ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି : ୟାସୀର ନୱାଜ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜଙ୍କ ନେତୃତ୍ୱରେ ପ୍ରଦେଶ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ଚାରିବର୍ଷ ଧରି ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନକୁ ପୁନଃ କରାଯିବା ପ୍ରସଙ୍ଗରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଥଥିଲେ । ଶ୍ରୀ ନୱାଜ ତାଙ୍କ ସ୍ମାରପତ୍ରରେ ଉଲ୍ଲେଖ କରିଥିଲେ ଯେ, କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଇ ଓଡ଼ିଶା ସରକାରଙ୍କର ଶିକ୍ଷା ବିଭାଗ ୪ ବର୍ଷ ହେଲା ନିର୍ବାଚନ ବନ୍ଦ ରଖିଛି । ନିର୍ବାଚନ ବନ୍ଦ ହେବା ଦ୍ୱାରା ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ ନାନାଦି ଛାତ୍ର ସ୍ୱାର୍ଥ ସମ୍ବଳିତ ସମସ୍ୟା ସୃଷ୍ଟି ହେଉଛି । ଏହି ସମସ୍ୟାକୁ ସମାଧାନ କରିବା ଦିଗରେ ସରକାର ଉଦାସୀନ ରହୁଛନ୍ତି । ପ୍ରତିବାଦ କରିବା ପାଇଁ କେହି ନାହିଁ । ଛାତ୍ରମାନେ ସେମାନଙ୍କର ବିଭିନ୍ନ ଅଧିକାର ପ୍ରାପ୍ତ ହେବାରୁ ବଞ୍ôଚତ ହେଉଛନ୍ତି । ସରକାର ନିଜର ଅପାରଗତାକୁ ଲୁଚାଇବା ପାଇଁ ନିର୍ବାଚନ ବନ୍ଦ କରିଛନ୍ତି ବୋଲି ପ୍ରମାଣିତ ହେଉଛି । ନିର୍ବାଚନ ହେଲେ ଛାତ୍ର ସଂସଦର ନିର୍ବାଚିତ ପ୍ରତିନିଧିମାନେ ସରକାରଙ୍କ ଉଦାସୀନତା ବିରୋଧରେ ପ୍ରତିବାଦ କରିବେ । ଏଣୁ ବିରୋଧୀ ଦଳର ମୁହଁ ବନ୍ଦ ରଖିବା ପାଇଁ ଏବଂ ବିରୋଧୀ ଦଳରେ ଛାତ୍ରନେତା ସୃଷ୍ଟି ନ କରିବା ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସରକାର ବିଧିବଦ୍ଧ ଷଡ଼ଯନ୍ତ୍ର କରି ନିର୍ବାଚନ ବନ୍ଦ କରିଛନ୍ତି । ଯାହାଫଳରେ କ୍ୟାମ୍ପସ ଅସୁରକ୍ଷିତ ରହିଥିବା ବେଳେ କେହି ମୁହଁ ଖୋଲିପାରୁ ନାହାଁନ୍ତି । ଯେଉଁ ଛାତ୍ରନେତା ମୁହଁ ଖୋଲୁଛନ୍ତି ସେମାନଙ୍କୁ ପୋଲିସ୍ ବଳ ଲଗାଇ ଭୟଭୀତ କରାଯାଉଛି ଏବଂ ମିଥ୍ୟା କେସ୍ ଲଗାଇ ଗିରଫ କରାଯାଉଛି । ଜାଲ ସାର୍ଟିଫିକେଟ ମାଧ୍ୟମରେ ରାଜ୍ୟ ସାରା ବିଭିନ୍ନ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ୱିଦ୍ୟାଳୟ ମାନଙ୍କରେ ଆଡ଼ମିଶନ ଚାଲିଛି । ଏଥିରେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଶାସକ ଦଳର ଯୁବଛାତ୍ର ଓ ବରିଷ୍ଠ ନେତା ସମ୍ପୃକ୍ତ ଥିବାବେଳେ ସରକାରଙ୍କ ତଦନ୍ତ ଏକ ଭେଳିକିରେ ପରିଣତ ହୋଇଛି । ଶିକ୍ଷାନୁଷ୍ଠାନ ମାନଙ୍କରେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯେଉଁ ସରକାରୀ ଅନୁଦାନ ଯାଉଛି ତାହା ବାଟମାରଣା ହେଉଛି । କଲେଜ କ୍ୟାମ୍ପସ ଭିତରେ ନିଶା କାରବାର ଏବଂ ଅସାମାଜିକ ଯୁବକମାନଙ୍କର ଦୌରାତ୍ମ୍ୟ ବଢୁଛି । କଲେଜ ଫି ବଢୁଛି, ଘରୋଇ ଶିକ୍ଷାନୁଷ୍ଠାନର ମାଲିକମାନେ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କର ତଣ୍ଟିଚିପି ଅର୍ଥ ଆଦାୟ କରୁଛନ୍ତି ମାତ୍ର ସରକାର ନୀରବ ରହୁଛନ୍ତି । ଶିକ୍ଷାର ଘରୋଇକରଣକୁ ଉତ୍ସାହିତ କରୁଛନ୍ତି । ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ସରକାରୀ ଡିଗ୍ରୀ କଲେଜରେ ୧୦୩୬ଟି ଅଧ୍ୟାପକ ପଦ ଖାଲି ପଡ଼ିଛି ଯାହାକି ସମୁଦାୟ ପଦର ୪୫ ପ୍ରତିଶତ । ସେହିପରି ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ୨୦୧୭ ଅଧ୍ୟାପକ ପଦ ଖାଲି ପଡ଼ିଛି । ସରକାରୀ ଡିଗ୍ରୀ କଲେଜରେ ୧୬୯୧ ନନ୍‌ଟିଚିଂ ଷ୍ଟାଫ ଏବଂ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ୩୦୭୩ଟି ନନ୍‌ଟିଚିଂ ଷ୍ଟାଫ ପଦବୀ ଖାଲି ପଡ଼ିଛି । ୧୨୦୦ ଡିଗ୍ରୀ କଲେଜରେ ସ୍ଥାୟୀ ପ୍ରିନ୍ସିପାଲ ନାହାଁନ୍ତି । ୪୯ଟି ସରକାରୀ ଡିଗ୍ରୀ କଲେଜରେ ମଧ୍ୟ ଅସ୍ଥାୟୀ ପ୍ରିନ୍ସପାଲ କାମ କରୁଛନ୍ତି । ୟୁଜିସି କମିଶନର ତଥ୍ୟ ଅନୁଯାୟୀ ଦେଶରେ ଅତିମାତ୍ରା ର‌୍ୟାଗିଂ ହେଉଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନିତ । ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷରେ ୬୦ଟି ର‌୍ୟାଗିଂ ଘଟଣା ଦୃଷ୍ଟିଗୋଚର ହୋଇଛି । ସିଏଜିଙ୍କ ରିପୋର୍ଟ ଅନୁଯାୟୀ ଉତ୍କଳ ୟୁନିଭରସିଟିରେ ୩୮ ପ୍ରତିଶତ ଏବଂ ଉତ୍ତର ଓଡ଼ିଶା ୟୁନିଭରସିଟରେ ୩୪ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି । ଉଚ୍ଚଶିକ୍ଷା ବିଭାଗରେ ଶିକ୍ଷକ ଛାତ୍ର ଅନୁପାତ ୨୦:୧ ରହିବା କଥା ମାତ୍ର ତାହା ସ୍ୱପ୍ନରେ ପରିଣତ ହୋଇଛି । ସବୁଠୁ ଦୁଃଖ ଏବଂ ଆଶ୍ଚର୍ଯ୍ୟର ବିଷୟ ହେଲା ଶାସକ ଦଳ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ନିର୍ବାଚନ ନକରାଇ ସେଠାରେ କ୍ୟାମ୍ପସ କମିଟି ଗଠନ କରୁଛନ୍ତି । ଗଣମାଧ୍ୟମରେ ଶାସକ ଦଳ ତରଫରୁ କୁହାଯାଉଛି ଯେ, ତାଙ୍କ କ୍ୟାମ୍ପସ କମିଟିର ପ୍ରତିନିଧିମାନେ ନିର୍ବାଚିତ ପ୍ରତିନିଧି ଭଳି କାମ କରିବେ । ଏହାର ଅର୍ଥ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ହାତରେ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ସମର୍ପିତ କରିବାର ଉଦ୍ଦେଶ୍ୟ ରହୁଛି । ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଉଣଛି ଯେ, ଏ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରି ନ ଦିଆଯାଉ । ୪ ବର୍ଷ ଧରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ବନ୍ଦ ରଖିଥିବା ଛାତ୍ର ସଂସଦ ନିର୍ବାଚନକୁ ଯଥାଶୀଘ୍ର ପୁନଃ ଆରମ୍ଭ କରିବାକୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସୀର ନୱାଜ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ୱାଳ, ନିହାର ବେହେରା, ସାଗର ପଟ୍ଟନାୟକ, ସୁରଥ ରାଉତ, ବିଶ୍ୱଭୂଷଣ ମହାପାତ୍ର, ବିଭୂତି ଭୂଷଣ ମହାପାତ୍ର, ରାଜଲକ୍ଷ୍ମୀ ସାହୁ, ସମିଉଲ ହକ୍‌, ନିଆଜୁଲ ଇସଲାମ, ଉଦିତ ପ୍ରଧାନ, ଅରମାନ ଜେନା, ଅନନ୍ତ ସାମନ୍ତରାୟ ଓ ସମସୀର ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ