ଡାକ ବିଭାଗର ଅବହେଳା ଅଭିଯୋଗ ; ନିଯୁକ୍ତି ହରାଇଲେ ଦିବ୍ୟାଙ୍ଗ ଯୁବକ ସୁକାନ୍ତ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ଶଙ୍କରଖାଳି ଗ୍ରାମର ସୁକାନ୍ତ କୁମାର ସାହୁ ନାମକ ଜଣେ ଶ୍ରବଣ ବାଧିତ ଦିବ୍ଯାଙ୍ଗ ଯୁବକ ଭାରତୀୟ ଡାକ ବିଭାଗର ଅବହେଳା ଯୋଗୁଁ କ୍ରୀଡା ଶିକ୍ଷକ ପଦବୀ ଭଳି ଏକ ନିଶ୍ଚିତ ନିଯୁକ୍ତି ହରାଇବାକୁ ବାଧ୍ୟ ହୋଇଥିବା ଜଣାପଡିଛି।କନ୍ଧମାଳ ଜିଲାପାଳ ଙ୍କ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ପ୍ରକାରେ ସୁକାନ୍ତ କ୍ରୀଡା ଶିକ୍ଷକ ପଦବୀ ପାଇଁ ଯୋଗ୍ଯ ବିବେଚିତ ଥିଲେ ମଧ୍ୟ ତାଙ୍କର କେବଳ ଲିଖିତ ପରୀକ୍ଷାର ଆବଶ୍ୟକତା ରହିଥିଲା।ସେହି ପରୀକ୍ଷା ଗତ ଅଗଷ୍ଟ ୨୮ ତାରିଖ ଦିନ ଫୁଲବାଣୀ ମହିଳା ମହାବିଦ୍ଯାଳୟରେ କରାଯିବାକୁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ଜିଲାପାଳଙ୍କ ଦପ୍ତରରୁ ପ୍ରବେଶ ପତ୍ର ସୁକାନ୍ତ ସାହୁଙ୍କ ନିକଟକୁ ଗତ ୧୭ ତାରିଖ ରେ ଡାକ ମାଧ୍ୟମରେ ପଠାଯାଇଥିଲା। ସେହି ଡାକ ମାତ୍ର ଦୁଇ ଦିନ ମଧ୍ୟରେ ଅର୍ଥାତ ୧୯ ତାରିଖ ଦିନ ଖମାରିଗାଁ ଡାକ କାର୍ଯ୍ଯାଳୟରେ ପହଞ୍ଚି ଯାଇଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ୩୦ ତାରିଖ ଯାଏଁ ସୁକାନ୍ତଙ୍କ ନିକଟରେ ପହଞ୍ଚି ପାରିନଥିଲା।ଅନ୍ୟ ସାଙ୍ଗ ମାନଙ୍କ ଠାରୁ ପରୀକ୍ଷା ହୋଇ ସାରିଥିବା ସୂଚନା ପାଇବା ପରେ ସେ ଡାକ କାର୍ଯ୍ଯାଳୟ ଯାଇ ନିଜର ଡାକ ସମ୍ପର୍କରେ ପଚାରି ବୁଝିଥିଲେ।ସେଠାରୁ ତାଙ୍କ ନିକଟକୁ ଆସିଥିବା ଚିଠି ଗ୍ରହଣ କରି ଟ୍ରାକିଂ କରିବା ପରେ ବିଭାଗୀୟ ଅବହେଳା ସ୍ପଷ୍ଟ ପ୍ରମାଣିତ ହୋଇଥିଲା।ଏହାପରେ ଦିବ୍ଯାଙ୍ଗ ଯୁବକ ଜଣକ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗିପଡି ଖାଇବା ପିଇବା ଛାଡି ଦେଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।ଏପରିକି ସୁକାନ୍ତଙ୍କ ଲିଖିତ ପରୀକ୍ଷା ସମ୍ପର୍କରେ କନ୍ଧମାଳ ଜିଲାପାଳ ମହୋଦୟ ପୁନର୍ବିଚାର କରିବାକୁ ସୁକାନ୍ତଙ୍କ ଭାଇ ଶ୍ରୀକାନ୍ତ ଅନୁରୋଧ କରିବା ସହ ଡାକ ବିଭାଗର ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ