ଦୁଇଜଣ ଶିକ୍ଷକରେ ଚାଲିଛି ୫-ଟି ବିଦ୍ୟାଳୟ

ହାଟଡିହି, (ବିକାଶ ବିଶ୍ୱାଳ) :ସରକାର ବିଦ୍ୟାଳୟ ଗୁଡିକୁ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟ ଗୁଡିକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି । କିନ୍ତୁ ସେଠାରେ କେତେଜଣ ଛାତ୍ରଛାତ୍ରୀ ଅଛନ୍ତି, କେତେ ଜଣ ଶିକ୍ଷକ ଅଛନ୍ତି, କିପରି ଶିକ୍ଷାଦାନ ହେଉଛି ତାହାକୁ  ୫-ଟି ବୁଝୁ ନାହିଁ କି ଶିକ୍ଷା ବିଭାଗର ମଧ୍ୟ ଏଥି ପ୍ରତି ଧ୍ୟାନ ନାହିଁ । ଯାହାର ଉଦାହରଣ  ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା  ହାଟଡିହି ବ୍ଲକ ଧନୁର୍ଜୟପୁର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ । ଏଠାରେ ଦୁଇଜଣ ଶିକ୍ଷକରେ ବିଦ୍ୟାଳୟଟି ଚାଲୁଥିବାରୁ ବିଦ୍ୟାଳୟଟି କିପରି ଚାଲୁଥିବା ତାହା ସହଜରେ ଅନୁମେୟ । ଏହା ଏକ ଆଦିବାସୀ ଅଞ୍ଚଳ ହୋଇଥିବାରୁ ଏଠାରେ ୯୮ଭାଗ ଛାତ୍ରଛାତ୍ରୀ ଆଦିବାସୀ ଶ୍ରେଣୀର । ବିଦ୍ୟାଳୟର ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାବେଳେ ବିଜ୍ଞାନ ଶିକ୍ଷକ (ସିବିଜେଡ), ବିଜ୍ଞାନ ଶିକ୍ଷକ (ପିସିଏମ) ତାଲିମ ପ୍ରାପ୍ତ କଳା ଶିକ୍ଷକ, ହିନ୍ଦି ଶିକ୍ଷକ, କିରାଣୀ, ଦୁଇଟି ପିଅନ ଓ ରାତ୍ର ଜଗୁଆଳି ପଦବୀ ଖାଲି ପଡିଛି । ଏବେ ମାତ୍ର ଜଣେ କଳା ଶିକ୍ଷକ ଓ ଜଣେ ସଂସ୍କୃତ ଶିକ୍ଷକରେ ବିଦ୍ୟାଳୟଟି ଚାଲୁଥିବାରୁ ବିଦ୍ୟାଳୟରେ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡିଛି । ଉନ୍ନୀତ ଉଚ୍ଚ ଇଂରାଜି ବିଦ୍ୟାଳୟ ଭାବେ ବ୍ଲକର ଏକମାତ୍ର ସ୍କୁଲଟି ହୋଇଥିବାବେଳେ ଏଠାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୨୬୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିଥାନ୍ତି । କିନ୍ତୁ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୬ଜଣ ଶିକ୍ଷକ ଥିବାବେଳେ ନବମ ଓ ଦଶମ ଶ୍ରେଣୀର ୭୫ଜଣ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ତିନିଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ତନ୍ମଧ୍ୟରୁ କ୍ରୀଡା ଶିକ୍ଷୟତ୍ରୀ ଜଣକ ପ୍ରସବ କାଳୀନ ଛୁଟିରେ ପଳାଇଥିବାରୁ ଏବେ ଜଣେ କଳା ଶିକ୍ଷକ ଓ ଜଣେ ସଂସ୍କୃତ ଶିକ୍ଷକରେ ବିଦ୍ୟାଳୟଟି ଚାଲିଛି । ସେଥିରେ ପୁଣି ପ୍ରଧାନ ଶିକ୍ଷକ ଦାୟୀତ୍ୱ ତୁଲାଉଥିବା ଶିକ୍ଷକ ଜଣକ ଅଧିକାଶଂ ସମୟ ଅଫିସ କାର୍ଯ୍ୟରେ ଯାଉଥିବାରୁ ଜଣେ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ ଚାଲିଛି । ସରକାର ବିଦ୍ୟାଳୟଟି କୁ ୫-ଟିୋ ସାମିଲକରି ରଙ୍ଗ ବେରଙ୍ଗ କଲେ କଣ ହେବ ଶିକ୍ଷାଦାନ ନଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେବାକୁ ବସିଛି । ତା ସହିତ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହର ଅଭାବ, ପାଚେରୀ ନଥିବାରୁ  ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିଛି । ଏଣୁ ସରକାର ତୁରନ୍ତ ବିଦ୍ୟାଳୟରେ ଆବଶ୍ୟକ ଅନୁଯାଇ ଶିକ୍ଷକ ନିଯୁକ୍ତି କରିବା ସହିତ ଶ୍ରେଣୀଗୃହ ଓ ପାଚେରୀ ନିର୍ମାଣ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନିରୁଦ୍ଧ ନାଏକ, କିଶୋରୀ ଚରଣ ପଇଦା, ପ୍ରଫୁଲ ତନ୍ତୀ, ଜୟନ୍ତ ଡାକୁଆ, ଅଲେଖ ନାଇକ, ରବିନ୍ଦ୍ର ଦାସ, ରାଧା ନାଇକ, କୁନି ନାଇକ, ସଙ୍ଗୀତା ନାଇକ, ସୁମିତ୍ରା ନାଇକଙ୍କ ସମେତ ଅଭିଭାବକ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ