଗଂଜାମ ଜିଲ୍ଲାପାଳ, ଗଂଜାମ ଏସପି ଏବଂ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରିଥିଲେ । ସମର୍ଥ’ ବିଦ୍ୟାଳୟର ସମ୍ପାଦକ କେ.ଆନନ୍ଦ ରାଓଙ୍କ ନାମରେ ଅଭିଯୋଗର ଫର୍ଦ୍ଦ ଦିନକୁ ଦିନ ଲମ୍ବିବାରେ ଲାଗିଛି । ପୁଲିସ ଓ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର କମିଟି ପକ୍ଷରୁ ଶାରୀରିକ ନିର୍ଯାତନା ସମେତ ବିଭିନ୍ନ ସଙ୍ଗିନ୍ ଅଭିଯୋଗର ଖୋଳତାଡ ଜାରି ରହିଥିବା ବେଳେ ଆଜି ବ୍ରହ୍ମପୁର ୫ଜଣିଆ ଟିମ୍ ତନାଘନା ଆରମ୍ଭ କରିଛନ୍ତି । ଏହି ସହିତ ବୁଧବାର ଏନେଇ ଅଭିଯୋଗ କାରୀ ମାନେ ବିଭିନ୍ନ ବିଷୟନେଇ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କୁ ଭୂବନେଶ୍ୱର ଠାରେ ଭେଟି ବିଦ୍ୟାଳୟର ସମ୍ପାଦକ କେ.ଆନନ୍ଦ ରାଓଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ କରିଛନ୍ତି ।  ଅନ୍ୟପକ୍ଷରେ ବିଦ୍ୟାଳୟର ପୂର୍ବତନ ଜଣେ ଶିକ୍ଷକଙ୍କ ପ୍ରରୋଚନାରେ ସମର୍ଥ ଶିକ୍ଷାନୁଷ୍ଠାନକୁ ବଦନାମ କରିବା ପାଇଁ ହୀନ ଚକ୍ରାନ୍ତ କରୁଛନ୍ତି । ଏହି ବିଦ୍ୟାଳୟ ବନ୍ଦ ହୋଇଗଲେ ତାଙ୍କରି ସଂପର୍କୀୟ ନାମରେ ଖୋଲିବା ପାଇଁ ଥିବା ଏକ ଆବାସିକ ବିଦ୍ୟାଳୟରେ ଏହି ପାଲଙ୍କୁ ଥଇଥାନ କରିବା ପାଇଁ ଯୋଜନା କରି ମୋ ବିରୋଧରେ ମିଥ୍ୟା ଆରୋପ ଗୁଡିକ ଲଦି ଚାଲୁଥିବା ନେଇ ସମ୍ପାଦକ କେ. ଆନନ୍ଦ ରାଓ ତାଙ୍କରି ପ୍ରତିକ୍ରିୟାରେ କହିଥିବା ସହ ଏ ସଂକ୍ରାନ୍ତରେ ସେ ଗତକାଲି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ