ଚାଲିଗଲେ ସମସ୍ତଙ୍କ ପ୍ରିୟ ଫାର୍ମାସିଷ୍ଟ ସୁବୁଦ୍ଧି ସାର୍ ; ଅଞ୍ଚଳରେ ଶୋକର ଛାୟା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଯଜ୍ଞସେନ୍ ସୁବୁଦ୍ଧିଙ୍କର ଆଜି ସନ୍ଧ୍ୟାରେ ୫୯ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି I ସେ ଗାଙ୍ଗପୁର ଅଞ୍ଚଳର ଆବାଳବୃଦ୍ଧବନିତାଙ୍କ ନିକଟରେ ସୁବୁଦ୍ଧି ସାର୍ ଭାବେ ବେଶ୍ ପରିଚିତ ଥିଲେ I ସୂଚନା ପ୍ରକାରେ ସ୍ଵର୍ଗତ ଯଜ୍ଞସେନ୍ ଙ୍କର ଗତ ଗୁରୁବାର ବିଳମ୍ବିତ ରାତ୍ରିରେ ହଠାତ୍ ହାର୍ଟ୍ ଆଟାକ୍ ଆସିଥିଲା I ଏନେଇ ତାଙ୍କ ସ୍ତ୍ରୀ ଅନିତା ସୁବୁଦ୍ଧି ଯଜ୍ଞସେନ୍ ଙ୍କ ସାଙ୍ଗ ମଦନମୋହନ ସ୍ୱାଇଁଙ୍କୁ ଖବର ଦେଇଥିଲେ I ମଦନମୋହନ ଯଜ୍ଞସେନ୍ ଙ୍କ ସରକାରୀ କ୍ୱାର୍ଟରରେ ପହଞ୍ଚି ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ନେଇଥିଲେ I ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଭୁବନେଶ୍ୱର ନେଇଯିବା ପାଇଁ ପରାମର୍ଶ ଦେଇଥିଲେ I ବ୍ରହ୍ମପୁରରେ ଯଜ୍ଞସେନ୍ ଙ୍କ ଶଳା ପହଞ୍ଚି ତାଙ୍କୁ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ I ସେଠାରେ ଶୁକ୍ରବାର ରାତ୍ରି ୧୦ ଘଣ୍ଟା ୪୫ ମିନିଟ୍ ରେ ହାର୍ଟ୍ ଅସ୍ତ୍ରୋପଚାର କରାଯାଇଥିଲା I ଅସ୍ତ୍ରୋପଚାର ପରେ ଯଜ୍ଞସେନ୍ ଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା I କିନ୍ତୁ ଆଜି ହଠାତ୍ ସନ୍ଧ୍ୟା ଛଅ ଘଣ୍ଟା କୋଡ଼ିଏ ମିନିଟ୍ ସମୟରେ ପୁଣି ଥରେ ହୃଦଘାତ ଯୋଗୁଁ ଯଜ୍ଞସେନ୍ ଙ୍କ ମୃତ୍ୟୁ ଘଟିଥିଲା I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ ଅନିତାଙ୍କ ସମେତ ଝିଅ ମନିଷା ଏବଂ ଶଳା ଉପସ୍ଥିତ ଥିଲେ I ସ୍ଵର୍ଗତ ସୁବୁଦ୍ଧି ଜଣେ କର୍ମଠ ତଥା ପରୋପକାରୀ ବ୍ୟକ୍ତିତ୍ୱ ଥିଲେ I ସେ ଗାଙ୍ଗପୁର ସ୍ଵାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ୨୨/୨୩ ବର୍ଷ ଧରି କାର୍ଯ୍ୟରତ ଥିଲେ I ଏହି ସମୟରେ ଗାଙ୍ଗପୁର ସ୍ଵାସ୍ଥ୍ୟ କେନ୍ଦ୍ରକୁ ମାତ୍ର ୪/୫ ଜଣ ଡାକ୍ତର ଆସିଥିଲେ ମଧ୍ୟ ସ୍ଵର୍ଗତ ସୁବୁଦ୍ଧିଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଗାଙ୍ଗପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ଶହ ଶହ ରୋଗୀଙ୍କ ଲମ୍ବା ଧାଡି଼ ଲାଗୁଥିଲା I ଏପରିକି ଅଞ୍ଚଳର ବହୁ ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧାଙ୍କୁ ସେ ସେମାନଙ୍କ ଘରକୁ ଯାଇ ସ୍ଵାସ୍ଥ୍ୟ ସେବା ଯୋଗାଇଦେଉଥିଲେ I ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ବରିଷ୍ଠ ସାମ୍ବାଦିକ ସନ୍ତୋଷ ବିଷୋୟୀ, ଶିକ୍ଷକ ଶିଶିର କୁମାର ସ୍ଵାଇଁ, କରୁଣାକର୍ ବିଷୋୟୀ, ସମାଜସେବୀ ଶଶାଙ୍କ ସ୍ୱାଇଁ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସାହୁ, ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ପାଣ୍ଡବ ସ୍ୱାଇଁ, ସ୍ଵାସ୍ଥ୍ୟ ପରିଦର୍ଶକ ଶୁଭ୍ରମନ୍ୟୁ କର,ନିତ୍ୟାନନ୍ଦ ଡାକୁଆଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିବା ସହ ଏହା ଅଞ୍ଚଳର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ