ଜନଶୁଣାଣିରେ ଧରାପଡିଲା ମନରେଗା ଯୋଜନାର ଅସଲ ଗୁମର
ହାଟଡିହି, (ବିକାଶ ବିଶ୍ୱାଳ):ସରକାରୀ ଯୋଜନା ଗୁଡିକର ସଫଳ ରୁପାୟନ ପାଇଁ ସରକାର ବିଭିନ୍ନ ପ୍ରକାର ନୀତି ନିୟମ ପ୍ରଣୟନ କରିଛନ୍ତି । କିନ୍ତୁ ସରକାରୀ ଅଦôକାରୀ ଓ କର୍ମଚାରୀ ମାନଙ୍କ ଅପରାଗତାରୁ ଏହି ଯୋଜନା ଗୁଡିକର ସଫଳ ରୁପାୟନ ତ ଦୁରର କଥା ସାଧାରଣ ଲୋକମାନେ ମଧ୍ୟ ତାହା ଜାଣିପାରୁ ନାହାନ୍ତି । ବିଶେଷକରି ହାଟଡିହି ବ୍ଲକରେ ଭତ୍ତା ଦୁର୍ନୀତି, ମନରେଗା ଦୁର୍ନୀତି ଏବେ ରାଜ୍ୟରେ ଚହଳ ପକାଇଥିବାବେଳେ ଆଜି ବ୍ଲକ ପରିସରରେ କିଛି ହାତ ଗଣତି ଗ୍ରାମ ସମ୍ବଳ ମହିଳା ଓ ପଞ୍ଚାୟତର ଜିଆରଏସ, ପିଇଓ, ଯନ୍ତ୍ରୀ ମାନଙ୍କୁ ନେଇ ଜନଶୁଣାଣି କରାଯିବା ଏହାର ଅସଲ ଚେହେରାକୁ ପଦାରେ ପକାଇଛି । ଆଜି ଏହି ଜନଶୁଣାଣୀରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ବୃଷଭ ଚନ୍ଦ୍ର ନାୟକ, ଜିଲ୍ଲା ସାମାଜିକ ସମୀକ୍ଷକ ଚନ୍ଦନ କୁମାର ଆୟଚ, ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ସରସ୍ୱତୀ ସେଠୀ, ବିଜିଭିଏମ ସ୍ୱେଚ୍ଛାସେବୀ ସଂଗଠନର କାମପାଳ ନାୟକ ପ୍ର୍ରମୁଖ ଯୋଗଦେଇ ବିଭିନ୍ନ ପଞ୍ଚାୟତରେ ହୋଇଥିବା ସାମାଜିକ ସମୀକ୍ଷା ଉପରେ ଆଲୋଚନା କରିଥିଲେ । କେଉଁ ପଞ୍ଚାୟତରେ ଭତ୍ତା ପ୍ରଦାନରେ କିଛି ଅଭିଯୋଗ ଅଛିକି ନାହିଁ ସେ ସମ୍ପର୍କରେ ଆଲୋଚନା କରାଯିବା ସହ ମନରେଗା ଯୋଜନାର ସମୀକ୍ଷା ଉପରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ସମୟରେ ବିଭିନ୍ନ ପଞ୍ଚାୟତରେ ଅନେକ ଫାଇଲ ଗାୟବ ହୋଇଯାଇଥିବା ନେଇ ପିଇଓ, ଯନ୍ତ୍ରୀ ଓ ଜିଆରଏସ ମାନେ ଅଭିଯୋଗ କରିଥିଲେ । ଓରାଳି ପଞ୍ଚାୟତର ଲକ୍ଷ୍ମୀନାରାୟଣ ଖେଳ ପଡିଆର ଉନ୍ନତିକରଣ କାର୍ଯ୍ୟର ଫାଇଲ ମିଳୁନଥିବା ନେଇ ଯନ୍ତ୍ରୀ, ପିଇଓ ଏବଂ ଜିଆରଏସ ଅଭିଯୋଗ କରିଥିଲେ । ଏହି କାର୍ଯ୍ୟରେ ୩ଲକ୍ଷ୭୭ହଜାର ୫୫୫ଟଙ୍କା ଉଠାଯାଇଥିବା ନେଇ ସାମାଜିକ ସମିକ୍ଷକ ଚନ୍ଦନ କୁମାର ଆୟଚ ସୁଚନା ଦେଇଥିଲେ । ସେହିପରି ଆଇତିପୁର ପଞ୍ଚାୟତରେ ୨୦୨୦/୨୧ ବର୍ଷରେ ମାତ୍ର ଗୋଟିଏ କାମ ହୋଇଥିବାବେଳେ ପଞ୍ଚାୟତ ସମିତି ପକ୍ଷରୁ ହୋଇଥିବା କାମ ସମ୍ପର୍କରେ ପିଇଓ ମାନେ ଜାଣି ନଥିବା ଅଭିଯୋଗ କରିଥିଲେ । ସେହିପରି ପଞ୍ଚୁଗୋଛିଆ ପଞ୍ଚାୟତରେ ୭ଟି ଫାଇଲ ମିଳୁନଥିବା ନେଇ ଉକ୍ତ ପଞ୍ଚାୟତର ପିଇଓ ଏବଂ ଜିଆରଏସ ଅଭିଯୋଗ କରିଥିଲେ । ତତକାଳୀନ ପିଇଓ ଏହି ଫାଇଲ ଚାର୍ଜ ଦେଇନଥିବା ସେମାନେ ଅଭିଯୋଗ କରିଥିଲେ । କିନ୍ତୁ ଏହି ପଞ୍ଚାୟତର କିଛି ଫାଇଲ ଓ ଏମ.ବି ବହି ଯାଜପୁର ନିକଟସ୍ଥ ରାସ୍ତାରେ ପଡିଥିବା ଓ ତାହାକୁ ଜଣେ ପାଇ ବିଧାୟକଙ୍କୁ ଜଣାଇବାପରେ ଗତ ପଞ୍ଚାୟତ ସମିତି ବୈଠକରେ ବିଧାୟକ ଏନେଇ ଆଲୋଚନା ମଧ୍ୟ କରିଥିଲେ । ପଞ୍ଚାୟତର ଫାଇଲ କିପରି ଯାଜପୁର ନିଟବର୍ତ୍ତୀ ରାସ୍ତାରେ ପହିଲା ତାହା ତଦନ୍ତ ସାପେକ୍ଷ । ସେହିପରି କଳିଗାଁ ପଞ୍ଚାୟତରେ ୫୦ଟି ପ୍ରକଳ୍ପର ତାଲିକା ତôବାବେଳେ ଆଉ ୨୭ଟି ଫାଇଲ ନଥିବା ପିଇଓ, ଜିଆରଏସ ସୁଚନା ଦେଇଥିଲେ । ଅନେକ ପଞ୍ଚାୟତରେ ପୁର୍ବତନ ସରପଞ୍ଚ ଓ ପିଇଓ ମାନେ ପୁରୁଣା ଫାଇଲ ଓ ରେକର୍ଡପତ୍ର ଦେଉ ନଥିବାରୁ କାର୍ଯ୍ୟ ଗୁଡିକର କୌଣସି ସୁଚନା ମିଳିପାରୁ ନଥିବା ଅଭିଯୋଗ ହୋଇଛି । ଆଜିର ବୈଠକରେ ଗ୍ରାମ ସମ୍ବଳ ମହିଳାମାନେ ଦେଉଥିବା ସୁଚନା ଓ ପିଇଓ, ଜିଆରଏସ ମାନେ ଦେଉଥିବା ସୁଚନାରେ କୌଣସି ତାଳମେଳ ରହିନଥିଲା । ଏପରିକି ପଞ୍ଚାୟତ ଗୁଡିକରେ ହୋଇଥିବା ସୋସିଆଲ ଅଡିଟ ଠିକ ଭାବେ ହୋଇନାହିଁ ବୋଲି ଷ୍ପଷ୍ଟ ହୋଇଥିଲା । ପଞ୍ଚାୟତର ପିଇଓ, ଜିଆରଏସ ଏବଂ ଯନ୍ତ୍ରୀ ମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଅଧିକାଶଂ ପଞ୍ଚାୟତରେ ହୋଇଥିବା କାମ ଗୁଡିକର ସଠିକ ସୁଚନା ମିଳିପାରୁ ନଥିଲା । କେଉଁଠି ସୁଚନା ଫଳକ ନାହିଁ ତ ଆଉ କେଉଁଠି କେତୋଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ତାର ମଧ୍ୟ କୌଣସି ସଠିକ ସୁଚନା ଦେଇପାରିନଥିଲେ ପଞ୍ଚାୟତର ଏହି ଅଧିକାରୀ ମାନେ । ସେହିପରି ମୃର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ହୋଇଥିବା ମନରେୀାଗା ଯୋଜନା କାର୍ଯ୍ୟର କୌଣସି ସଠିକ ସୁଚନା ମଧ୍ୟ ଉପସ୍ଥିତ କର୍ମଚାରୀଙ୍କ ପାଖରେ ନଥିଲା । ସେହିପରି ଜଂଗଲ ବିଭାଗ ଓ ଉଦ୍ୟାନ ବିଭାଗ ଅଧିନରେ ଅନେକ ପରିମାଣର ମନରେଗା କାର୍ଯ୍ୟ ହେଉଥିଲେବି ଉକ୍ତ ଦୁଇଟି ବିଭାଗର କୌଣସି ଅଧିକାରୀ ଏହି ଜନଶୁଣାଣି ଶିବିରରେ ଯୋଗଦେଇ ନଥିବାରୁ କାର୍ଯ୍ୟ ଗୁଡିକ ସମ୍ପର୍କରେ କେହି ଜାଣିପାରି ନଥିଲେ । ୩୧ଟି ପଞ୍ଚାୟତ ମଧ୍ୟରୁ ମାତ୍ର ୧୦/୧୨ଟି ପଞ୍ଚାୟତର ସମୀକ୍ଷା କରାଯାିଥିଲା । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ଯେ ଆଜି ଯେଉଁ ଜନଶୁଣାଣି ହେଲା ଏଥିରେ ବ୍ଲକର କୌଣସି ଲୋକଙ୍କୁ ସୁଚନା ଦିଆଯାଇନଥିଲା । ମନରେଗା ଯୋଜନା, ଭତ୍ତା ପ୍ରଦାନରେ ଅନେକ ଅନିୟମିତତା ଥିଲେବି କେହି ଅଭିଯୋଗ କରିବାକୁ ଆସିନଥିଲେ । ମନରେଗା ଯୋଜନାରେ କାମକରି ଟଙ୍କା ପାଉନଥିବା, ଆବାସ ଯୋଜନା ଘର କାମ କରୁଥିବା ହିତାଧିକାରୀଙ୍କ ଏକାଉଣ୍ଟକୁ ଟଙ୍କା ନଯାଇ ଜିଆରଏସ ଓ ତାଙ୍କ ସମ୍ପର୍କୀୟଙ୍କ ଏକାଉଣ୍ଟକୁ ଟଙ୍କା ଯାଉଥିବା ଭଳି ଅନେକ ଅଭିଯୋଗ ଥିଲେବି ଲୋକମାନେ ଜାଣି ନପାରିବାରୁ କେହି ଅଭିଯୋଗ କରିବାକୁ ଆସିପାରିଥିଲେ । ଆଗାମି ଦିନରେ ହେବାକୁଥିବା ଜନଶୁଣାଣି ପୁର୍ବରୁ ଏକ କର୍ମଶାଳା କରାଯାଇ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରିବା ସହିତ ଜନଶୁଣାଣିରେ ସଠିକ ତଥ୍ୟ ଉପସ୍ଥାପିତ କରାଯିବା ସମ୍ପର୍କରେ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।


