ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ୨୪ରେ ଯୁବ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର, ଖୋର୍ଦ୍ଧା ପକ୍ଷରୁ ସେପ୍ଟେମ୍ବର ୨୪ ତାରିଖରେ ପାଳନ ହେବାକୁ ଯାଉଛି ଯୁବ ଉତ୍ସବ କାର୍ଯ୍ୟକ୍ରମ । ସୂଚନାଯୋଗ୍ୟ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶର ପ୍ରତି ରାଜ୍ୟରେ ରହିଥିବା ପ୍ରତିଟି ଜିଲ୍ଲାରେ ଏହି ଯୁବ ଉତ୍ସବ କାର୍ଯ୍ୟକ୍ରମ ପାଳନ କରାଯିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ପାଇଁ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ଉପକଣ୍ଠ ମଦନପୁରସ୍ଥିତ ଇଞ୍ଜିନିୟରିଂ କଲେଜ ନିସ୍ ପରିସରରେ ଏହା ପାଳନ ହେବା ଲାଗି ସ୍ଥିରୀକୃତ କରାଯାଇଛି । ଏହି ଉତ୍ସବରେ କେବଳ ଖୋର୍ଦ୍ଧା ଜିଲ୍ଲାର ଯୁବକ ଯୁବତୀ, ଯୁବ ଅନୁଷ୍ଠାନ, କ୍ଲବ, ବିଦ୍ୟାଳୟ, ମହାବିଦ୍ୟାଳୟର ଇତ୍ୟାଦିର ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇପାରିବେ । ସେମାନଙ୍କ ମଧ୍ୟରେ ରହିଥିବା ବିଭିନ୍ନ ପ୍ରତିଭା ଓ ସୃଜନଶୀଳତାର ବିକାଶ ଲାଗି ଭିନ୍ନ ଭିନ୍ନ ପ୍ରତିଯୋଗିତା ଯଥା ତର୍କ, ଚିତ୍ରକଳା, କବିତା ପାଠ, ଫଟୋଗ୍ରାଫି, ଓଡ଼ିଶୀ ନୃତ୍ୟ, ଯୁବ ସମ୍ବାଦ ଇତ୍ୟାଦି ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି । କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସବରେ ଓଡ଼ିଶାର ମାନ୍ୟଗଣ୍ୟ ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଦ୍ୱାରା ସମ୍ମାନିତ କରାଯିବ । ଉକ୍ତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଇଚ୍ଛୁକ ଯୁବକ ଯୁବତୀ ଚାହୁଁଥିଲେ ସେମାନେ ଭୁବନେଶ୍ୱର ନୟାପଲ୍ଲୀ ୭୧ ଭିଆଇପିସ୍ଥିତ ନେହେରୁ ଯୁବକେନ୍ଦ୍ର ସହ ସିଧାଳସଲଖ ଯୋଗାଯୋଗ କରିବା ଲାଗି କେନ୍ଦ୍ରର ଯୁବ ଅଧିକାରୀ ବିପିନ୍ କୁମାର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।