ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳିଲେ ପରିବେଶପ୍ରେମୀ

ନିମାପଡ଼ା, (ସନ୍ତୋଷ ଦାଶ):ରବିବାର ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ତମ ଜନ୍ମ ଦିବସ। ଏହି ଦିବସ କୁ ନିଆରା ଢଙ୍ଗରେ ପାଳିଛନ୍ତି ପରିବେଶ କର୍ମୀ। ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ଟ୍ରଷ୍ଟ ପକ୍ଷରୁ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳରେ ଲୁଣା ଜଙ୍ଗଲ ରୋପଣ ଓ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରାଯାଇଅଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ସାରା ବିଶ୍ବରେ ଆଦର୍ଶ ପାଲଟିଥିବା ମୁଖ୍ୟମନ୍ତ୍ରୀଙ୍କ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ତଥା ଉପକୂଳ ଜୈବ ବିବିଧତା ସଂରକ୍ଷଣ ଦିଗରେ ଜନ ଜାଗରଣ ସୃଷ୍ଟି ଉଦ୍ଦେଶ୍ୟରେ ଅସ୍ତରଙ୍ଗ ଅଞ୍ଚଳର କେଲୁଣୀ ମୁହାଣ ଅଞ୍ଚଳର ନଟରା ଓ କରାଳ ପ୍ରଭୃତି ମୁହାଣ ସଂଲଗ୍ନ ସମ୍ବେଦନଶୀଳ ଗାଆଁରେ ଉପକୂଳ ସୁରକ୍ଷା କବଚ ଭାବରେ ପରିଚିତ ଲୁଣା ଜଙ୍ଗଲ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସବୁଜ ଶାଖା ଆବାହକ ଦିବାକର ଛାଟୋଇ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେତୃତ୍ଵ କିପରି ଉପକୂଳ ଅଞ୍ଚଳର ଜୀବନକୁ ସୁରକ୍ଷିତ ରଖିବା ଦିଗରେ ଯଥେଷ୍ଟ ସହାୟ ହୋଇଛି ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଅସ୍ତରଙ୍ଗ ଅଞ୍ଚଳରେ ପ୍ରାକୃତିକ ଭାବରେ ବଢୁଥିବା ଲୁଣା ଜଙ୍ଗଲ ସାଙ୍ଗକୁ ଓଡ଼ିଶା ବନ ବିଭାଗ ପ୍ରଚେଷ୍ଟାରେ ସୃଷ୍ଟି ହେଉଥିବା ଲୁଣା ଜଙ୍ଗଲ ସୁରକ୍ଷା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାୟିତ୍ଵ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଏଥି ସହିତ ଅନୁଷ୍ଠାନର ପରିଚାଳନା ଟ୍ରଷ୍ଟି ତଥା ମିଳିତ ଜାତିସଂଘ ଯୁବ ଅଭିବ୍ୟକ୍ତା ସୌମ୍ୟ ରଞ୍ଜନ ବିଶ୍ଵାଳ ପ୍ରାକୃତିକ ଦୁର୍ବିପାକ ପ୍ରଶମନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଉଲ୍ଲେଖନୀୟ ଅବଦାନକୁ ମନେ ପକାଇବା ସହ ଉପକୂଳ ଲୋକଙ୍କ ଜୀବନ,ଜୀବିକା ପାଇଁ ସ୍ଥାନୀୟ ଲୁଣା ଜଙ୍ଗଲର ଭୂମିକା ବିଷୟରେ ଲୋକମାନଙ୍କୁ ସଚେତନ କରିଥିଲେ । ଅନ୍ୟତମ ଅତିଥି ଭାବରେ ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରପ୍ରାପ୍ତ ପରିବେଶବିଦ ବିଚିତ୍ରାନନ୍ଦ ବିଶ୍ଵାଳ ଓ ପରିବେଶ ପ୍ରେମୀ ଶିକ୍ଷକ ବିଜୟ କୁମାର ଭଟ୍ଟ ଯୋଗଦେଇ ଲୁଣା ଜଙ୍ଗଲ ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଚନ୍ଦ୍ରମଣି ପରିଡ଼ା, ଅଶୋକ ବେହେରା, ଯୋଗେନ୍ଦ୍ର ବେହେରା ଙ୍କ ସମେତ ୬୦ରୁ ଉର୍ଦ୍ଧ୍ବ ମହିଳା, ବୁଦ୍ଧିଜୀବୀ, ମତ୍ସ୍ୟଜୀବୀ, ଯୁବକ, ଛାତ୍ର ପ୍ରଭୃତି ବିଭିନ୍ନ ବର୍ଗର ସ୍ଥାନୀୟ ଲୋକ ଉପସ୍ଥିତ ରହି ସମସ୍ତେ ଲୁଣା ଜଙ୍ଗଲ ସୁରକ୍ଷା ପାଇଁ ସଂକଳ୍ପ ନେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଗୋଟିଏ ଗୋଟିଏ ଲୁଣା ଜଙ୍ଗଲ ପ୍ରଜାତିର ଚାରା ରୋପଣ କରିଥିଲେ । ପ୍ରକାଶ ଥାଉ କି, ଦେବୀ ନଦୀ ମୁହାଣ ଠାରୁ କାଦୁଆ ନଦୀ ମୁହାଣ ଅବବାହିକା ଦୁର୍ଲଭ ଲୁଣା ଜଙ୍ଗଲରେ ପରିବ୍ୟାପ୍ତ । ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ସୁନାମି ଓ ମହାବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୁଣା ଜଙ୍ଗଲ ବା ହେନ୍ତାଳ ଜଙ୍ଗଲ ସବୁଜ ପ୍ରାଚୀର ଭାବରେ ଠିଆ ରହି ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେଇଥାଏ ଓ ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ବଂଶବୃଦ୍ଧି ପାଇଁ ଲୁଣା ଜଙ୍ଗଲ ଉପସ୍ଥିତି ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉପକୂଳ ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ଏପରି ଅଭିନବ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନର ଏ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ସେହିପରି କାକଟପୁର ବ୍ଲକ ଜମରା ଗାଁ ର ଯୁବ ସାମ୍ୱାଦିକ ତଥା ପରିବେଶ କର୍ମୀ ଜ୍ଞାନ ରଞ୍ଜନ ବିଶ୍ବାଳ ମୁଖ୍ୟମନ୍ତ୍ରୀ ଙ୍କ ୭୭ତମ ଜନ୍ମ ଦିବସ ଅବସର ରେ ୭୭ ଟି ତାଳ ଚାରା ରୋପଣ କରି ନିଆରା ଢଙ୍ଗରେ ଜନ୍ମ ଦିନ କୁ ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ଜୀବନ ତାଳ ଗଛ ପରି ଶକ୍ତ ଓ ଦୀର୍ଘାୟୁ ହେଉ ଏହି ବାର୍ତ୍ତା ଦେଇଛନ୍ତି ଶ୍ରୀ ବିଶ୍ବାଳ। ତାଙ୍କ ର ଏହି ନିଆରା ପ୍ରୟାସ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ