ପଞ୍ଚାୟତର ସ୍ଥିତି ପରିଖିବା ସହିତ ପ୍ରଭାବିତ ଲୋକଙ୍କୁ ରିଲିଫ ପ୍ରଦାନ କଲେ ବିଧାୟକ
ବାଲେଶ୍ବର(ଓ୍ବାଇଏନଏସ): ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ରସଲପୁର ପଞ୍ଚାୟତ ବର୍ତ୍ତମାନ ପାଣି ଘେରରେ। ଜଳ ଘେରରେ ଥିବା ଗ୍ରାମଗୁଡିକରେ ପହଂଚି ଲୋକଙ୍କୁ ଆଶ୍ୱସ୍ତି ଦେବା ନେଇ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି କ୍ରମରେ ବିଧାୟକ ଶ୍ରୀ ଦତ୍ତ ଆଜି ସକାଳେ ରସଲପୁର ପଂଚାୟତର ପାଣି ଘେରରେ ଥିବା ବିଭିନ୍ନ ଅଂଚଳର ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଂଟନ କରିଛନ୍ତି । ଏହା ସହିତ ଜନସାଧାରଣଙ୍କ ନିମନ୍ତେ ଉପୁଜିଥିବା ବିଷମ ପରିସ୍ଥିତିର ଆଶୁ ଲାଘବ ନେଇ ସେ ଆଲୋଚନା କରିଥିଲେ । ଏଥି ସହ ସ୍ଥିତି ଅନୁଧ୍ୟାନ ପୂର୍ବକ ଘରକୁ ଘର ବୁଲି ବିଧାୟକ ଶ୍ରୀ ଦତ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ବର୍ଷା ଜଳ ଏବଂ ବନ୍ୟା ପ୍ରଭାବିତ ଲୋକଙ୍କ ପୁନର୍ବାସର ସ୍ଥିତି ଅନୁଧ୍ୟାନ ପୂର୍ବକ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଏହି ପରିଦର୍ଶନ ସମୟରେ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ବନ୍ୟା ପିଡିତଙ୍କ ନିକଟରେ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ରିଲିଫ ସହାୟତା ପହଂଚାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ବନ୍ୟା ବିପର୍ଯ୍ୟୟର ଏହି କଠିନ ସମୟରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରହିବା ଏବଂ ସମସ୍ତ ପ୍ରକାର ସହାୟତା ପହଂଚାଇବା ପାଇଁ ଆମେ ସଦା ତତ୍ପର ରହିଛୁ ବୋଲି ସେ କହିଛନ୍ତି।


