ପ୍ରାଥମିକ ଶିକ୍ଷକମାନେ ହେଲେ ସରକାରଙ୍କ ସାବତ ପୁଅ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନରେ ଠିକା କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଠିକା ଯୁଗ ଶେଷ ହୋଇଛି । ଇନିସିଆଲ ଆପଇଣ୍ଟିଜ ମାନଙ୍କୁ ନିୟମିତ କରାଯିବ ଓ ସେମାନଙ୍କ ଠିକା ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀରେ ୬ଟି ଇନକ୍ରିମେଣ୍ଟ ଦେଇ ଗଣାଯିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଓଡ଼ିଶାର ଦାୟିତ୍ୱ ନେଲାବେଳେ ଆମ ରାଜ୍ୟରେ ଆର୍ଥିକ ସଙ୍କଟ ଦେଖା ଦେଇଥିଲା ଏବଂ ବର୍ତ୍ତମାନର ଓଡିଶାର ଆର୍ଥିକ ସଙ୍କଟ ନ ଥିବାରୁ ଠିକା ନିଯୁକ୍ତି ଉଚ୍ଛେଦ ହେଲା । କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ଆର୍ଥିକ ସଙ୍କଟ ସମୟରେ ପ୍ରାଥମିକ ବିଦ୍ୟାଳୟରେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକମାନଙ୍କୁ ଠିକା ଓ ଛୁଟିରେ ନିୟୋଜିତ କରିଥିଲେ । ପ୍ରଥମେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକମାନଙ୍କୁ ୯ ବର୍ଷରେ ନିୟମିତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଓ ପରେ ୬ ବର୍ଷିଆ ଠିକା ନିଯୁକ୍ତି ଓଡ଼ିଶାରେ କାର୍ଯ୍ୟ କଲେ । ସେହି ସମୟରେ ଓଡ଼ିଶାରେ ୮ ବର୍ଷ ଓ ୬ ବର୍ଷ କାର୍ଯ୍ୟ କଲା ପରେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକମାନଙ୍କୁ ନିୟମିତ କରାଗଲା । ସେହି ଠିକା କାର୍ଯ୍ୟକାଳକୁ ଆଜି ପର୍ଯ୍ୟନ୍ତ ମୂଳ ଚାକିରୀରେ ଗଣନା କରାଗଲା ନାହିଁ । ବର୍ତ୍ତମାନ କନିଷ୍ଠ ଶିକ୍ଷକମାନଙ୍କର ମଧ୍ୟ ଠିକା ନିଯୁକ୍ତି କରାଗଲା ନାହିଁ । ରାଜ୍ୟରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀଙ୍କ ଠିକା ନିଯୁକ୍ତି ବାତଲି କରାଯାଇଥିବା ବେଳେ ଓ ସେମାନଙ୍କ ୬ବର୍ଷ ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ୬ଟି ଇନକ୍ରିମେଣ୍ଟ ଦେଇ ଗଣନା କରାଯାଉଥିବା ବେଳେ ଠିକାରେ ୮ ବର୍ଷ ଓ ୬ ବର୍ଷ କାର୍ଯ୍ୟ କରି ନୟିମିତ ହୋଇଥିବା ପ୍ରାଥମିକ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ସାବତ ପୁଅ ବୋଲି ବିଚାର କରିଛନ୍ତି । ନାଁ ସେମାନଙ୍କ ଠିକା ନିଯୁକ୍ତି ବାତଲି କରିଛନ୍ତି ନାଁ ସେମାନଙ୍କ ୮ ବର୍ଷ ଓ ୬ ବର୍ଷକୁ ମୂଳ ଚାକିରୀରେ ଗଣନା କରିଛନ୍ତି । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ପିଷ୍ଟା) ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛୁ କି, ତାଙ୍କ ନିଷ୍ପତ୍ତିରେ ପୁନଃବିଚାର କରିବେ, ଠିକାରେ କାର୍ଯ୍ୟ କରିଥିବା ପ୍ରାଥମିକ ଶିକ୍ଷକମାନଙ୍କ ଠିକା କାର୍ଯ୍ୟକାଳକୁ ୮ଟି ଓ ୬ଟି ଇନକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବେ । ନଚେତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ବାଧ୍ୟ ହୋଇ ସମଗ୍ର ରାଜ୍ୟରେ ଆନ୍ଦୋଳନକୁ ତୀବ୍ର କରିବ ଓ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଉପୁଜିବା ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୂପ୍ରସାଦ ସହୁ, କୋଷାଧ୍ୟକ୍ଷ ଗୋପାଳ ସେନ, କୃଷ୍ଣଚନ୍ଦ୍ର ବେହେରା, ସୁଧାଂଶୁ ମଣ୍ଡଳ, ସୁଧାଂଶୁ ଭୂଷଣ ନାୟକ, ଜନ୍ମେଜୟ ମାଝି, ଶ୍ରୀକାନ୍ତ ବାରିକ, ସୁମନ ପାଳ, ଟୁଲୁ ଦେଇ, ରଶ୍ମିରଞ୍ଜନ ଧଳ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ