ଲବାରସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ଟି ଶ୍ରେଣୀକୁ ୨ ଜଣ ଶିକ୍ଷକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୫୩ ମସିହାରେ ମୋହନା ବ୍ଲକ ଅନ୍ତର୍ଗତ ଲବାରସିଂ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା।ଏହାପରେ ୨୦୦୮ରେ ଏହି ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ମିଳିଲା। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସେଥିମଧ୍ୟରୁ ୪୪ଜଣ ଛାତ୍ରୀ ଓ ୫୬ଜଣ ଛାତ୍ର । ଆଠଟି ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ମାତ୍ର ୨ଜଣ ଶିକ୍ଷକ। ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ କାର୍ଯୀ ଓ ସହକାରୀ ଶିକ୍ଷକ ଅନ୍ତର୍ଯ୍ୟାମୀ ପାଇକ। ପ୍ରଧାନ ଶିକ୍ଷକ ଯଦି ବିଦ୍ୟାଳୟ କାର୍ଯ୍ୟରେ ବାହାରକୁ ଗଲେ କିମ୍ଵା ଘରୋଇ କାମରେ ଛୁଟି ନେଇ ଅନୁପସ୍ଥିତ ରହିଲେ ତେବେ ସହକାରୀ ଶିକ୍ଷକ ୮ଟି ଶ୍ରେଣୀକୁ ଶିକ୍ଷାଦାନ କରନ୍ତି। ଯାହା ଗ୍ରହଣୀୟ ନୁହେଁ ବରଂ ହାସ୍ୟାସ୍ପଦ । ଶିକ୍ଷକ ଅଭାବ ଜନିତ ଅବ୍ୟବସ୍ଥା ଯୋଗୁଁ ହ୍ରାସ ପାଉଛି ପିଲାଙ୍କ ଶୈକ୍ଷିକ ଦକ୍ଷତା ଓ ଶିକ୍ଷାଦାନ ।ସରକାରଙ୍କ ସର୍ବଶିକ୍ଷା ଅଭିଯାନ ,ନୂତନ ଶିକ୍ଷାନିତୀ ଅଧିକାର ଅଧିନୀୟମ, ମଧ୍ୟାହ୍ନ ଭୋଜନ ଆଦି ମାଳମାଳ ଯୋଜନା ଛାତ୍ରୀଛାତ୍ର ମାନଙ୍କ ବୌଦ୍ଧିକ ଓ ମାନସିକ ବିକାଶର ଅଭିବୃଦ୍ଧି ସକାଶେ ପ୍ରଣୟନ କରିଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ରାଜକୋଷରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି। କିନ୍ତୁ ଛାତ୍ରୀଛାତ୍ରମାନେ ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହା ଫଳରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ରହିଥିବା ବିଦ୍ୟାଳୟ ଗୁଡିକରେ ନିୟମିତ ଶିକ୍ଷକଙ୍କ ଅଭାବ ଯୋଗୁଁ ବିଦ୍ୟାଳୟ ଗୁଡିକରେ ପାଠ ପଢ଼ୁଥିବା ଛାତ୍ରୀ ଛାତ୍ରମାନେ ପାଠ ପଢା ପ୍ରତି ବିମୁଖ ହୋଇ ବାହାରେ ବିଭିନ୍ନ ପ୍ରକାରର କାମରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳୁଛି। ଲବାରସିଂ ପଞ୍ଚାୟତର ସରପଞ୍ଚ ଯମୁନା ରଇତ ଓ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ କାର୍ଯୀ ବିଦ୍ୟାଳୟରେ ଶିକ୍ଷକ ନିୟୋଜିତ କରିବା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ଵାର ଅବଗତ କରିଆସୁଥିଲେ ମଧ୍ୟ ସେ ପଦବୀ ପୂରଣ କରୁନାହାନ୍ତି ବୋଲି କହିଛନ୍ତି। ଏଣୁ ପ୍ରଶାସନିକ ସ୍ତରରେ ବିଦ୍ୟାଳୟରେ ପାଠପଢୁ ଥିବା ଛାତ୍ରୀ ଛାତ୍ରମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷାର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ବିଦ୍ୟାଳୟରେ ଖାଲିପଡିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମରାପୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଯଥାଶୀଘ୍ର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ