ଆଜି ପାଳିତ ହେବ ଆସିକା ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ
ଆସିକା (ୱାଇଏନ୍ଏସ୍): ଆସିକା ଅଞ୍ଚଳରେ ଉଚ୍ଚ ଶିକ୍ଷାର ବାର୍ତ୍ତାବହ ସାଜିଥିବା ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ଆସନ୍ତାକାଲି ଅର୍ଥାତ୍ ରବିବାର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଭୁତି ଭୂଷଣ ବେବର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି। ଆସିକା ବିଜ୍ଞାନ ମହାବିଦ୍ୟାଳୟ ଆସନ୍ତାକାଲି ତାର ୫୯ତମ ପ୍ରତିଷ୍ଠା ଦିବସ ପାଳନ କରି ଆଉ କିଛି ବର୍ଷ ପରେ ହୀରକ ଜୟନ୍ତୀ ଅଭିମୁଖେ ଅଗ୍ରସର ହେବାକୁ ଥିବା ବେଳେ ଏହି ଶିକ୍ଷାନୁଷ୍ଠାନକୁ ଆସିକା ଅଞ୍ଚଳରେ ପ୍ରତିଷ୍ଠା କରିବା ଦିଗରେ ପୂର୍ବତନ ବିଧାୟକ ହରିହର ଦାଶ ଓ ଦୁତୀକୃଷ୍ଣ ପଣ୍ଡା, ଜଷ୍ଟିସ୍ ବାସୁଦେବ ପାଣିଗ୍ରାହୀ, ଶିକ୍ଷାବିତ୍ ଚନ୍ଦ୍ରଶେଖର ମିଶ୍ର, ଡାତ୍ତର କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମବାୟବିତ୍ ସୋମନାଥ ଦାଶ, ପୂର୍ବତନ ମନ୍ତ୍ରୀ ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କିଛି ଶିକ୍ଷାବିତ୍, ସଚେତନ ନାଗରିକ ମାନଙ୍କୁ ନେଇ ଏକ ମହାବିଦ୍ୟାଳୟ ସ୍ଥାପନ କରିବାକୁ ଯେଉଁ ପରିକଳ୍ପନା କରାଯାଇଥିଲା ତାହା ୧୯୬୮ ମସିହା ଜୁଲାଇ ମାସ ୧୨ ତାରିଖରେ ସାକାର ରୂପ ନେଇଥିଲା । ଆସିକା ବିଜ୍ଞାନ ମହାବିଦ୍ୟାଳୟର ବିଗତ ୫୮ ବର୍ଷର ସ୍ୱର୍ଣ୍ଣିମ ଇତିହାସରେ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହୋଇଥିଲା ବେଳେ ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାରେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିିନି ପାଠ୍ୟକ୍ରମରେ ପ୍ରାୟ ୨୮ ଶହରୁ ଉଦ୍ଦ୍ୱର୍ ବିଦ୍ୟାର୍ଥୀଙ୍କୁ ପାଠପଢା ଯାଉଛି । ଛାତ୍ର ଛାତ୍ରୀ ମାନେ ଯେତେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହେଲେ ମଧ୍ୟ ସବୁ ସମୟରେ ମନେ ପଡିଥାଏ ପିଲାଦିନର ସେହି ବିଦ୍ୟାଳୟ କଥା । ବିଦ୍ୟାଳୟ ଦେଇଥାଏ ବିଦ୍ୟାର୍ଥୀଙ୍କ ପରିଚୟ । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଭୁତି ଭୂଷଣ ବେବର୍ତ୍ତାଙ୍କ ଅହରହ ପ୍ରଚେଷ୍ଟା ସାଙ୍ଗକୁ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଉଚ୍ଚ ଶିକ୍ଷାର ବିକାଶ ସକାଶେ ସୁଦୂର ପ୍ରସାରୀ ପରିକଳ୍ପନା ଯୋଗୁଁ ସଂପ୍ରତି ଏହି ଶିକ୍ଷାନୁଷ୍ଠାନରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଅଭିଜ୍ଞ ସ୍ଥାୟୀ ଓ ଅସ୍ଥାୟୀ ଅଧ୍ୟାପକ ଓ ଅଧ୍ୟାପିକା ଶିକ୍ଷାଦାନ କରୁଛନ୍ତି । ଆସିକା ବିଜ୍ଞାନ ମହାବିଦ୍ୟାଳୟରୁ କଲେଜ ଶିକ୍ଷା ସମାପ୍ତ କରି ପରବର୍ତ୍ତୀ ସମୟରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ବହୁ ବିଦ୍ୟାର୍ଥୀ ବିଭିନ୍ନ ସମୟରେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ନାମ କମାଇ ଶିକ୍ଷାନୁଷ୍ଠାନ ତଥା ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିପାରିଥିବା ନଜିର ରହିଛି । ଏହି ଶିକ୍ଷାନୁଷ୍ଟନରୁ ପାଠପଢି ହୃଷିକେଶ ପାଣିଗ୍ରାହୀ, ଟି.ଭି.ଭାସ୍କର ରାଓ, ତାରାପ୍ରସାଦ ମିଶ୍ର, ଡଃ ଅନିଲ୍ ମିଶ୍ର, ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ଡଃ ରାଧାମାଧବ ତ୍ରିପାଠୀ, ରାଧାନାଥ ରଥ, ଦେବରାଜ ମହାନ୍ତି, ଡଃ କମଳାକାନ୍ତ ପାଣିଗ୍ରାହୀ, ସୁରେଶ୍ ମହାପାତ୍ର, ବାୟାମନୁ ଚର୍ଚ୍ଚି, ଶ୍ରୀମତୀ ଜୟନ୍ତୀ ପଢିଆରୀ, ଇଂ ପ୍ରତାପ ସିଂ ମିଶ୍ର, ଡଃ ସୁଜାତା ରାଣୀ ମିଶ୍ର, ଡଃ ସୁନିଲ୍ ଦାଶ, ଡଃ ଅନିଲ୍ ଦାଶ, ଅକ୍ଷୟ କୁମାର ଚୌଧରୀ, ସତ୍ୟଜିତ୍ ପଟ୍ଟନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ପ୍ରଦୋଶ ରଥ, ଅରୁଣ କୁମାର ପଣିଗ୍ରାହୀ, ଇ.ଅରୁଣ କୁମାର ପାତ୍ର, ପ୍ରଶାନ୍ତ କୁମାର ପଣ୍ଡା, କେ.ସନ୍ତୋଷ କୁମାର ସେନାପତି, କେ.ଦୀପକ କୁମାର ସେନାପତି, କେ.କିଶୋର କୁମାର ସେନାପତି, କେ.ଆରତୀ ସେନାପତି, ପୁଷ୍ପାଞ୍ଜଳୀ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡଃ ନିରାକାର ପାଢୀ, ସରୋଜ କୁମାର ପଣ୍ଡା, ବିଭୁତି ଭୂଷଣ ବର୍ତ୍ତା, ଏମ୍.ତାରିଣୀ ସେନାପତି, ବି.ମନୋଜ କୁମାର ଦୋରା, ସୁରେନ୍ଦ୍ର କୁମାର ପାତ୍ର, ଅଶୋକ କୁମାର ପାଢୀ, ଦେବୀ ପ୍ରସାଦ ରଥ, ସୁବାସ ଚନ୍ଦ୍ର ପାତ୍ର, ଅଜିତ୍ କୁମାର ଚୌଧରୀ, ବିଦେଶୀ ନାହାକ, ରାଘବ କୁମାର ନାହାକଙ୍କ ସମେତ ବହୁ ବିଦ୍ୟାର୍ଥୀ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ନଜିର୍ ରହିଛି। ସାଂପ୍ରତିକ ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କୁ କମ୍ପ୍ୟୁଟର୍ ଶିକ୍ଷା ଦେବା ଲାଗି ଆସିକା ବିିଜ୍ଞାନ ମହାବିଦ୍ୟାଳୟରେ ସ୍ଥାପନ ହୋଇଛି ଆଇଟି କମ୍ପ୍ୟୁଟର୍ ଲ୍ୟାବ୍ । ସ୍କାଉଟ୍ ଓ ଗାଇଡ୍ କମ୍ପାନୀ ଆରମ୍ଭକରି ଏନସିସି, ଏନଏସଏସ ଓ ଯୁବ ରେଡକ୍ରସ ଏହି ପୁରାତନ ଶିକ୍ଷାନୁଷ୍ଠାନର ଗର୍ବ ଓ ଗୌରବ ହୋଇଥିଲା ବେଳେ ଛାତ୍ରଛାତ୍ରୀମାନେ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ବହୁବିଧ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଥିବା ନଜିର ବି ରହିଛି। ଆସିକା ବିଜ୍ଞାନ ମହାବିଦ୍ୟାଳୟର ଆସନ୍ତାକାଲି ତାର ୫୯ ତମ ପ୍ରତିଷ୍ଟା ଦିବସ ପାଳନ କରିବା ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଶିକ୍ଷାନୁଷ୍ଠାନ ପରିସର ନବବଧୂ ପରି ସଜାଇ ହୋଇଛି । ତେବେ ଏହି ପୁରାତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାର ଦୀର୍ଘ ୫୮ ବର୍ଷ ପରେ ବି ଲାଗି ରହିଛି ଅନେକ ସମସ୍ୟା, ଯାହା ଅବର୍ଣ୍ଣନୀୟ । ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବିଭିନ୍ନ ପାଠ୍ୟକ୍ରମରେ ବହୁ ସ୍ଥାୟୀ ଅଧ୍ୟାପକ ପଦବୀ ଦୀର୍ଘଦିନ ଧରି ଖାଲି ପଡିଥିବା ଯୋଗୁଁ ଛାତ୍ର ଛାତ୍ରୀଙ୍କ ପାଠପଢାରେ ନାନା ସମସ୍ୟା ସୃଷ୍ଟି ହେଉଥିବା ଆଲୋଚିତ ହେଉଛି । ଆସିକା ଅଞ୍ଚଳର ଗର୍ବ ଓ ଗୌରବ ରୂପେ ପରିଚିତ ଥିବା ବିଜ୍ଞାନ ମହାବିଦ୍ୟାଳୟରେ ଖାଲି ପଡିଥିବା ସ୍ଥାୟୀ ଅଧ୍ୟାପକ ପଦବୀ ପୂରଣ ସାଙ୍ଗକୁ ଖେଳପଡିଆର ସୀମା ନିର୍ଦ୍ଧାରଣ ଏବଂ ଛାତ୍ର/ଛାତ୍ରୀ ନିବାସ ନିର୍ମଣ କରିବା ସାଂପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ହୋଇପଡିଛି ବୋଲି ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି ।


