ଆଦିବାସୀପଲ୍ଲୀରେ ସବୁଜ ଦୀପାବଳୀ ବାଣ ବଦଳରେ ବେଲୁନ୍ ଫୁଟାଇଲେ ବନବାସୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଲୋକର ପର୍ବ ଦୀପାବଳୀକୁ ଏକ ନିଆରା ଓ ନିରାଡ଼ମ୍ବର ଭାବେ ବନବାସୀମାନେ ପାଳନ କରିଛନ୍ତି । ସୂଚନାଯୋଗ୍ୟ, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମ୍ପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା କନ୍ଦଳେଇ ଆଦିବାସୀପଲ୍ଲୀର କୁନି କୁନି ପିଲାମାନେ ଭିନ୍ନ ଢଙ୍ଗରେ ସବୁଜ ଦୀପାବଳୀ ପାଳନ କରି ସାରା ବିଶ୍ୱକୁ ପ୍ରକୃତି ପ୍ରେମର ବଳିଷ୍ଠ ବାର୍ତ୍ତା ଦେଇଛନ୍ତି ‘ପ୍ରଦୂଷଣମୁକ୍ତ ଶବ୍ଦ ଓ ବାୟୁ, ସବୁଜ ଦୀପାବଳୀ ବଢାଏ ଆୟୁ’ ।ବିପଦ ଓ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣକୁ ନ ଫୁଟାଇ ତା’ ବଦଳରେ ରଙ୍ଗ, ବେରଙ୍ଗର ବେଲୁନ୍କୁ ଫୁଟାଇ ଏବଂ ଦୀପ ଜାଳି ବେଶ୍ ଉତ୍ସାହର ସହ ଉତ୍ସବଟିକୁ ବନବାସୀମାନେ ପାଳନ କରିଥିଲେ । ଉକ୍ତ ଉତ୍ସବରେ ନା ଥିଲା ପ୍ରଦୂଷଣ ସୃଷ୍ଟିକାରୀ ବାଣ, ନା ଥିଲା ବିଷାକ୍ତ ଧୂଆଁ, ନା ଥିଲା ଶବ୍ଦ ପ୍ରଦୂଷଣ । ଗାଁର ବିକାଶ ନେଇ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ତଥା ପରିବେଶ୍ବିତ୍ ସୁଶାନ୍ତ ସାହୁଙ୍କ ବାଣ ବଦଳରେ ବେଲୁନ୍ ଚିନ୍ତାଧାରାକୁ ବନବାସୀମାନେ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଥିଲେ । ଉତ୍ସବରେ କୁନି କୁନି ପିଲାମାନଙ୍କୁ ମିଠେଇ, ଚକୋଲେଟ୍, ବିସ୍କୁଟ୍ ଇତ୍ୟାଦି ବଣ୍ଟନ କରି ପରସ୍ପରକୁ ଦୀପାବଳୀର ଶୁଭେଚ୍ଛା ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଚନ୍ଦ୍ରଶେଖର ପାଲ, ସାମାଜିକ କର୍ମୀ ସନ୍ତୋଷୀ ଜୈନ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାସ ଓଝା ପ୍ରମୁଖ ଯୋଗଦେଇ ଆଦିବାସୀପଲ୍ଲୀ ଏବଂ ବିଦ୍ୟାର୍ଥୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଭଳି ନିଆରା ଓ ସମୟୋପଯୋଗୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରସାଦ ଡେଙ୍ଗ ପ୍ରଶଂସା କରିଥିଲେ ।