ବିଜୟଲକ୍ଷ୍ମୀ ହୋତାଙ୍କ ଯୋଗ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଶିଷ୍ଟ ଯୋଗ ବିଶାରଦ ବିଜୟଲକ୍ଷ୍ମୀ ହୋତାଙ୍କ ଦ୍ୱାରା ଲିଖିତ ‘ଯୋଗ ଫର୍ ସୁପର ଇମ୍ୟୁନିଟି’ ପୁସ୍ତକକୁ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମାନ୍ୟବର ରାଜ୍ୟପାଳ ପୁସ୍ତକଟିର ଲୋକପ୍ରିୟତା କାମନା କରିବା ସହିତ ଏହା ଜନସାଧାରଣଙ୍କ ଉପକାରରେ ଆସିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ପ୍ରସିଦ୍ଧ ରୂପା ପବ୍ଲିକେଶନ୍ସ ଦ୍ୱାରା ପ୍ରକାଶିତ ‘ଯୋଗ ଫର୍ ସୁପର ଇମ୍ୟୁନିଟି’ ପୁସ୍ତକରେ ମନକୁ ଚାପମୁକ୍ତ କରିବା, ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟଧାରା ସକ୍ରିୟ କରିବା, ଉପଯୁକ୍ତ ଖାଦ୍ୟ ଗ୍ରହଣ, ଜୀବନଶୈଳୀରେ ପରିବର୍ତ୍ତନ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଛି । ଏହି ଅବସରରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡର ଭାରପ୍ରାପ୍ତ ସଭାପତି ଅଶୋକ କୁମାର ସାରଦା ଏବଂ ଗ୍ରୋ ଗ୍ରୀନ୍ କନ୍‌ସୋର୍ଟିୟମ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ସୁକ୍ତା ସାରଦା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ହୋତା ଶ୍ୱାସ ରୋଗ, ଆଣ୍ଠୁଗଣ୍ଠି ବ୍ୟଥା, ପିଠି ବ୍ୟଥାଠାରୁ ଆରମ୍ଭ କରି ଟ୍ୟୁମର ଏବଂ କର୍କଟ ରୋଗର ଉପଶମ ପାଇଁ ଯୋଗ ଚିକିତ୍ସାର ସଫଳ ଉପଯୋଗ କରି ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ସେ ଭାରତ ଏବଂ ଭାରତ ବାହାରେ ଯୋଗ କର୍ମଶାଳା କରିବା ସହିତ ଯୋଗ ଚିକିତ୍ସା ସମ୍ପର୍କରେ ଦଶଟି ପୁସ୍ତକ ଓ ବହୁ ନିବନ୍ଧ ରଚନା କରିଛନ୍ତି । ସେ ମଧ୍ୟ ଓଡ଼ିଆ ରାନ୍ଧଣା ଉପରେ ଗୋଟିଏ ପୁସ୍ତକ ଲେଖିଛନ୍ତିି । ହୋତା ତାଙ୍କ ସ୍ୱାମୀ ତଥା ୟୁପିଏସସିର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ହୋତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ନଗେଟ୍‌ସ ଅଫ୍ ୱିଜଡମ୍‌’କୁ ମଧ୍ୟ ରାଜ୍ୟପାଳଙ୍କୁ ଉପହାର ଦେଇଥିଲେ । ଏହି ବହିରେ କେତେକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାୟର ବିସ୍ତୃତ ତର୍ଜମା ଓ ଆଲୋଚନା କରାଯାଇଛି । ଏସବୁ ଆଲୋଚନାରୁ ସମ୍ପୃକ୍ତ ରାୟର ଯଥାର୍ଥତା ପ୍ରତିପାଦନ ହେବା ସହିତ ଏହା ଉଭୟ ପାଠକ ଓ ଆଇନର ଛାତ୍ରଛାତ୍ରୀମାନଙ୍କ ପାଇଁ ବୋଧଗମ୍ୟ ହେବାରେ ସହାୟକ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ