ବାଲେଶ୍ୱରରୁ ଗଲା ସଂଗ୍ରାମ ସ୍ଥଳ ମାଟି ଓ ପୁଣ୍ୟନଦୀର ଜଳ
ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ୱରରେ ହେବାକୁ ଥିବା ଅହିଂସା ରଥ ପରିକ୍ରମା ଉଦଯାପନ କାର୍ଯ୍ୟକ୍ରମ ପାଇଁ ବାଲେଶ୍ୱରରୁ ସଂଗ୍ରାମସ୍ଥଳରୁ ମାଟି ଓ ପୁଣ୍ୟତୋୟା ନଦୀର ଜଳ ପ୍ରେରଣ କରାଯାଇଛି ।ଏକ ସ୍ୱତନ୍ତ୍ର ଗାଡ଼ିରେ ବାଲେଶ୍ୱରର ଶହୀଦ ବାଘାଯତୀନ ଓ ସାଥୀଙ୍କ ସଂଗ୍ରାମ ପୀଠ ଦେଶୁଆଁ ପୋଖରୀ ଏବଂ ଲବଣ ସତ୍ୟାଗ୍ରହ ସ୍ମୃତିପୀଠ ଇଞ୍ଚୁଡ଼ିରୁ ମାଟି ସହ ୪ଗୋଟି କଳସରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ଓ ସୋନ ପ୍ରଭୃତି ନଦୀର ଜଳକୁ ଭୁବନେଶ୍ୱର ଅଭିମୁଖେ ପ୍ରେରଣ କରାଯାଇଛି । ଗାଡ଼ିରେ ସଂଗୃହୀତ ମୃତ୍ତିକା ଓ ପୁଣ୍ୟଜଳ କଳସ ରଖି ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ରଖି ବିଦାୟ ଦେଇଥିଲେ । ଯାତ୍ରା ଶୁଭାରମ୍ଭ ବେଳେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ସାଙ୍ଗକୁ ମୁକ୍ତି ସଂଗ୍ରାମରେ ଓଡ଼ିଶାର ଅବଦାନକୁ ମନେପକାଇବା ତଥା ଜାତିରପିତା ମହାତ୍ମାଗାନ୍ଧୀଙ୍କ ଅହିଂସା ନୀତିକୁ ଉଜ୍ଜୀବିତ ସହ ବ୍ୟାପକ ପ୍ରଚାର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୫ ତାରିଖରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିଲା ଅହିଂସା ରଥ ପରିକ୍ରମା । ଏହା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ୱରରେ ଉଦଯାପିତ ହେବ । ଏନେଇ ରାଜ୍ୟର ସବୁ ଜିଲାର ସଂଗ୍ରାମସ୍ଥଳରୁ ମୃତ୍ତିକା ଓ ନଦୀର ଜଳ ରାଜଧାନୀ ପଠାଯାଉଥିବା ବେଳେ ବାଲେଶ୍ୱରରୁ ମଧ୍ୟ ପ୍ରଶାସନ ପକ୍ଷରୁ ଅନୁରୂପ ପଦକ୍ଷେପ ୠ୍ରହଣ କରାଯାଇଛି ।


