ଆଜି ଶପଥ ନେବେ ଉଦ୍ଧବ ଠାକ୍ରେ,ଏନ୍ ସିପିକୁ ଉପମୁଖ୍ୟମନ୍ତ୍ରୀ, କଂଗ୍ରେସକୁ ବାଚସ୍ପତି ପଦ ମିଳିପାରେ
ମୁମ୍ବାଇ : ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଆଜି ସନ୍ଧ୍ୟା ୬ଟା ୪୦ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତାଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ ବୋଲି ଜଣାପଡ଼ିଛି । ଏଥିରେ ଶିବ ସେନା, ଏନ୍ସିପି ଏବଂ କଂଗ୍ରେସର ମନ୍ତ୍ରୀ ରହିବେ । ଏହି ତିନି ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସମେତ ୧୫ ଜଣ ମନ୍ତ୍ରୀ ଶିବ ସେନାରୁ ରହିବେ । ଉପମୁଖ୍ୟମନ୍ତ୍ରୀ ପଦ ଶରଦ ପାୱାରଙ୍କ ଏନ୍ ସିପି କୁ ଯିବ । ଏହି ଦଳର ଆଉ ୧୩ ଜଣ ମନ୍ତ୍ରୀ ହେବେ । ସେହିଭଳି କଂଗ୍ରେସକୁ ବାଚସ୍ପତି ପଦ ମିଳିବ ଏବଂ ଏହି ଦଳକୁ ୧୩ଟି ମନ୍ତ୍ରୀ ପଦ ମିଳିପାରେ ବୋଲି ଜଣାପଡିଛି । ତେବେ ଗୃହ ଓ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କାହା ହାତରେ ରହିବ ତାହା ଜଣାପଡ଼ି ନାହିଁ । ମନ୍ତ୍ରିମଣ୍ଡଳ ଗଠନ ନେଇ ବୁୁଧବାର ଦିନ ତମାମ ତିନି ଦଳର ନେତାମାନଙ୍କ ମଧ୍ୟରେ ବିଚାର ଆଲୋଚନା ଚାଲିଥିଲା । ଏଥିରେ ଉଦ୍ଧବ ଠାକରେ, ଶରଦ ପାୱାର ଏବଂ କଂଗ୍ରେସ ନେତା ଅହମ୍ମଦ ପଟେଲ ସାମିଲ ଥିଲେ । ଏହାପୂର୍ବରୁ ଉଦ୍ଧବ ଠାକରେ ପୃଥକ ଭାବେ ଶରଦ ପାୱାରଙ୍କୁ ଭେଟିବା ପରେ ପୁଣି କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଭେଟି ଆଲୋଚନା କରିଥିଲେ । ଶିବାଜୀ ପାର୍କରେ ବିଶାଳ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଶପଥ ଗ୍ରହଣ ଉତ୍ସବ ପାଇଁ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଳାରୁ ପ୍ରାୟ ୪୦୦ କୃଷକଙ୍କୁ ଆମନ୍ତ୍ରିତ କରାଯାଇଛି । ଆତ୍ମହତ୍ୟା କରିଥିବା କୃଷକଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରିତ କରାଯାଇଛି । କୃଷକଙ୍କୁ ସମ୍ମାନ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଶିବସେନା ନେତା ସଂଜୟ ରାଉତ କହିଛନ୍ତି । ରାଉତ କହିଛନ୍ତି ଯେ, ଆମେ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ମଧ୍ୟ ନିମନ୍ତ୍ରଣ କରିଛୁ । ତେବେ ଏ ଦିଗରେ ଆନୁଷ୍ଠାନିକ ଭାବେ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।