ଘୂ. ନୂଆଁଗାଆଁରେ ବିଦ୍ୟୁତ୍ ତାର ଲାଗି ଜଣେ ମୃତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗୁରୁବାର ସନ୍ଧ୍ୟାରେ ବିଦ୍ୟୁତ୍ ଆଘାତ ଯୋଗୁଁ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଘୂ. ନୂଆଁଗାଆଁରେ ଜଣଙ୍କର ମୃତ୍ୟୁ ଘଟିଛି I ଖବରରୁ ଜଣା ପଡ଼ିଛି ଘୂ. ନୂଆଁଗାଆଁରେ ଶମ୍ଭୁ ପରିଡ଼ାଙ୍କ ପୁଅ ମୁରଲୀ ପରିଡ଼ା (୪୨) ଏକ ଗୁଡ଼ି, ବାଲିର ଗୋଦାମ କରିଥିଲେ I ଗୁରୁବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ଗାଡ଼ି ଆସିବା ଯୋଗୁଁ ମୁରଲୀ ଗୋଦାମ ଫାଟକକୁ ଖୋଲିବା ସମୟରେ ସେଥିରେ ଲାଗିଥିବା ଏକ ରଡ୍ କୂ ଅସାବଧାନତା ବଶତଃ ଉପରକୁ ଟେକି ଦେଇଥିଲେ I ରଡ୍ ଟି ଉପରେ ଯାଇଥିବା ଏଗାର କେଭି ତାର ସଂସ୍ପର୍ଶରେ ଆସିଯିବାରୁ ବିଦ୍ୟୁତ୍ ଆଘାତରେ ମୁରଲୀଙ୍କର ଶରୀରର ଶତକଡ଼ା ପ୍ରାୟ 80 ପ୍ରତିଶତ ପୋଡ଼ି ଯାଇଥିଲା I ସଙ୍ଗେ ସଙ୍ଗେ କିଛି ଲୋକ ମୂରଲୀଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ I ସେଠାରେ ଡ଼ାକ୍ତର ମୂରଲୀଙ୍କୁ ମୃତ ଘୋଷଣା କରିଥିଲେ I ଖବର ପାଇ ବେଲଗୁଣ୍ଠା ପୋଲିସ୍ ମେଡ଼ିକାଲ୍ ରେ ପହଞ୍ଚି ମୂରଲୀଙ୍କ ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ I ଆଜି ମୂରଲୀଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା I କିନ୍ତୁ ଗ୍ରାମବାସୀ ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ମୁରଲୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୂରଲୀଙ୍କ ଶବକୁ ରାସ୍ତା ଉପରେ ଥୋଇ ରାସ୍ତାରୋକ କରିଥିଲେ I ମୁରଲୀଙ୍କ ମାଆଙ୍କ ଅଭିଯୋଗ ପ୍ରକାରେ ମୁରଲୀଙ୍କ ଗୋଦାମ ଉପରୁ ଏଗାର କେଭି ତାର ହଟାଇବା ପାଇଁ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ବିଭାଗ ଏହା ପ୍ରତି କର୍ଣ୍ଣପାତ କରିନଥିଲା I ତେଣୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁ୍ଷ୍ଠାନ ଏବଂ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଦିନ ବାର ଘଣ୍ଟା ତିରିଶ ମିନିଟ୍ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ I ଘଟଣା ସ୍ଥଳରେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ତହସିଲଦାର ମନୋଜ ପ୍ରଭାକର କୁଜୁରୁ ,ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାଶ,ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ରାଜସ୍ଵ ନିରୀକ୍ଷକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା I


