ଦୀପାବଳି ପାଇଁ ଚଳଚଞ୍ଚଳ ଗ୍ରାମରୁ ସହର
ବାଲେଶ୍ୱର, (ସରୋଜ ପଣ୍ଡା):ଦୁଇବର୍ଷର କୋଭଡ କଟକଣା ପରେ ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳି ପାଇଁ ସବୁଠି ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଛି । ଦୀପାବଳି ପାଇଁ ବିଭିନ୍ନ ସାମଗ୍ରୀ କିଣାକିଣି କରିବାକୁ ସହର ବଜାରରେ ଲୋକେ ଭିଡ଼ ଲଗାଉଛନ୍ତି । ଦୀପାବଳିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଦୀପ, ତେଲଠାରୁ ଆରମ୍ଭ କରି ବାଣ ରୋଷଣି, ପୟାଶ୍ରଦ୍ଧ ଓ କାଳୀପୂଜା ପାଇଁ ବିଭିନ୍ନ ସାମଗ୍ରୀ କିଣୁଛନ୍ତି । ବାଣ , ଡ୍ରେସ, ମିଠା ଓ ଫଳମୂଳ ଦୋକାନମାନଙ୍କରେ ଅଧିକ ଭିଡ଼ ହୋଇଥିବା ଲକ୍ଷ୍ୟ କରାଯାଇଛି । ଦୁଇଦିନ ଧରି େଲୋକ ନିଜର ଘରଦ୍ୱାର, ବ୍ୟବସାୟ ପ୍ରତିଷ୍ଠାନକୁ ଆଲୋକମାଳାରେ ସଜ୍ଜିତ କରିବାରେ ଲାଗିଛନ୍ତି । ଅତ୍ୟାଧୁନିକ ଏଲଇଡି ଲାଇଟ୍ ଝଲସୁଛି ସବୁଠି । ଏଲଇଡି ଲାଇଟ ସତ୍ତ୍ୱେ ମାଟି ଦୀପର ପରମ୍ପରା ଆଜି ବି ଉଜ୍ଜିବୀତ ରହିଛି । ସବୁଠିଁ ଦରଦାମ ବୃଦ୍ଧି ହେବା ଭଳି ମାଟି ଦୀପର ଦାମ ପୂର୍ବାପେକ୍ଷା ବଢ଼ିଥିଲେ ବି ଲୋକେ ଘର ପାଇଁ ଦୀପ ଓ ତେଲ କିଣୁଥିବା ଦେଖିବାକୁ ମିଳିଛି । ଏମିତିକି ଘରେ ରଙ୍ଗୋଲି ଆଙ୍କିବା ପାଇଁ ରଙ୍ଗ ଓ ଅନ୍ୟାନ୍ୟ ସାଜ ସଜ୍ଜା ସାମଗ୍ରୀ କିଣୁଛନ୍ତି । ଦୀପାବଳିର ପ୍ରଥମ ଦିବସ ଅର୍ଥାତ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଧନତେରସରେ ବାଲେଶ୍ୱର ସହରର ଗହଣା ଓ ଝାଡ଼ୁ ଦୋକାନରେ ଅଧିକ ଭିଡ଼ ପରିଲକ୍ଷିତ ହୋଇଛି । ସୁନାଗହଣା କିଣି ଘରକୁ ନେଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ଥିବା ବିଶ୍ୱାସ ଅନୁସାରେ ପ୍ରତିବର୍ଷ ଜିଲାରେ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ବିକ୍ରି ହୋଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରି ଗତ ୨/୩ବର୍ଷ ଧରି ଲୋକେ ନୂଆଝାଡୁ କିଣ ଘରକୁ ନେଉଥିବା ଦେଖିବାକୁ ମିଳିଛି । ମୋଟ ଉପରେ ୨ବର୍ଷର କରୋନା ମହାମାରୀ ସମୟ ବିତିଯାଇଥିବା ବେଳେ ଚଳିତବର୍ଷ ଦୀପାବଳିକୁ ମନଭରି ଉପଭୋଗ ପାଇଁ ସବୁଠି ତତ୍ପରତା ଦେଖାଯାଇଛି ।


