ସ୍ଥାୟୀ ନିଯୁକ୍ତି ଦାବିରେ କଟକ ଜିଲ୍ଲାରୁ ୫ ହଜାର ଅଙ୍ଗନବାଡ଼ି କର୍ମୀଙ୍କ ଭୁବନେଶ୍ୱରରେ ଧରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କସ ଆସୋସିଏସନର ଆହ୍ୱାନ କ୍ରମେ ସରକାରୀ କର୍ମଚାରୀ ଦାବିରେ ଅଙ୍ଗନୱାଡ଼ି କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଥିବା ବେଳେ ଆଜି କଟକ ଜିଲ୍ଲା ତରଫରୁ ୫ ହଜାର ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ବିଭିନ୍ନ ବ୍ଲକରୁ ଆସି ବିଧାନସଭା ଧାରଣାସ୍ଥଳରେ ଧାରଣାରେ ବସି ରହିଛନ୍ତି ଏବଂ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ସରକାର ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି । ଯଦି ସରକାର ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି ଉଦାସୀନ ରୁହନ୍ତି, ତେବେ ଭବିଷ୍ୟତରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯାଇ ମହିଳା ଓ ଶିଶୁ ବିକାଶ ବିଭାଗକୁ ଏକ ପ୍ରକାର ଅଚଳ କରିଦେବା ପାଇଁ ଅଙ୍ଗନୱାଡ଼ି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି । ଅଙ୍ଗନୱାଡ଼ି କର୍ମୀମାନଙ୍କ ୮ ଦଫା ଦାବିଗୁଡ଼ିକ ମଧ୍ୟରେ ଆନ୍ଦୋଳ ସମୟରେ ବହିଷ୍କୃତ ହୋଇଥିବା ୬ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ଦେବା, ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, ଯେପର୍ଯ୍ୟନ୍ତ ସରକାରୀ କର୍ମଚାରୀ ମାନ୍ୟତା ଦିଆଯାଇ ନାହିଁ, ଅଙ୍ଗନୱାଡ଼ି କର୍ମୀଙ୍କୁ ମାସିକ ବେତନ ୧୮ ହଜାର ଟଙ୍କା ଏବଂ ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରଦାନ କରିବା ସହିତ ଇପିଏଫ୍‌, ଇଏସଆଇସି ଓ ଗ୍ରାଚୁଇଟିରେ ସାମିଲ୍ କରିବା, ମିନି ଅଙ୍ଗନୱାଡ଼ି କର୍ମୀ ପଦବୀ ଉଚ୍ଛେଦ କରି ମୁଖ୍ୟ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା ଦେବା, ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଓ ପେନସନ ମାସିକ ୫ ହଜାର ଟଙ୍କା ପ୍ରଦାନ କରିବା, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ୫ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ଦେବା ସହିତ ମୃତକଙ୍କ ପରିବାରରୁ ଜଣକୁ ଚାକିରୀ ଦେବା, ଗାଁ କଲ୍ୟାଣ ସମିତି କାର୍ଯ୍ୟରୁ ଅଙ୍ଗନୱାଡ଼ି କର୍ମୀଙ୍କୁ ବାଦ ଦେବା ସହିତ ପୋଷଣ ଟ୍ରାକରରେ ଅନଲାଇନ ଲୋକେସନ ଟ୍ରକିଂ ବନ୍ଦ କରିବା ଓ ଗ୍ରୀଷ୍ମ ଛୁଟି ପ୍ରଦାନ କରିବା, ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସସୀମା ନରଖି ସମସ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟିତ୍ରୀର ମାନ୍ୟତା ଦେବା, ୫୦ ପ୍ରତିଶତ ପରିବର୍ତ୍ତେ ଶତ ପ୍ରତିଶତ ସୁପର ଭାଇଜର ପଦବୀରେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପଦୋନ୍ନତି ଦେବା ଅନ୍ତର୍ଭୁକ୍ତ ଅଟେ । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଅଙ୍ଗନୱାଡ଼ି କର୍ମଚାରୀ ମହାସଂଘର ସଂଗଠନ ସମ୍ପାଦିକ ସୁଶ୍ରୀ ଅଞ୍ଜଳି ପଟେଲ, ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ ୱାର୍କସ ଆସୋସଏସନର ସଭାନେତ୍ରୀ ସୁମିତା ମହାପାତ୍ର, ସାଧାରଣ ସମ୍ପାଦିକା ଝୁନୁପମା ଶତପଥୀ, କଟକ ଜିଲ୍ଲା ସଭାନେତ୍ରୀ ପ୍ରମିଳା ଦାସ, ସମ୍ପାଦିକା ପୁଷ୍ପଲତା ମହାନ୍ତି, ଜ୍ୟୋତ୍ସ୍ନାରାଣୀ, ସିଂ, ଜଳ୍ପନା ଦାସ, ରୀତାରାଣୀ ରଥ, ଝୁନୁ ମହାନ୍ତି, ସୁହାସିନୀ ଖଟୁଆ, ସରୋଜିନୀ ସାହୁ, ପ୍ରଭାତି ପରିଡ଼ା, ସ୍ୱପ୍ନା ରାଉତ, ସ୍ୱର୍ଣ୍ଣଲତା ସାହୁ, ସ୍ୱପ୍ନାରାଣୀ ପ୍ରହରାଜ ପ୍ରମୁଖ ନେତୃବୃନ୍ଦମାନେ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦ୍‌ବୋଧନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ