ଚାହିଦାରେ ସ୍ୱଦେଶୀ ରାଖୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଉ ଦିନ କେଇଟା ପରେ ସ୍ନେହ ଓ ଶ୍ରଦ୍ଧାର ପର୍ବ ରକ୍ଷା ବନ୍ଧନ । ଗାଁ ଠୁ ସହର ରାଖୀର ପସରା ମେଲିଲାଣି । ରାଖୀ ପୂର୍ଣ୍ଣମୀକୁ ନଜରରେ ରଖି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ୩ ବର୍ଷ ହେଲା ନିଜର ଦୃଢ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ନୂଆ ସମ୍ଭାବନା ସୃଷ୍ଟି କରି ଆରମ୍ଭ କରିଛନ୍ତି ସ୍ୱଦେଶୀ କ୍ରାନ୍ତି ମିଶନ୍ । ସାଧାରଣତଃ ବଜାରରେ ଉପଲବ୍ଧ ରାଖୀ ଏବଂ ଏଥିରେ ବ୍ୟବହୃତ ସାମଗ୍ରୀ ପରିବେଶ ପାଇଁ ବିପଦ ସୃଷ୍ଟି କରିଥାଏ । ମାତ୍ର ସୁଶାନ୍ତ ନିଜର ଅଧ୍ୟବସାୟ ବଳରେ ପରିବେଶ ଅନୁକୁଳ ରାଖୀ ତିଆରି କରିଛନ୍ତି । ସ୍ଥାନୀୟ ଅଞ୍ଚଳରୁ ବିଭିନ୍ନ ସାମଗ୍ରୀ ଯଥା- କଳାଧାନ, ଧଳାଧାନ, ନାଲିଧାନ, ବାଜରା, ସୂର୍ଯ୍ୟମୁଖୀ, କଖାରୁ, ଚାରମଗଜ ଇତ୍ୟାଦି ବିହନ ସହ ତୁଳା, କାଠି, କାଗଜ, ନଡ଼ା, ସୂତା ଆଦିକୁ ବ୍ୟବହାର କରି ପରିବେଶକୁ ସୁହାଇଲା ଭଳି ଅର୍ଥାତ୍ (ଇକୋ-ଫ୍ରେଣ୍ଡଲି) ଶସ୍ତା ସ୍ୱଦେଶୀ ରାଖୀ ପ୍ରସ୍ତୁତ କରିଛନ୍ତି । ଏଥିରେ ତାଙ୍କ ପତ୍ନୀ ଅନସୂୟା ସାହୁ ଏବଂ ଚିତ୍ରଶିଳ୍ପୀ ସୁସ୍ମିତାରାଣୀ ରାଉତ ସହଯୋଗ କରୁଛନ୍ତି । ଏହି ରାଖିଗୁଡ଼ିକ ଆକର୍ଷଣୀୟ ହେବା ସହ ଲୋକମାନଙ୍କର ମନ ଜିଣିପାରୁଛି । ରାଖୀକୁ ଶୈଳଶ୍ରୀ ବିହାର, ପଟିଆ, ଜଟଣୀ ଏବଂ ପୋଖରୀପୁଟ ଆଦି ଅଞ୍ଚଳକୁ ବିକ୍ରୀ ପାଇଁ ପଠାଯାଉଛି । ଚଳିତବର୍ଷ ମନକୁ ଛୁଇଁଲା ପରି ଏବଂ ରାଖୀର ମହତ୍ୱକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତ କରିଛନ୍ତି କଣ୍ଢେଇ ରାଖୀ ଏବଂ ରାଷ୍ଟ୍ରପତି ରାଖୀ । ବଜାରରେ ରାଖୀର ମୂଲ୍ୟ ୨୦ ଟଙ୍କାରୁ ଧରି ୫ ହଜାର ଟଙ୍କା ମଧ୍ୟରେ ବିକ୍ରୀ ହେଉଥିବା ବେଳେ ସୁଶାନ୍ତଙ୍କ ପରିବେଶ ଅନୁକୁଳ ରାଖୀ ୧୦ ଟଙ୍କାରୁ ୧୨୦ ଟଙ୍କା ମୂଲ୍ୟରେ ବିକ୍ରୀ କରାଯାଉଛି । ଚଳିତବର୍ଷ ଦୁଇହଜାର ରାଖୀ ତିଆରି କରାଯାଇଥିବା ସୁଶାନ୍ତ କହିଛନ୍ତି । ପ୍ରତିବର୍ଷ ନିଆରା ସ୍ୱଦେଶୀ ସାମଗ୍ରୀ ଓ ପରିବେଶକୁ ସୁହାଇଲା ଭଳି ରାଖୀ ପ୍ରସ୍ତୁତ କରୁଥିବା ଏହି ଦମ୍ପତ୍ତି ପାରମ୍ପରିକ ରାଖୀ ଜରିଆରେ ସମ୍ପର୍କର ବନ୍ଧନ ସହିତ ପ୍ରକୃତିର ବନ୍ଦନା କରିବାର ବାର୍ତ୍ତା ଦେଇଥାନ୍ତି । ଆଗକୁ ଏହି ଇକୋ-ଫ୍ରେଣ୍ଡ୍‌ଲି ରାଖୀ ଭାରତର କୋଣ ଅନୁକୋଣରେ ସୁଲଭ ମୂଲ୍ୟରେ ପହଞ୍ଚାଇବାକୁ ସୁଶାନ୍ତ ଲକ୍ଷ୍ୟ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ