ବାଲେଶ୍ୱରରେ ଶିଖ ଗୁରୁ ତେଗବାହାଦୁରଙ୍କ ବଳିଦାନ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତ ରକ୍ଷା ମଞ୍ଚ, ବାଲେଶ୍ୱର ଶାଖା ପକ୍ଷରୁ ଦଶମ ଶିଖ୍ ଗୁରୁ ତେଗବାହାଦୁରଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ. ରମାକାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁ ତେଗବାହାଦୁରଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ମୋଗଲ ଶାସନ କାଳରେ ହୋଇଥିବା ମାନବଧିକାର ଉଲଂଘନକୁ ଶିଖ୍ ଗୁରୁ ଦୃଢ ବିରୋଧ କରିବା ଫଳରେ ନିର୍ଯ୍ୟାତନାର ଶିକାର ହୋଇଥିଲେ । ଶେଷରେ ୧୬୭୫ରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ନିର୍ଦ୍ଦେଶ କ୍ରମରେ ଗୁରୁ ତେଗ୍ବାହାଦୁରଙ୍କ ସହିତ ଭାଇ ସତି ଦାସ, ମତି ଦାସ ଓ ଭାଇ ଦୟାଲାଙ୍କୁ ହତ୍ୟା କରାଯାଇଥିଲା ।ଏହି ତ୍ୟାଗକୁ ମନେ ରଖିବା ପାଇଁ ସମଗ୍ର ଦେଶରେ ଗୁରୁ ତେଗ୍ବାହାଦୁରଙ୍କ ବଳିଦାନ ଦିବସ ପାଳନ କରାଯାଉଥିବା ବେଳେ ତାଙ୍କ ଜୀବନାଦର୍ଶ ଅନୁସରଣ ପୂର୍ବକ ଦେଶପ୍ରେମୀ ହେବାକୁ ଡ. ବେହେରା ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଭାରତ ରକ୍ଷା ମଞ୍ଚର ସଭାପତି ବିନୋଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ-ସଭାପତି ଉଜ୍ଜ୍ୱଳ ବର୍ମା, କୋଷାଧ୍ୟକ୍ଷ ରଜନୀକାନ୍ତ ଶତପଥୀ, ଜୟନ୍ତ କୁମାର ପାଣିଗ୍ରାହୀ, କିଶୋର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁରୁ ତେଗ୍ବାହାଦୁରଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଯୁବ ଶାଖା ସଂଯୋଜକ ଭାଗ୍ୟଉଦିତ ନାୟକ ଶେଷରେ ସମସ୍ତଙ୍କୁ ଅନ୍ୟବାଦ ଦେଇଥିଲେ । ଏହି ଅବସରରେ ଭାରତ ରକ୍ଷା ମଞ୍ଚର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା । ଗୋପାଳ ଚନ୍ଦ୍ର ନାୟକ, ରଞ୍ଜିତା ଜେନା, ସୁକାନ୍ତି ପରଡ଼ା, ଦୋଳଗୋବିନ୍ଦ ଦାସ ପ୍ରମୁଖ ସଂଗଠନର କର୍ମକର୍ତ୍ତା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


