ପଦ୍ମପୁରରେ ପଦ୍ମକୁ ପ୍ରତ୍ୟାଖାନ ପାଇଁ ଆହ୍ୱାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପଦ୍ମପୁର ଉପନିର୍ବାଚନ ବେଳେ ଚାଷୀଙ୍କ କୌଣସି ନିର୍ଦ୍ଦଷ୍ଟ ସାମୟିକ ସମସ୍ୟା ନଥିଲା ବେଳେ କେବଳ ଚାଷୀମାନଙ୍କୁ ଭ୍ରମିତ କରିବା ପାଇଁ ଚାଷୀ ହତ୍ୟାକାରୀ ବିଜେପି ମିଛ ଚାଷୀ ଆନ୍ଦୋଳନ କରିବା ହାସ୍ୟାସ୍ପଦ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ସଂଗଠନର ନେତୃବୃନ୍ଦ କହିଛନ୍ତି ଯେ, ଦେଶର ଯଦି କୌଣସି ଦଳ ଚାଷୀଙ୍କ ସମ୍ପୂର୍ଣ୍ଣ ବିରୋଧୀ ଥାଏ, ତେବେ ସେ ହେଉଛି ବିଜେପି ଦଳ । ଯେଉଁ ଦଳ ମଧ୍ୟ ପ୍ରଦେଶର ମନସୋର ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶର ଖେରୀ ଯାଏ ଚାଷୀଙ୍କୁ ଜିପ୍ ଚକାତଳେ ମାରିବା ସହ ଗୁଳି ଚଳାଇ ନିଜ ହାତକୁ ରକ୍ତରଞ୍ଜିତ କରିଛି । ଉତ୍ତର ପ୍ରଦେଶରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଯେଭଳି ଆନ୍ଦୋଳନରତ ଚାଷୀଙ୍କ ଉପରେ ଜିପ୍ ଚଢାଇ ସେମାନଙ୍କୁ ହତ୍ୟା କଲେ ଏହାଠାରୁ ବର୍ବୋରଚିତ ଚାଷୀ ଆକ୍ରମଣ କେବେ ବି ସ୍ୱାଧୀନତା ପରେ ଚାଷୀମାନଙ୍କ ଉପରେ ହୋଇନାହିଁ । ସେହିଭଳି କୃଷି ଓ କୃଷକ ବିନାଶକାରୀ କଳା କାନୁନ ଆଣି ସାରା ଦେଶରେ ଚାଷୀଙ୍କ ସମ୍ପତ୍ତି ଓ ଅଧିକାରକୁ କର୍ପୋରେଟ ହାତକୁ ଟେକିଦେବା ପାଇଁ ଉଦ୍ୟମ କରି ୭୦୦ ଚାଷୀଙ୍କର ଦିଲ୍ଲୀ ଆନ୍ଦୋଳନରେ ମୃତ୍ୟୁର କାରଣ ପାଲଟିଥିବା ବିଜେପି ଏବେ ଚାଷୀଙ୍କ ସପକ୍ଷରେ ଆନ୍ଦୋଳନ କରୁଛି । ସବୁଠାରୁ ହାସ୍ୟାସ୍ପଦ କଥା ହେଲା ଯେ, ପଦ୍ମପୁର ନିର୍ବାଚନକୁ ଆଖିଆଗରେ ରଖି ବିଜେପି ଦଳ ଧାରଣା ଓ ଆନ୍ଦୋଳନ ଚଳାଇଛି । ଯେଉଁ ବିଜେପି ଚାଷୀଙ୍କୁ ଗାଡ଼ି ଚଢାଇ ହତ୍ୟା କରେ, ସେ ବିଜେପି ଚାଷୀଙ୍କ ପେଟ ପାଇଁ କେବେ ବି ଚିନ୍ତା କରିପାରିବ ନାହିଁ । କେବଳ ଚାଷୀଙ୍କ ମତ କିଭଳି ସେମାନଙ୍କ ସପକ୍ଷରେ ଯାଉ ସେଥିପାଇଁ ଚାଷୀଙ୍କ ନାମରେ ପ୍ରାୟୋଜିତ ଆନ୍ଦୋଳନ ଚାଳିଛି । ମଣ୍ଡିରେ ଧାନ କଟନୀ ଛଟନୀ ବେଳେ, ମରୁଡ଼ି, ଜୱାଦ, ଫାଇଲିନ୍ କ୍ଷତିପୂରଣ ନ ମିଳିଲ ବେଳେ ବିଜେପି ନେତାମାନଙ୍କର ଦେଖା ନଥାଏ । ଗଣମାଧ୍ୟମରେ ବିତର୍କ ଉପସ୍ଥାପକମାନେ ଆଲୋଚନା ବେଳେ ଯେତେବେଳେ ସ୍ୱାମୀନାଥନଙ୍କ କମିଟି କାହକିିଁ କାର୍ଯ୍ୟକାରୀ ହେଲାନାହିଁ ପ୍ରଶ୍ନ ହେଲାବେଳେ ନେତାମାନେ ଥତମତ ହୋଇ କୁହନ୍ତି ରାଜ୍ୟ ସରକାର ମଣ୍ଡି ପରିଚାଳନାରେ ବିଫଳ ହୋଇଛନ୍ତି । ଦୁଇ ଦୁଇଟି ଘଟଣାରେ ତଥାକଥିତ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେ ମିଥ୍ୟାବାଦୀ ତାହା ସ୍ପଷ୍ଟ ହୋଇଛି । ପ୍ରଥମରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ମୁଁ କ୍ଷମତାକୁ ଆସିବା କ୍ଷଣି ସ୍ୱାମୀନାଥନଙ୍କ କମିଟି ସୁପାରିଶ ଲାଗୁ କରିବି । ଏଥିରେ ଫେଲ୍ ମାରି ସୁପ୍ରିମକୋର୍ଟରେ ଭର୍ତ୍ସନାର ଶିକାର ହେଲା ପରେ ପୁଣି ନୂଆ ମିଛ କାହାଣୀ ଆରମ୍ଭ କରିଥିଲେ ୨୦୨୨ ମସିହା ସୁଦ୍ଧା ସମସ୍ତ ଚାଷୀଙ୍କ ଆୟ ଦୁଇଗୁଣା ହେବ । ଏହା ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର ଥିଲା । ସେହିଭଳି ରାଜ୍ୟ ବିଜେପି ଧାନ କୁଇଣ୍ଟାଲ ୨୯୩୦ ଟଙ୍କା ପ୍ରସଙ୍ଗରେ ପ୍ରଥମରୁ ଗୃହରେ ସହମତି କରିଥିଲେ ହେଁ ପରେ ଚାଷୀ ସପକ୍ଷବାଦୀ ଏହି ଘଟଣାରେ ନିଜକୁ ଦୂରେଇ ରଖିଥିଲା । ବିଜେପି ସରକାର କର୍ପୋରେଟମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ରିହାତି ଦେଲାବେଳେ ଚାଷୀମାନଙ୍କ ପାଇଁ ଆଗଭର ହେଲା ବେଳେ ଚାଷୀଙ୍କୁ ନଗଣ୍ୟ ସହାୟତା ଦେଇ ବ୍ୟାପକ ପ୍ରଚାର ଚଳାଇଛନ୍ତି । ଏଭଳି ଦଳ ଓ ଚାଷୀ ହତ୍ୟାକାରୀ ପ୍ରତି ପଦ୍ମପୁରର ଭୋଟରମାନେ ସଚେତନ ହେବା ପାଇଁ ଚାଷୀ ବଞ୍ଚାଅ ଅଭିଯାନ ଓ ଚାଷୀ ଏକତା ମଞ୍ଚ ପକ୍ଷରୁ ଚାଷୀନେତା ଅରୁଣ ଜେନା, ସମାଜବାଦୀ କୃଷକ ନେତା ସୁଦର୍ଶନ ପ୍ରଧାନ, ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର, ଧୁନା ଦାସ, ଅକ୍ଷୟ ଦାସ, ଅକ୍ଷୟ ଭୋଇ, ଗୌରାଙ୍ଗ ଭୋଇ ପ୍ରମୁଖ ଚାଷୀନେତାଙ୍କ ନେତୃତ୍ୱରେ ପିଏମ୍‌ଜିରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭକାରୀଙ୍କୁ ଉଦ୍‌ବୋଧନ ଦେଇ ଏହି ନେତାମାନେ କହିଛନ୍ତି ଯେ, ବିଜେପି ଭଳି ଚାଷୀବିରୋଧୀ ଦଳଙ୍କୁ ପଦ୍ମପୁରରେ ଚାଷୀମାନେ ପ୍ରତ୍ୟାଖାନ କରନ୍ତୁ । ବିଜେପି ଭୋଟରେ ଚାଷୀଙ୍କ ଠାରୁ ସବକ ଶିଖିଲେ ଭବିଷ୍ୟତରେ କର୍ପୋରେଟ ଅପେକ୍ଷା କୃଷକମାନଙ୍କୁ ପ୍ରାଧାନ୍ୟ ଦେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ