ରାଜ୍ୟପାଳମାନଙ୍କ ୫୦ତମ ବାର୍ଷିକ ସମ୍ମିଳନୀର ଉଦଘାଟିତ

ରାଜ୍ୟପାଳମାନଙ୍କ ୫୦ତମ ବାର୍ଷିକ ସମ୍ମିଳନୀ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଉଦଘାଟନୀ ଅଧିବେଶନ ସହ ଆରମ୍ଭ ହୋଇଯାଇଛି । ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଉପରାଜ୍ୟପାଳମାନେ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ କାର୍ଯ୍ୟଭାର ସମ୍ଭାଳିଥିବା ୧୭ ଜଣ ରାଜ୍ୟପାଳ ଓ ଉପରାଜ୍ୟପାଳ ସାମିଲ ଅଛନ୍ତି । ଏଥିସହିତ ସମ୍ମିଳନୀରେ ନବଗଠିତ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ଉପରାଜ୍ୟପାଳ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଜଳ ଶକ୍ତି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ ୧୯୪୯ ଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀର ଦୀର୍ଘ ଇତିହାସ ଉପରେ ଆଲୋକପାତ କରିଥିଲେ । ଚଳିତ ଥର ୫୦ତମ ସଂସ୍କରଣ ଏହି ସମ୍ମିଳନୀର ବିଗତ ସଂସ୍କରଣର ଉପଲବ୍ଧି ଏବଂ ପରିଣାମର ମୂଲ୍ୟାଙ୍କନ କରିବା ଏବଂ ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଲାଗି ଏକ ଅଭିନବ ଅବସର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ସହକାରୀ ଏବଂ ପ୍ରତିଦ୍ୱନ୍ଦ୍ୱୀ ସଂଘୀୟ ବ୍ୟବସ୍ଥାକୁ ସାକାର କରିବାରେ ରାଜ୍ୟପାଳ ପଦବୀର ବିଶେଷ ଭୂମିକା ରହିଛି । ଏହି ସମ୍ମିଳନୀ ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କ ପାଇଁ ବିଚାର ଆଦାନ-ପ୍ରଦାନ କରିବା, ପରସ୍ପରର ଅଭିଜ୍ଞତାରୁ ଶିକ୍ଷା ଲାଭ କରିବା ସହିତ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱତନ୍ତ୍ର ତଥା ବିବିଧ ଆବଶ୍ୟକତା ଏବଂ ସେମାନଙ୍କ ଅନୁକୂଳ ସର୍ବୋତମ ଅନ୍ତର୍ଜାତୀୟ ପ୍ରଚଳନକୁ ଆପଣାଇବା ଲାଗି ସୁଯୋଗ ପ୍ରଦାନ କରିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏମାନଙ୍କ ପ୍ରଶାସନିକ ଢାଂଚା କାରଣରୁ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ବିକାଶ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିପାରିବେ ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୨ରେ ଦେଶ ନିଜ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ପାଳନ କରିବ ଏବଂ ୨୦୪୭ରେ ୧୦୦ ବର୍ଷ ପୂର୍ତି ପାଳନ କରିବ । ଏପରି ସ୍ଥଳେ ପ୍ରଶାସନିକ କଳକୁ ଦେଶର ଲୋକମାନଙ୍କ ନିକଟତର କରିବା ଏବଂ ସେମାନଙ୍କୁ ସଠିକ ମାର୍ଗ ଦେଖାଇବାରେ ରାଜ୍ୟପାଳମାନଙ୍କ ଭୂମିକା ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମେ ଭାରତୀୟ ସମ୍ବିଧାନ ଲାଗୁ ହେବାର ୭୦ତମ ବର୍ଷପୂର୍ତି ପାଳନ କରିବାକୁ ଯାଉଛୁ । ଏପରି ସ୍ଥିତି ରାଜ୍ୟପାଳ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଭାରତୀୟ ସମ୍ବିଧାନର ବିଭିନ୍ନ ସେବା ଦିଗ, ବିଶେଷ କରି ନାଗରିକଙ୍କ କର୍ତବ୍ୟ ଏବଂ ଉତରଦାୟିତ୍ୱ ଦିଗରେ ମଧ୍ୟ କାମ କରିବା ଆବଶ୍ୟକ । ଏହାଦ୍ୱାରା ପ୍ରକୃତରେ ସମସ୍ତଙ୍କ ଭାଗିଦାରୀ ଆଧାରିତ ଶାସନ ପ୍ରତିଷ୍ଠା କରିବାରେ ସହାୟତା ମିଳିପାରିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତବର୍ଷ ଆମେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ୧୫୦ତମ ବର୍ଷ ପୂର୍ତି ପାଳନ କରିବାକୁ ଯାଉଛୁ । ସେଥିପାଇଁ ରାଜ୍ୟପାଳ ଏବଂ ଉପରାଜ୍ୟପାଳ ଗାନ୍ଧୀବାଦୀ ବିଚାର ଏବଂ ଆଦର୍ଶର ପ୍ରାସଙ୍ଗିକତା ବିଷୟରେ କହିବା ଲାଗି ଏହି ଅବସରର ଲାଭ ଉଠାଇପାରିବେ । ପ୍ରଧାନମନ୍ତ୍ରୀ ନିଜ ଉଦବୋଧନ ଶେଷରେ ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବା ସମୟରେ ସାଧାରଣ ଜନତାଙ୍କ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଅନ୍ତୁ । ପ୍ରଧାନମନ୍ତ୍ରୀ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ ଯେ ସେ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ, ମହିଳା ଓ ଯୁବପିଢ଼ିଙ୍କ ସହିତ ଦୁର୍ବଳ ଶ୍ରେଣୀର ଲୋକଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରନ୍ତୁ । ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଉପଯୋଗ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯେପରିକି ଯକ୍ଷ୍ମା ବିଷୟରେ ସଚେତନତା ସୃଷ୍ଟି ଏବଂ ୨୦୨୫ ସୁଦ୍ଧା ଭାରତକୁ ଏହି ରୋଗରୁ ମୁକ୍ତ କରିବା ଦିଗରେ କରାଯିବା ଉଚିତ ।ଚଳିତ ବର୍ଷର ସମ୍ମିଳନୀରେ ଆଦିବାସୀ ପ୍ରସଙ୍ଗ, କୃଷି କ୍ଷେତ୍ରରେ ସୁଧାର, ଜଳଜୀବନ ମିଶନ, ନୂତନ ଶିକ୍ଷା ନୀତି ଏବଂ ଜୀବନଧାରଣ ସୁଗମତା ପାଇଁ ପ୍ରଶାସନ ଭଳି ପ୍ରସଙ୍ଗ ଏବଂ ସମସ୍ୟା ଆଦି ପାଂଚଟି ଉପ ସମୂହରେ ବ୍ୟାପକ ଆଲୋଚନା ହେବ । ଏହାର ରିପୋର୍ଟ ପରେ ସମସ୍ତ ଅଂଶଗ୍ରହଣକାରୀ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ଦ୍ୱାରା ବଡ଼ ଫର୍ମାଟରେ ଆଲୋଚନା କରାଯିବ, ଏହାକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ