‘ଆମ ଗାଁ,ଆମ ବିକାଶ’ ଯୋଜନାରେ କରାଯାଉଥିବା କାର୍ଯ୍ୟ ନିମ୍ନମାନର ଅଭିଯୋଗ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ଓଷକଣା ପଂଚାୟତର ଭଟଣା ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ କାର୍ଯ୍ୟ କରାଯାଉଥିବା ବାସୁଦେବ ଠାକୁରଙ୍କ ଗୃହ ପୁନ୍ନରୁଦ୍ଧାର କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ଉକ୍ତ ପଂଚାୟତର କ୍ରାନ୍ତିଶିଖା ପରିଡା ସୋସିଆଲ ମିଡିଆରେ ଉକ୍ତ କାର୍ଯ୍ୟ ନିମ୍ନମାନର ହେଉଥିବା ଭିଡିଓ ଭାଇରାଲ କରିଛନ୍ତି । ଉକ୍ତ ଗୃହ ନିର୍ମାଣରେ ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ଘରର ଭଙ୍ଗା ଇଟାକୁ ବ୍ୟବହାର କରାଯାଉଛି । ସେହିପରି ବାଲି ସିମେଂଟର ଭାଗ ମାପ ଠିକ ରହୁ ନଥିବା ବେଳେ ବାଲି ପରିମାଣ ଅଧିକ ଦିଆଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଉକ୍ତ ଗୃହର ଭିତିପ୍ରସ୍ତର ଖନନ କରିବା ପରିବର୍ତେ ମାଟି ଉପରୁ କାନ୍ଥ ଉଠାଯାଉଛି । ଏପିକି ପୁରୁଣା ଇଟାକୁ ଲୁଚାଇବା ପାଇଁ ସଙ୍ଗେ ସଙ୍ଗେ କାନ୍ଥରେ ସିମେଂଟରେ ପ୍ଲାଷ୍ଟର କରାଯାଉଛି । ଯାହାକି ଗୃହର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏତଦ୍ ବ୍ୟତିତ ଛୁଟି ଦିନମାନଙ୍କରେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଉକ୍ତ ଗୃହ କାର୍ଯ୍ୟ ଚାଲୁ ରହିଥିବା ବେଳେ ରାଜମିସ୍ତ୍ରୀ ଭାବେ ଅଣ କୁଶଳି ଶ୍ରମିକମାନଙ୍କୁ ନେଇ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ସେହିପରି ଗୃହ ନିର୍ମାଣ ଚାଲିଥିଲେ ମଧ୍ୟ ଜନସାଧାରଣଙ୍କ ଅବଗତି ନିମନ୍ତେ କାର୍ଯ୍ୟସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇନାହିଁ । ଯାହାଫଳରେ ସାଧାରଣ ଲୋକ କାର୍ଯ୍ୟ ସଂପର୍କରେ ଜାଣି ପାରୁନାହାନ୍ତି । ନିମ୍ନମାନର କାର୍ଯ୍ୟ ସଂପର୍କରେ ବିଡିଓ ଜାଣିବା ପରେ ଉକ୍ତ କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପୁନର୍ବାର କାର୍ଯ୍ୟ ଚାଲୁ ରହିଥିବା ଜଣାଯାଇଛି । ଏସଂପର୍କରେ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟକୁ ବନ୍ଦ କରାଯିବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି ।


