ୟୁରିଆ ସାର କଳାବଜାର ଅଭିଯୋଗ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ବି . ବୁଲୁ ସୁବୁଦ୍ଧି ନାମକ ଜଣେ ସାର ଡିଲର ବେଆଇନ ଭାବେ ୟୁରିଆ ସାର କଳାବଜାର କରି ଚାଷୀଙ୍କୁ ବର୍ଦ୍ଧିତ ଦର ରେ ବିକ୍ରି କରୁଥିବା ଅଭିଯୋଗ ପରେ ସାର ବିକ୍ରି ପାଇଁ ତାଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ଜଣାପଡିଛି। ଡିଲର ଜଣକ ୟୁରିଆ ସାରର କଳାବଜାର କରିବା ସହ ଚାଷୀ ଙ୍କୁ ବେଆଇନ ଭାବେ ଚଢା ଦରରେ ବିକ୍ରୀ କରି ଶୋଷଣ କରୁଥିଲେ । ୟୁରିଆ ସାର ପ୍ୟାକେଟ ର ସରକାରୀ ଦର ୨୬୬ ଟଙ୍କା ୫୦ ପଇସା ରହିଥିବା ବେଳେ ଡିଲର ଜଣକ ପ୍ୟାକେଟ ପିଛା ୫ ଶହ ଟଙ୍କାରେ ବିକ୍ରୀ କରୁଥିଲେ । ଯାହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ସୋମବାର ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ସିପକ କୁମାର ପାତ୍ର ଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ । ଚାଷୀମାନଙ୍କ ଅଭିଯୋଗ ପରେ ତହସିଲଦାର ଏବଂ ଦିଗପହଣ୍ଡି ବ୍ଲକ ସହକାରୀ କୃଷି ଅଧିକାରୀ ପଦାରବିନ୍ଦ ସାହୁ ସାର ଗୋଦାମରେ ଚଢାଉ କରି କାଗଜପତ୍ର ଯାଞ୍ଚ କରିବା ରୁ ଅନିୟମିତତା ଧରାପଡ଼ିଥିଲା। ତହସିଲଦାର ଙ୍କ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ଼ ଚିଠି ନଂ ୧୯୬/୨୨ ପ୍ରକାରେ ଡିଲର ଙ୍କ ସାର ବିକ୍ରି ଲାଇସେନ୍ସ ରଦ୍ଦ କରାଯାଇଥିବା ସୂଚନା ମିଳିଛି । ଏଥିସହ ସାର ଗୋଦାମରେ ଚାଷୀମାନଙ୍କୁ ବିକ୍ରି ନିମନ୍ତେ ଗଚ୍ଛିତ ଥିବା ୬୫୦ ପ୍ୟାକେଟ ୟୁରିଆ ଓ ୨୦ ପ୍ୟାକେଟ ଗ୍ରୋମର ସାର ଜବତ କରାଯାଇଥିବା ଜଣାପଡିଛି ।


