ପର୍ଯ୍ୟଟକଙ୍କୁ ଡକାଡକି ଓ ହକରିଂ ବନ୍ଦ ପାଇଁ ପୋଲିସର ଦ୍ୱାରସ୍ଥ ହେଲା କୋଣାର୍କ ହୋଟେଲ୍ ଆସୋସିଏସନ୍

କୋଣାର୍କ  (ଓ୍ବାଇଏନଏସ): ପର୍ଯ୍ୟଟନ ସହର କୋଣାର୍କରେ ରାସ୍ତାରେ ଯାଉଥିବା ପର୍ଯ୍ୟଟକମାନଙ୍କୁ ଅଟକାଇ ହୋଟେଲ୍ ଓ ରେଷ୍ଟୁରାଣ୍ଟ ରେ ରହିବା ଏବଂ ଖାଦ୍ୟ ଖାଇବା ପାଇଁ ଡାକିବା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି କୋଣାର୍କ ହୋଟେଲ୍ ଆସୋସିଏସନ୍। ଏଭଳି କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ପୋଲିସ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଛି ଆସୋସିଏସନ୍। କୋଣାର୍କ ରେ ହୋଟେଲ ବ୍ୟବସାୟ ପ୍ରତିଷ୍ଠାନ କରିଥିବା କିଛି ବ୍ୟକ୍ତି ରାସ୍ତାରେ ଯାଉଥିବା ପର୍ଯ୍ୟଟକଙ୍କୁ ଅଟକାଇବା ସହ ଡାକି ନିର୍ଦ୍ଦିଷ୍ଟ ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟକୁ ନେବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଅଛି । କେତେକ କ୍ଷେତ୍ରରେ ପର୍ଯ୍ୟଟକଙ୍କୁ ଖାଦ୍ୟ ଓ ରହିବା ପାଇଁ ପ୍ରଲୋଭିତ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।ଏଭଳି ଘଟଣା ଯୋଗୁଁ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଅସହଜ ଓ ଭୟଭୀତ ଅନୁଭବ କରୁଥିବା ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ଏହା କୋଣାର୍କର ଶାନ୍ତିପୂର୍ଣ୍ଣ ପର୍ଯ୍ୟଟନ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହ ପର୍ଯ୍ୟଟନ ସହର ଭାବେ କୋଣାର୍କର ସୁନାମକୁ ମଧ୍ୟ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି। ପର୍ଯ୍ୟଟକମାନେ ନିଜ ପସନ୍ଦ ଅନୁଯାୟୀ ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟ ଚୟନ କରିବାର ସ୍ୱାଧୀନତା ପାଇବା ଆବଶ୍ୟକ। ରାସ୍ତାରୁ ଡାକିବା, ଅଟକାଇବା କିମ୍ବା ଜୋର ଜବରଦସ୍ତି ନିର୍ଦ୍ଦିଷ୍ଟ ହୋଟେଲ୍‌କୁ ନେବା ଭଳି କାର୍ଯ୍ୟକୁ ପ୍ରଶାସନ ଗୁରୁତ୍ୱର ସହ ନେବା ଦରକାର ବୋଲି ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଛି। ଏଥିସହ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା, ପର୍ଯ୍ୟଟକଙ୍କୁ ହଇରାଣ କରାଯିବା ଉପରେ ରୋକ୍ ଲଗାଇବା ଏବଂ କୋଣାର୍କର ପର୍ଯ୍ୟଟନ ପରିବେଶକୁ ସୁସ୍ଥ ଓ ଶୃଙ୍ଖଳିତ ରଖିବା ପାଇଁ ପୋଲିସ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ କୋଣାର୍କ ହୋଟେଲ୍ ଆସୋସିଏସନ୍ ପକ୍ଷରୁ କୋଣାର୍କ ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ ପଢ଼ିଆରୀ ଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଜଣାଇଛନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା, ସ୍ୱାଧୀନତା ଓ ସ୍ୱଚ୍ଛ ସହ କୋଣାର୍କର ପର୍ଯ୍ୟଟନ ସୁନାମ ରକ୍ଷା ପାଇଁ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଆବଶ୍ୟକ ବୋଲି ଆସୋସିଏସନ୍ ସଭାପତି ସୁବାସ ନାୟକ, ସୁରେନ୍ଦ୍ରନାଥ ନାୟକ, ସ୍ୱାଧୀନ ନାୟକ, ପ୍ରତାପ ସ୍ଵାଇଁ, ସୁଶାନ୍ତ ମାହାନ୍ତି, ସୁଦର୍ଶନ ସେନାପତି ପ୍ରମୁଖ ମତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ