ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ,ବିଜେପି ଇସ୍ତାହାରରେ ବିପିଏଲ୍ ପରିବାର ପାଇଁ ଚାକିରି
ରାଞ୍ଚି : ଝାଡ଼ଖଣ୍ଡରେ ନଭେମ୍ବର ୩୦ରୁ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଜେପି ବୁୁଧବାର ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ନିର୍ବାଚନୀ ଇସ୍ତାହାରରେ ବିଜେପି ଦୁର୍ନୀତି ମୁକ୍ତ ସରକାର, ଭିତ୍ତିଭୂମିର ବିକାଶ, ଦକ୍ଷତା ବିକାଶ, କୃଷକଙ୍କୁ ଋଣ ଏବଂ ବିପିଏଲ୍ ପରିବାରରେ ଅତି କମ୍ ରେ ଜଣଙ୍କୁ ଚାକିରି ଦେବାପାଇଁ ପ୍ରତିଶ୍ରୁତି ଦେଇଛି । କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ଅନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ବିଜେପିର ନିର୍ବାଚନୀ ଇସ୍ତାହାର ତଥା”ସଙ୍କଳ୍ପ ପତ୍ର’ ପ୍ରକାଶ କରିଛନ୍ତି । ବିଜେପିର ୭ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ୍ ଦ୍ୱାରା ଇସ୍ତାହାର ପ୍ରସ୍ତୁତ କରାଯାଇଛି । ରାଜ୍ୟର ପ୍ରତି କୋଣ ଅନୁକୋଣ ବୁଲି ଲୋକମାନଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ ହେବାପରେ ବିଜେପି ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିବା କହିଛି । ପଛୁଆ ଏବଂ ଗରିବ ଶ୍ରେଣୀର ସ୍କୁଲ୍ ଛାତ୍ରମାନଙ୍କୁ ଆର୍ଥିକ ସହାୟତା ଦେବାପାଇଁ ବିଜେପି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ନବମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୨,୨୦୦ ଟଙ୍କା ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ୭,୫୦୦ ଟଙ୍କା ସ୍କଲାରସିପ୍ ପାଇବେ ବୋଲି ବିଜେପିର ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀ ଚଳାଉଥିବା ଆଦିବାସୀ ମହିଳାମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ଋଣ ସହାୟତା ଦେବାପାଇଁ ପ୍ରତିଶ୍ରୁତି ଦିଆଯାଇଛି ।