ହିଞ୍ଜିଳିରେ ଲୁଟେରାଙ୍କ ରାଜ୍‌ ଦଣ୍ଡକାଳୀ ମନ୍ଦିରରରେ ବୁଲାଇଲେ କଳାକନା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କିଛି ଦିନର ବିରତି ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଇଲାକାରେ ପୁଣି ଥରେ ଲୁଟେରାଙ୍କ ପାର୍ଦୁଭାବ ଦେଖିବାକୁ ମିଳିଛି । କେତେବେଳେ ଘର କବାଟ ଭାଙ୍ଗି ସୁନା, ରୂପା ଅଳଙ୍କାର ଲୁଟୁଛନ୍ତି ତ ଆଉ କେତେବେଳେ ବିଚ୍ ବଜାରରୁ ମୋଟର ସାଇକେଲ ଓ ବହୁ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ମୂଲ୍ୟବାନ ସାମଗ୍ରୀ ଲୁଟ୍ କରି ଚମ୍ପଟ ମାରିବାରେ ସକ୍ଷମ ହେଉଛନ୍ତି ଲୁଟେରା ଦଳ । ଏବେ ଲୁଟେରାଙ୍କ ନଜର ପଡିଛି ବିଭିନ୍ନ ଦୋବଳୟରେ । ଗୁରୁବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଇଲାକାର ସମରଝୋଳ ଦଣ୍ଡକାଳୀ ମନ୍ଦିରରେ ପଶି କଳାକନା ବୁଲାଇବାରେ ଲୁଟେରା ଗ୍ୟାଙ୍ଗ ସଫଳ ହୋଇଛନ୍ତି । ମନ୍ଦିର ପରିସରରେ ଥିବା ମନିଟରକୁ ଭାଙ୍ଗି ଦେଇଥିବା ବେଳେ ପ୍ରମାଣ ନଷ୍ଟ କରିବା ଲକ୍ଷ୍ୟରେ ସିସିଟଭି ହାଡ୍ ଡିସ୍କ ଉଠାଇ ନେଇ ପରୋକ୍ଷରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା ଦଳ । ମିଳିଥିବା ସୂଚନା ପ୍ରକାରେ, ହିଞ୍ଜିଳି ଥାନା ସମରଝୋଳ ଦଣ୍ଡକାଳୀ ମନ୍ଦିରରେ ସବୁଦିନ ପରି ଗୁରୁବାର ରାତିରେ ମନ୍ଦିରର ନିତିକାନ୍ତି ଶେଷ ପରେ ମନ୍ଦିର ବନ୍ଦ କରି ପୂଜକ ଘରକୁ ଫେରିଥିଲେ । ଶୁକ୍ରବାର ଭୋରରେ ପୂଜକ କବାଟ ଖୋଲିବାକୁ ଆସିବା ବେଳେ ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ଖବର ପାଇ ମନ୍ଦିର କମିଟି କର୍ତ୍ତୁପକ୍ଷ ଘଟଣାସ୍ଥଳରେ ପହଞ୍ଚି ଲୁଟ୍ ହୋଇଥିବା ଜାଣି ପାରିଥିଲେ । ମା’ଙ୍କ ବେକରେ ରହିଥିବା ୨ଟି ସୁନାର ମଙ୍ଗଳସୁତ୍ର ଚୋରୀ ହୋଇଥିବା ସହ ଦାନହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ । ଏଥି ସହ ମନ୍ଦିରରେ ଲାଗିଥିବା ସିସିଟଭି ମନିଟରକୁ ଭାଙ୍ଗି ଦେଇଥିବା ବେଳେ ପ୍ରମାଣର ନଷ୍ଟ କରିବା ଲାଗି ହାଡ୍ ଡିସ୍କକୁ ନେଇ ଚମ୍ପଟ ମାରିଥିଲେ । ଲୁଟେରା ଗ୍ୟାଙ୍ଗ ସୁନାଗହଣା,ଦାନଟଙ୍କା ଓ ସିସିଟିଭି ଯନ୍ତ୍ରାଂଶ ସମୁଦାୟ ୨ଲକ୍ଷରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଥିବା ନେଇ ମନ୍ଦିର କମିଟି ଅଭିଯୋଗ କରିଛନ୍ତି । ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଲେଖା ହେବାସୁଦ୍ଧା ଲୁଟ୍ ଘଟଣା ନେଇ ମନ୍ଦିର କମିଟି ପକ୍ଷରୁ ଲିଖିତ ଅଭିଯୋଗ ହୋଇନଥିବା ଥାନା ସୁତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ