ସ୍ତ୍ରୀ ଙ୍କ ଉପରେ ସାନିଟାଇଜର ଢାଳି ନିଆଁ ଲଗାଇଦେଲେ ସ୍ଵାମୀ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମ ମଝି ସାହିରେ ରିତା ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ସଞ୍ଜୟ ପ୍ରଧାନ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କ ଦେହରେ ସାନିଟାଇଜର ପକାଇ ନିଆଁ ଲଗାଇ ଜିଆନ୍ତା ଜାଳି ଦେବାକୁ ଉଦ୍ୟମ କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା ଭଳି ଭରପୁର ପ୍ରୟାସ କରିଥିଲେ ସ୍ଵାମୀ। ହେଲେ ସ୍ତ୍ରୀ ତାଙ୍କ କବଳରୁ ଖସି ଯାଇଥିଲେ। ନିଜେ ନିଆଁ ଲିଭାଇ ଗାଁ ରାସ୍ତାରେ ଦୌଡ଼ି ଦୌଡ଼ି ମାଉସୀ ଘରେ ପହଞ୍ଚି ସାହି ପଡୋଶୀ ଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ଖବର ପାଇ ରିତା ଙ୍କ ବାପା ଛେନା ପ୍ରଧାନ ଦିଗପହଣ୍ଡି ଥାନାରେ ପହଞ୍ଚି ଶୁକ୍ରବାର ଏତଲା ଦେଇଛନ୍ତି।ଏତଲା କୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ.୩୧୪/୨୨ ଦଫା – ୩୦୭/୪୯୮(କ)/୫୦୬ ଆଇ ପି ସି ସମେତ ଯୌତୁକ ନିରୋଧ ଆଇନର ଧାରା – ୪ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି।ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରିତା ଙ୍କ ସ୍ଵାମୀ ସଞ୍ଜୟ ଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚୁରା କରୁଛନ୍ତି।ଶନିବାର ଅଭିଯୁକ୍ତ ସ୍ଵାମୀ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି। ରୀତାଙ୍କ ଶରୀର ର ପ୍ରାୟ ୩୦ ଭାଗ ପୋଡିଯାଇଛି । ପେଟ ଅଂଶ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ନିଜେ ପ୍ରାଣ ବିକଳରେ ତାଙ୍କ ଶରୀରରେ ପାଣି ଢାଳି ନିଜ ଜୀବନ ବଞ୍ଚାଇବା ପରେ ସେ ଦୌଡ଼ି ଦୌଡ଼ି ଗ୍ରାମର ଅନ୍ୟ ଏକ ସାହିରେ ରହୁଥିବା ମାଉସୀଙ୍କ ଘରେ ପହଞ୍ଚି ତାଙ୍କୁ ସମସ୍ତ କଥା କହିଥିଲେ । ଗୁରୁତର ଅବସ୍ଥାରେ ରିତା ଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ସେଠାରେ ଚିକିତ୍ସା ଜାରି ରହିଥିବା ପୋଲିସ କହିଛି। ଗତ ୨୦୧୮ରେ ରିତା ଏବଂ ସଞ୍ଜୟଙ୍କ ବିବାହ ହୋଇଥିଲା । ବିବାହ ସମୟରେ ସ୍ଵାମୀ ଓ ଶ୍ୱଶୁର ଘର ଲୋକଙ୍କ ଦାବି ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। ସେଥିରେ ସେମାନେ ସନ୍ତୁଷ୍ଟ ନଥିଲେ।ବିବାହ ପରଠାରୁ ସଞ୍ଜୟ ଏବଂ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ରିତା ଙ୍କୁ ସଦା ସର୍ବଦା ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୂର୍ବରୁ ଏ ନେଇ ୨୦୧୯ରେ ରିତା ବ୍ରହ୍ମପୁର ମହିଳା ଥାନାରେ ଏତଲା ଦେଇଥିଲେ।ସେତେବେଳେ ମହିଳା ଥାନା ପକ୍ଷରୁ ଘଟଣାକୁ ଗୁରୁତ୍ୱ ଦିଆଯାଇନଥିଲା । ଉଭୟଙ୍କ ମଧ୍ୟରେ ଆପୋଷ ମିଳାମିଶା କରି ଛାଡି ଦିଆଯାଇଥିଲା। ଘଟଣା ପରଠାରୁ ରିତା ବାପ ଘରେ ରହି ଆସୁଥଲେ । ଉଭୟ ପକ୍ଷ ଙ୍କ ବନ୍ଧୁ ବାନ୍ଧବ ଏବଂ ଭଦ୍ର ଲୋକଙ୍କ ହସ୍ତକ୍ଷେପ ପରେ ରିତା ଗତ ୨ ମାସ ପୂର୍ବେ ଶଶୁର ଘରେ ରହି ଆସୁଥିଲେ । ରିତାଙ୍କୁ ତାଙ୍କ ସ୍ୱାମୀ ବହୁବାର ମାରିଦେବାକୁ ଚେଷ୍ଟା କରିଥିବା ବେଳେ ସେଥିରେ ସେ ସଫଳ ହୋଇନଥିଲେ ବୋଲି ରିତା ଙ୍କ ବାପା ପୋଲିସ କୁ କହିଛନ୍ତି ।ଗୁରୁବାର ସନ୍ଧ୍ୟାରେ ରିତା ଘରର ଛାତ ଉପରେ ବୁଲୁ ଥିବା ସମୟରେ ତାଙ୍କ ସ୍ଵାମୀ ସଞ୍ଜୟ ଛାତ ଉପରକୁ ଆସି ତାଙ୍କୁ ଛାତ ରୁ ଠେଲି ଦେବାକୁ ଉଦ୍ୟମ କରିଥିଲେ । କୌଣସି ପ୍ରକାରେ ରିତା ସେଠାରୁ ଖସି ପଳାଇ ଆସିଥିଲେ । ରିତା ସଞ୍ଜୟଙ୍କ ଟାର୍ଗେଟ୍ରେ ଥିବା ଯୋଗୁଁ ପୂର୍ବ ଯୋଜନା ପ୍ରକାରେ ତାଙ୍କୁ ଜୀବନରେ ମାରିଦେବାକୁ ମନସ୍ଥ କରିଥିଲେ ।ରିତା ଗୁରୁବାର ସନ୍ଧ୍ୟାରେ ଘରେ ଥିବା ସମୟରେ କିଛି ସାନିଟାଇଜର ତାଙ୍କ ଉପରେ ଢ଼ାଳି ନିଆଁ ଲଗାଇଦେଇଥିବା ରିତା ଙ୍କ ପରିବାର ଲୋକେ ପୋଲିସ ନିକଟରେ ବୟାନ ଦେଇଛନ୍ତି।


