ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କର୍ତ୍ତୃପକ୍ଷଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ପ୍ରତିବାଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ସଡ଼କ ପରିବହନକୁ ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପରେ ଏହି ସଂସ୍ଥାର ଅନେକ କ୍ଷେତ୍ରରେ ଯଥା ଶ୍ରମିକ କର୍ମଚାରୀଙ୍କ ସମସ୍ୟା ସମାଧାନରେ ତତ୍ପରତା, ଗାଡ଼ି ଓ ଉପରକଣ କିଣାରେ ସ୍ୱଚ୍ଛତା, କର୍ମଚାରୀ ଓ ଶ୍ରମିକମାନଙ୍କର ସମୟାନୁବର୍ତ୍ତିତା ଓ ସର୍ବୋପରି ଜନସାଧାରଣ ସେବାରେ ସମସ୍ତ ପ୍ରକାର ଉତ୍ସର୍ଗୀକୃତ ମନୋଭାବ ସାଧାରଣରେ ଏହି ଅନୁଷ୍ଠାନ ପ୍ରତି ବିଶ୍ୱାସ ସୃଷ୍ଟି କରିଥିଲା । କିନ୍ତୁ ପରିତାପର ବିଷୟ ଶ୍ରୀଯୁକ୍ତ ଷଡ଼ଙ୍ଗୀଙ୍କ ଭଳି ସାଧୁ ଓ କୁଶଳୀ ପ୍ରଶାସକଙ୍କ ବଦଳି ପରେ ଅନୁଷ୍ଠାନର “ଯଥାପୂର୍ବଂ ତଥାପରଂ” ଅବସ୍ଥା ସୃଷ୍ଟି ହୋଇଛି । ଅସାଧୁ ଉପାୟରେ ତଳିଆ କର୍ମଚାରୀ ବିଶେଷକରି ଡ୍ରାଇଭର ଓ କଣ୍ଡକ୍ଟରମାନଙ୍କ ଠାରୁ ବଟି ଆଦାୟ, ନ ଦେଇପାରିଲେ କାର୍ଯ୍ୟରୁ ଅନ୍ତର, ଗାଡ଼ି ଓ ଉପକରଣ କିଣାରେ ଅସାଧୁତା ଫଳରେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ଘଟିବା ଯୋଗୁ ରାଜ୍ୟ ସଡ଼କ ପରିବହନ ନିଗମର ରୁଗ୍‌ଣ ଅବସ୍ଥା ଅଧିକ ଘନିଭୂତ ହୋଇ ଏକ ଅଚଳ ଅବସ୍ଥା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ନିଗମ କର୍ମଚାରୀମାନଙ୍କର ସଂଘର ପ୍ରତିନିଧିମାନଙ୍କ ବିରୁଦ୍ଧରେ ମିଥ୍ୟା କେସ୍ କରି ହଇରାଣ ହରକତ କରିବା ସହ ଆଲୋଚନାକୁ ବାରମ୍ବାର କର୍ତ୍ତୃପକ୍ଷ ଏଡ଼ାଇ ଚାଲିଛନ୍ତି । ପ୍ରକାଶଥାଉକି, ତା ୨୦.୦୯.୨୦୨୨ରେ ନିଗମର ଚିଠି ସଂଖ୍ୟା ୧୭୮୬ରେ ସଂଘର ପ୍ରତିନିଧିଙ୍କୁ ଆଜି ତା ୨୭.୦୯.୨୦୨୨ରେ ଆଲୋଚନାକୁ ଡ଼ାକି ଆଲୋଚନା କରିବା ବଦଳରେ ଖରାପ ବ୍ୟବହାର କରି ଫେରାଇବା କର୍ତ୍ତୃପକ୍ଷଙ୍କ ପରିଚାଳାନର ଅନଭିଜ୍ଞତାକୁ ସ୍ପଷ୍ଟ କରୁଛି । ସଂଘର ସାଧାରଣ ସମ୍ପାଦକ ଶ୍ରୀ କାଳୁଚରଣ ଗୌଡ଼, ସହ ସମ୍ପାଦକ ଶ୍ରୀ ସର୍ବେଶ୍ୱର ନାଥ, ଉପଦେଷ୍ଟା ସର୍ବଶ୍ରୀ ପ୍ରଶାନ୍ତ କୁମାର ରାଉତ, ସୁଶାନ୍ତ କୁମାର କର, କର୍ମଚାରୀ ସଂଗ୍ରାମ ସମିତିର ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ କୁମାର ରାଉତରାୟ ପ୍ରମୁଖଙ୍କୁ ଏହି ବ୍ୟବହାରର ସମ୍ମୁଖୀନ ହେବାକୁ ପଡିଛି । ନିଗମର କର୍ତ୍ତୃପକ୍ଷ ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି କର୍ମଚାରୀମାନଙ୍କ ସମସ୍ୟାକୁ ସମାଧାନ କରିବାର ପଦକ୍ଷେପ ନିଅନ୍ତୁ ଅଥବା କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ