ବାଲି ଚୋରା ଚାଲାଣ ରୋକିବାକୁ ବଞ୍ଚୋ ବାଲିଘାଟରେ ୧୪୪ଧାରା ଜାରିକଲା ପ୍ରଶାସନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଧିନସ୍ଥ ବଞ୍ଚୋ ବାଲିଘାଟରେ ବାଲି ଚୋରା ଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ତରଭା ବାଲିଘାଟ ବନ୍ଦ ହେବାପରେ ଏହି ଘାଟରୁ ନିୟମିତ ଚୋରା ବାଲି ଉତ୍ତୋଳନ ହେଉଥିଲା । ଏନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦା ପରେ ବାଲିମାଫିଆ ମାନେ ସଚେତନ ନହୋଇ ବାଲି ଉତ୍ତୋଳନ କରିବାରୁ ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶ ନଂ- ୨୧୦/୨୦୨୨ ମେମୋ ନଂ-୭୫୬୪ ତା ୧୧/୧୧/୨୦୨୨ ଅନୁସାରେ ତହସିଲଦାରଙ୍କ ଚିଠିନଂ-୩୯୩୧ ତା ୧୧/୧୧/୨୦୨୨ ଅନୁଯାଇ ଆଜି ବଞ୍ଚୋ ବାଲିଘାଟର ଖାତାନଂ-୧୦୩୮ ପ୍ଲଟନଂ ୫୨୨୪/ ୫୪୪୪ରେ ତହସିଲଦାରଙ୍କ ଉପସ୍ଥିତିରେ ୧୪୪ଧାରା ଜାରି କରାଯାଇ ବାଲିଘାଟ ରାସ୍ତାରେ ନାଲିପତାକା ମରାଯାଇଛି । ତହସିଲଦାର ଦିଲ୍ଲିପ କୁମାର ସାହୁ, ସୁପରଭାଇଜର ପିତାମ୍ବର ଜେନା, ବଞ୍ଚୋ ରାଜସ୍ୱ ନିରୀକ୍ଷକ ଭକ୍ତିଲତା ଖମାରୀ, ପ୍ରସେସରର୍ଭର ଅନିଲ କୁମାର ସାହୁ, ଆନନ୍ଦପୁର ଥାନା ଆଇଆଇସି ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ବାଲିଘାଟ ରାସ୍ତାର ଉଭୟ ପାଶ୍ୱର୍ରେ ଟ୍ରେଞ୍ଜ ଖୋଳି ରାସ୍ତାକୁ ସମ୍ପୁର୍ଣ୍ଣ ବନ୍ଦ କରିଛନ୍ତି । ଏନେଇ ଡାକବାଜି ଯନ୍ତ୍ର ସହାୟତାରେ ସମସ୍ତଙ୍କୁ ସୁଚନା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଘାଟକୁ ପୁର୍ବରୁ ନିଲାମ ଦିଆ ଯାଇଥିବାବେଳେ ପୁର୍ବତନ ଲିଜଧାରୀ କାଙ୍ଗାଳି ଚରଣ ବରାଳ ଲିଜ ଅନୁଯାଇ ବାଲିଉଠାଣ ହୋଇନଥିବା ନେଇ ମାନ୍ୟବର ହାଇକୋର୍ଟରେ ଡବ୍ଲୁପିସି କେସନଂ ୧୧୧୫୫/୨୦୨୧ଡବ୍ଲୁପିସି କେସନଂ- ୨୨୦୨୬/ ୨୦୨୨ରେ ମାମଲା ରୁଜୁ କରିଥିବାବେଳେ ଏହା ଏବେ ବିଚାରାଧିନ ଅଛି । ସେହିପରି ସମ୍ବଲପୁର ଆରଡିସିଙ୍କ ନିକଟରେ ଆଇଏ. ୧୧୭୬୭/୨୦୨୨ରେ ମଧ୍ୟ ଅନ୍ୟଏକ ମାମଲା ବିଚରାଧିନ ରହିଛି । ଗତବର୍ଷ ବେଆଇନ ବାଲି ପରିବହନକୁ ରୋକିବା ପାଇଁ ଏହି ବାଲିଘାଟକୁ ଟ୍ରେଞ୍ଜ ଖୋଳାଯାଇ ବନ୍ଦ କରାଯାଇଥିଲେବି ବର୍ଷା ଓ ବନ୍ୟାଜଳରେ ଏହା ପୋତି ହୋଇ ପଡିଥିଲା । ଫଳରେ ବାଲି ମାଫିଆ ମାନଙ୍କୁ ବାଲି ପରିବହନ ପାଇଁ ସୁବିଧା ହେଉଥିଲା ତେଣୁ ବାଧ୍ୟ ହୋଇ ୧୪୪ ଧାରା ଜାରି କରାଗଲା ବୋଲି ତହସିଲଦାର ସୁଚନା ଦେଇଛନ୍ତି ।


