ଗୁଜରାଟର ଏକମାତ୍ର ଓଡ଼ିଆ ହସପିଟାଲକୁ ପରିଦର୍ଶନ କଲେ ଶ୍ରମ ମନ୍ତ୍ରୀ

ପୋଲସରା, (ଅନିଲ କୁମାର ମହାରଣା):ଓଡ଼ିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟ ଗତ ୨୩ ତାରିଖ ସନ୍ଧ୍ୟାରେ ଗୁଜରାଟର ସୁରତ ସହରରେ ପହଞ୍ଚିଥିଲେ। ସୁରାଟ ବିମାନ ବନ୍ଦରରେ ମନ୍ତ୍ରୀ ଶ୍ରୀ ସାହୁ ପହଞ୍ଚିବା ପରେ ପ୍ରବାସି ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଟ୍ରଷ୍ଟର ଆଇନ ପରାମର୍ଶ ଦାତା ସ୍ଵାତୀ ରାଖଣ୍ଡ, ଅଫିସ ସମ୍ପାଦକ ଜୟରାମ ଦଳେଇ, ପ୍ରଦୀପ ସାହୁ, ମନୋରଞ୍ଜନ ବାରିକଙ୍କ ସମେତ ହଜାର ହଜାର ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ବୃନ୍ଦ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ। ସୁରାଟ ସର୍କିଟ ହାଉସରେ ମନ୍ତ୍ରୀଙ୍କ ରାତ୍ର ରହଣି ସମୟରେ ମଧ୍ୟ ବହୁ ପ୍ରବାସୀ ଓଡ଼ିଆ ସମାଜର ନେତୃ ସ୍ଥାନୀୟ ବ୍ୟକ୍ତି ମନ୍ତ୍ରୀଙ୍କୁ ଭେଟିଥିଲେ। ସେପ୍ଟେମ୍ବର ୨୪ ତାରିଖ ପୂର୍ବାହ୍ନରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ସୁରାଟରେ ପ୍ରତିଷ୍ଠିତ ଓଡ଼ିଆ ଶିକ୍ଷାନୁଷ୍ଠାନ, ବେଡ଼ ରୋଡର ସରସ୍ୱତୀ ଶିଶୁ ମନ୍ଦିର, ପାଣ୍ଡେସରାର ଶିଶୁ ମନ୍ଦିର, ସ୍ୱାମୀ ନାରାୟଣ ନଗରର ଶ୍ରୀ ସରସ୍ୱତୀ ଶିଶୁ ମନ୍ଦିର, ଆମ୍ବା ନଗରର ଓଡିଶା ଉଚ୍ଚ ବିଦ୍ୟାପୀଠ, ଏବଂ ଆମ୍ବା ନଗର ଓ କୃଷ୍ଣ ନଗର ସରକାରୀ କାର୍ଯ୍ୟାଳୟକୁ ପରିଦର୍ଶନ କରିଥିଲେ। ଅପରାହ୍ନରେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଗୁଜରାଟର ଏକମାତ୍ର ଓଡ଼ିଆ ଡାକ୍ତରଖାନା କେ.ଡି. ନୁପୁର ଜେନେରାଲ ହସପିଟାଲ ପରିଦର୍ଶନରେ ଯାଇଥିଲେ। ଏହି ଓଡ଼ିଆ ହସପିଟାଲରେ ହାର୍ଟ ଓ ଚକ୍ଷୁ ରୋଗ ବ୍ୟତୀତ ଅନ୍ୟ ସମସ୍ତ ରୋଗ ପାଇଁ ଚିକିତ୍ସା ଓ ଅସ୍ତ୍ରୋପଚାର ହୋଇ ରୋଗୀମାନେ ଉପକୃତ ହେଉଛନ୍ତି। ମନ୍ତ୍ରୀ ମହୋଦୟ ହସପିଟାଲର ବିଭିନ୍ନ ବିଭାଗ ପରିଦର୍ଶନ ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀମାନେ ମାଗଣା ଓ ଉତ୍ତମ ଚିକିତ୍ସା ପାଇ ଭଲ ହୋଇପାରିଥିବା ପ୍ରକାଶ କରିଥିଲେ। କେ.ଡି. ନୁପୂର ଜେନେରାଲ ହସପିଟାଲର ମେନେଜିଙ୍ଗ ଡ଼ାଇରେକ୍ଟର ତଥା ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ର ସଭାପତି ପ୍ରଦୀପ କୁମାର ସାହୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଦ୍ୱାରା ଶହ ଶହ ରୋଗୀ ବିନାଦେୟରେ ଚିକିତ୍ସା ହୋଇ ଭଲ ହୋଇଥିବା ପ୍ରକାଶ କରିଥିଲେ। ଏମଡି ଶ୍ରୀ ସାହୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ମନ୍ତ୍ରୀ ଶ୍ରୀ ସାହୁ ସମସ୍ତ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ କହିଥିଲେ ଯେ ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ ମାଧ୍ୟମରେ ଓଡିଶା ସରକାରଙ୍କ ସମସ୍ତ ସ୍ଵାସ୍ଥ୍ୟ ସୁବିଧା ଓଡ଼ିଆ ସ୍ୱାସ୍ଥ୍ୟ କେନ୍ଦ୍ର କେ.ଡି. ନୁପୂର ଜେନେରାଲ ହସପିଟାଲରେ ପାଇ ପାରୁଥିବା ବେଳେ ତାହାର ସୁଯୋଗ ନେବାକୁ ପରାମର୍ଶ ପ୍ରଦାନ କରିଥିଲେ। କେଡି ନୁପୁର ହସପିଟାଲର ଚିକିତ୍ସା ବ୍ୟବସ୍ଥା ଦେଖି ମନ୍ତ୍ରୀ ଶ୍ରୀ ସାହୁ ସନ୍ତୋଷ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ