ଜିଲ୍ଲା ଉପଭୋକ୍ତା ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୈାରହିତ୍ୟରେ ଜିଲ୍ଲା ଉପଭୋକ୍ତା ସୁରକ୍ଷା ପରିଷଦ ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଖାଉଟି ସୁରକ୍ଷା ପରିଷଦର ସଭାପତି, କେନ୍ଦ୍ରାପଡା ବିଧାୟକଙ୍କ ପ୍ରତିନିଧି, ପାଟକୁରା ବିଧାୟିକାଙ୍କ ପ୍ରତିନିଧି, ରାଜନଗର ବିଧାୟକଙ୍କ ପ୍ରତିନିଧି, କେନ୍ଦ୍ରାପଡା, ମହାକାଳପଡା, ଗରଦପୁର ବ୍ଲକ ଅଧ୍ୟକ୍ଷ, କେନ୍ଦ୍ରାପଡା ପୈାରପରିଷଦର ଅଧ୍ୟକ୍ଷା, ମାପଯନ୍ତ୍ର ଓ ବଜାର ନିୟନ୍ତ୍ରଣର ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଅଧିକାରୀ ଓ ଉପଭୋକ୍ତାମାନେ ଉପସ୍ଥିତ ରହି ଉକ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ବୈଠକର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସହ ଖାଉଟି ସୁରକ୍ଷା ସମ୍ପର୍କରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏଥିରେ ଖାଉଟି ସୁରକ୍ଷା ସଭାପତି ପ୍ରବୋଧ କୁମାର ଦାଶ କିପରି ଖାଉଟିଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା, ରାଜ୍ୟ ଓ କେନ୍ଦ୍ର ସ୍ତରରେ କମିଶନମାନ ଗଠନ କରାଯାଇଛି ଏବଂ ଜଣେ ସାଧାରଣ ଖାଉଟି ଏହାର ସଦୁପଯୋଗ କରି ନିଜର ହକ ପ୍ରାପ୍ତ କରିପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହ ସେ ଜଣେ ବୋଲେରୋ ହିତାଧିକାରୀ କିପରି ତାଙ୍କ ଗାଡିର ଚେଚିସ ଖରାପ ହୋଇଯିବାରୁ ସେ ମହିନ୍ଦ୍ରା କମ୍ପାନୀ ଠାରୁ ତାଙ୍କର କ୍ଷତିପୁରଣ ପାଇପାରିଲେ ଏକ ସୁନ୍ଦର ଉଦାହରଣ ମାଧ୍ୟମରେ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହା ପରେ ଓଜନ ଓ ମାପଯନ୍ତ୍ରର ଅଧିକାରୀ କିପରି ଭାବରେ ଜଣେ ହିତାଧିକାରୀ ହାତ ମାପ ଯନ୍ତ୍ର ଓ ଯାନ୍ତ୍ରିକ ମାପ ଯନ୍ତ୍ରର ଅନୀୟମୀତତାର ଠକାମିରେ ଶିକାର ନହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ମର୍ମରେ ରାଜ୍ୟ ଉପଭୋକ୍ତା ଅଧ୍ୟକ୍ଷ ବଂଶୀଧର ଆଚାର୍ଯ୍ୟ କିପରି ଜଣେ ସାଧାରଣ ଉପଭୋକ୍ତା ଖାଦ୍ୟ ଦୂଷିତ କରଣ, ମାପ ଠକାମୀ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏଥିରୁ ନିସ୍ତାର ପାଇବା ପାଇଁ ଉପଭୋକ୍ତାମାନଙ୍କୁ ସଚେତନତା କରିବା ସହିତ ଶିକ୍ଷିତ କରିବା ଏବଂ ଅଧିକାରୀମାନଙ୍କୁ ନେଇ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ତଦାରଖ କରିବାର ବ୍ୟବସ୍ଥା ରଖିବା ପାଇଁ ପ୍ରସ୍ତାବ ରଖିଥିଲେ । ଏହି ଆଲୋଚନାରେ ଖାଉଟି ସୁରକ୍ଷା ପରିଷଦ ସଦସ୍ୟ ଜୟଦେବ ସିଂ ପେଟ୍ରୋଲ ପମ୍ପରେ ଆବଶ୍ୟକୀୟ ବ୍ୟବସ୍ଥାର ବିଚ୍ୟୁତି, ରାସ୍ତାରେ ଯାଉଥିବା ତେଲ ଗାଡିରେ ତେଲ ଚୋରି ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ଗରଦପୁର ଅଧ୍ୟକ୍ଷ ଜେନେରିକ ଔଷଧର ପ୍ରକୃତ ମୂଲ୍ୟ ଏବଂ ମଦରେ ଦିଆଯାଉନଥିବା ରସିଦ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହ ଅନ୍ୟ ଉପସ୍ଥିତ ସଦସ୍ୟମାନେ ଆଲୋଚନାରେ ଭାଗନେଇ ଖାଉଟି ସୁରକ୍ଷା ଉପରେ ସେମାନଙ୍କର ସୁଚିନ୍ତିତ ମତାମତ ଦେବା ସହ କିପରି ଜିଲ୍ଲା, ରାଜ୍ୟ ଏବଂ କେନ୍ଦ୍ରରେ ଥିବା କମିଶନ ପରି ସଂସ୍ଥା ପଞ୍ଚାୟତ ଓ ବ୍ଲକ ସ୍ତରରେ ପ୍ରଚଳନ ହୋଇପାରିବ ଏବଂ ଜଣେ ସାଧାରଣ ଖାଉଟି ଯେପରି ଜିଲ୍ଲା ପର୍ଯ୍ୟନ୍ତ ନଯାଇ ତୃଣମୂଳ ସ୍ତରରେ ଏହାର ସଦୁପୋଯୋଗ କରିପାରିବ ତାହାର ସୁବ୍ୟବସ୍ଥା କରିବା ପାଇଁ ମତ ରଖିଥିଲେ । ରାଜ୍ୟରୁ ଆସିଥିବା ଯୁଗ୍ମ ସଚିବ ପ୍ରକାଶ କରିଥିଲେ ଯେ ଖାଉଟି ସୁରକ୍ଷାର ପ୍ରଚାର ଓ ପ୍ରସାର ନିମନ୍ତେ ଆବଶ୍ୟକୀୟ ଅର୍ଥ ସିକା ପକ୍ଷରୁ ଖୁବ ଶୀଘ୍ର ଯୋଗାଇ ଦିଆଯିବ । ଖାଦ୍ୟ ସୁରକ୍ଷା ଅଧିକାରୀ, ଉପଭୋକ୍ତାମାନେ କିପରି ସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ ପାଇପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବଜାର ନିୟନ୍ତ୍ରକ ଅଧିକାରୀ କଟକ ଜିଲ୍ଲାରେ ବିଭିନ୍ନ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରି ଅସାଧୁ ଉପାୟରେ ଖାଦ୍ୟ ମହଜୁଦ କରି ଦରଦାମ ବୃଦ୍ଧି ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ । ଏହି ବୈଠକରେ ଉପସ୍ଥିତ ଥିବା ଖାଉଟି ଓ ଅନ୍ୟ ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ଗୁଡିକୁ ଜିଲ୍ଲା ଓ ରାଜ୍ୟର ଅଧିକାରୀମାନେ ସୁନ୍ଦର ଓ ସରଳ ଭାବରେ ପ୍ରଦାନ କରିଥିଲେ । ଏହି ମର୍ମରେ ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କ କଥାକୁ ତର୍ଜ୍ଜମା କରି କିପରି ଜଣେ ଖାଉଟି ଭବିଷ୍ୟତରେ ଠକାମୀର ଶିକାର ନହେବ ଏବଂ ସଠିକ ପରିମାଣ ଓ ମାନର ଖାଦ୍ୟ ଖାଇ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ବେସାମରିକ ଯୋଗାଣ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ