ପଟ୍ଟାମୁଣ୍ଡାଇ ତହସିଲ ସରକାରୀ ଜମି ଜାଲିଆତି ଘଟଣା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବହୁ ଚର୍ଚ୍ଚିତ ପଟ୍ଟାମୁଣ୍ଡାଇ ସରକାରୀ ଜମି ଜାଲିଆତି ଅଭିଯୋଗର ଶୁଣାଣୀ କରିବାକୁ ପ୍ରଶାସନ ନୋଟିସ ପ୍ରଦାନ କରିଥିବା ସୂଚନା ମିଳିଛି । ଆସନ୍ତା ୧୮ତାରିଖ ପୂର୍ବାହ୍ନ ୧୧ଟାରେ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଅଭିଯୋଗର ଶୁଣାଣୀ କରାଯିବ ବୋଲି ପଟ୍ଟାମୁଣ୍ଡାଇ ତହସିଲଦାର ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟକୁ ଲିଖିତ ନୋଟିସ ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ସରକାରୀ ଜମି ସରକାରଙ୍କ ଖାତାକୁ ଫେରାଇ ଆଣାଯିବା ସହିତ ସେହି ଜାଲିଆତି ଘଟଣାରେ ସାମିଲ ଥିବା ପଟ୍ଟାମୁଣ୍ଡାଇ ତହସିଲର ପ୍ରାକ୍ତନ ତହସିଲଦାର, ପେସ୍କାର, ଅମିନ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରୀ ଆଚାର୍ଯ୍ୟ ତାଙ୍କର ଦିବାନିଶି ଧାରଣା ଗରାପୁର ଡାକବଙ୍ଗଳା ଛକ ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ପାଖରେ ଗତ ୩୧ଅଗଷ୍ଟରେ ଧାରଣା ଦେଇଥିଲେ । ଧାରଣା ଷଷ୍ଠ ଦିବସରେ ପହଞ୍ଚିଥିବା ବେଳେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ କୁମାର ସେଠୀ ଏବଂ କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ସେଠାରେ ପହଞ୍ଚି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପ୍ରଦାନ ପରେ ଶ୍ରୀ ଆଚାର୍ଯ୍ୟ ଧାରଣା ପ୍ରତ୍ୟାହୃତ କରିନେଇଥିଲେ । ଦାବି ମୁତାବକ ପ୍ରାୟ ୨ ଏକର ଜମି ଜାଲିଆତି ଘଟଣାରେ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତେରୋହି ଗ୍ରାମର କାଶୀନାଥ ଭୋଳ ସଂପୃକ୍ତ ଥିବା ସହିତ ସେହି ସରକାରୀ ଜମିକୁ ହାତେଇ ନେଇଥିବା ଦୁଷ୍ମନ୍ତ ଅଭିଯୋଗ କରିଥିଲେ । ସୂଚନା ଅଧିକାର ଅଭିଯାନ ସଦସ୍ୟ ଦୁଷ୍ମନ୍ତ ତଥ୍ୟ ପ୍ରମାଣ ଆଧାରରେ ଏହି ଜାଲିଆତି ଘଟଣା ସମ୍ପର୍କରେ ଦୁଇମାସ ତଳେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ପ୍ରାୟ ଦେଢମାସ ତଳେ ପଟ୍ଟାମୁଣ୍ଡାଇ ଥାନାରେ ମଧ୍ୟ ଏ ନେଇ ଲିଖିତ ଭାବେ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶାସନ ସେହି ଘଟଣାରେ ଦୋଷୀଙ୍କ ବିରୋଧରେ କୈାଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଗତ ୧ତାରିଖରେ ଓଡିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ଶ୍ରୀ ଆଚାର୍ଯ୍ୟ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କୁ ଭେଟି ଜମି ଜାଲିଆତି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ପୁନର୍ବାର ଧାରଣା ଦେବେ ବୋଲି ପ୍ରଶାସନକୁ ଲିଖିତ ଭାବରେ ଚେତାବନୀ ଦେଇଥିଲେ । ତେଣୁ ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ତହସିଲଦାର ପତ୍ର ସଂଖ୍ୟା – ୪୩୨୮ ତା୧୦/୧୦/୨୦୨୨ରିଖରେ ଶ୍ରୀ ଆଚାର୍ଯ୍ୟଙ୍କୁ ଜଣାଇଛନ୍ତି ଯେ ସେହି ତହସିଲର ଆର.ପି.କେଶ ନମ୍ବର ୪୭୪/୨୦୦୭ ଏବଂ ମିସ କେଶ ନମ୍ବର ୧୭/୨୦୧୧ ଉପରେ ସେ କରିଥିବା ଅଭିଯୋଗର ଶୁଣାଣୀ ଆସନ୍ତା ୧୮ତାରିଖ ପୂର୍ବାହ୍ନ ୧୧ଘଟିକା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରାଯିବ । ତେଣୁ ସେହି ଶୁଣାଣୀ ସମୟରେ ଆବଶ୍ୟକ କାଗଜାଦ ସହ ଉପସ୍ଥିତ ରହିବାକୁ ଶ୍ରୀ ଆଚାର୍ଯ୍ୟଙ୍କୁ ନୋଟିସ ପଟ୍ଟାମୁଣ୍ଡାଇ ତହସିଲଦାର ନୋଟିସ ଜାରି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ