ଦଳିତ ଯୁବତୀ ଆତ୍ମହତ୍ୟା ଘଟଣା ପରିବାରଙ୍କୁ ଭେଟଲେ, ଜାତୀୟ ଅନୁସୂଚିତ ଜାତି ଆୟୋଗର ସଦସ୍ୟ

ନାଉଗାଁ:ନାଉଗାଁ ଥାନା ଅନ୍ତର୍ଗତ ତେଂଟୋଇ ଗ୍ରାମର ବହୁଚର୍ଚ୍ଚିତ ଦଳିତ ଯୁବତୀଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ରୋଚକମୋଡ ନେବାରେ ଲାଗିଛି । ଗୋଟେପଟେ ଉକ୍ତ ଘଟଣାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ସୃଷ୍ଠି ହୋଇଥିବା ବେଳେ ଗୁରୁବାର ଦିଲ୍ଲୀସ୍ଥିତ ଜାତୀୟ ଅନୁସୂଚିତ ଜାତି ଆୟୋଗର ସଦସ୍ୟ ଡଃ.ଯୋଗେନ୍ଦ୍ର ପାଶ୍ୱାନ ଓ କୋଲକତାସ୍ଥିତ ଜାତୀୟ ଅନୁସୂଚିତ ଜାତି ଆୟୋଗର ରିସର୍ଚ ଅଫିସର ଏ. ଭଟାଚାର୍ଯ୍ୟ ଉକ୍ତ ପରିବାରର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହିତ ଘଟଣା ସଂର୍ପକରେ ବୁଝିଥିଲେ । ପରେ ଉକ୍ତ ଘଟଣାକୁ ନେଇ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ଉପରେ ବର୍ଷିଥିଲେ । ସେ କହିଥିଲେ ମୃତା ଯୁବତୀ ଜଣେ ଗରିବ ଦଳିତ ପରିବାରର । ତାର ଅଶ୍ଳିଳ ଫଟୋ ଉତୋଳନ କରାଯାଇ କାନ୍ଥରେ ଲଗାଯିବାରୁ ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିଲା । ଉକ୍ତ ଘଟଣା ନଭେମ୍ବର ୭ ତାରିଖରେ ଘଟିଥିଲା ବେଳେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । କିନ୍ତୁ ପୋଲିସ ପକ୍ଷରୁ ସେହିଦିନ ଅଭିଯୁକ୍ତଙ୍କ ନାମରେ ଏସିଏସଟି ଧାରା ନ ଲଗାଯାଇ ୧୧ ତାରିଖରେ ଲଗାଯାଇଥିଲା । ଯାହାକି ପୋଲିସ ପ୍ରଶାସନର ଅଭିଯୁକ୍ତଙ୍କ ପ୍ରତି ଥିବା କୋହଳ ମନୋଭାବ ପଦାକୁ ଆଣିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଯେତେବେଳେ ଉକ୍ତ ପରିବାରର ସଦସ୍ୟ ମାନେ ଘରେ ଅନୁପସ୍ଥିତଥିଲେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଦିପକ ବେହୁରା ତାଙ୍କ ଘରେ ପଶି ତାଙ୍କ ଝିଅ ସହିତ ଜୋରଜବରଦସ୍ତ ଅଶ୍ଳିଳ ଫଟୋ ଉତୋଳନ କରିବା ଘଟଣାକୁ ନେଇ ପରିବାର ପକ୍ଷରୁ ଚଳିତ ବର୍ଷ ଜୁନ ୮ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଯଦି ପୁଲିସ ପକ୍ଷରୁ ସେହିଦିନ ଉକ୍ତ ଘଟଣା ପ୍ରତିଦୃଷ୍ଟି ଦିଆଯାଇଥାନ୍ତା ହୁଏତ ଆଜି ସଂପୃକ୍ତ ଯୁବତୀଙ୍କୁ ଆତ୍ମହତ୍ୟା କରିବାକୁ ପଡିନଥାନ୍ତା । ତେଣୁ ଉକ୍ତ ଘଟଣାରେ ସଂପୃକ୍ତ ଥିବା ପୁଲିସ କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଉକ୍ତ ଘଟଣାରେ ଧାରା ୩୭୬(ସି)ଲଗାଯିବା ପାଇଁ ଆୟୋଗ ପକ୍ଷରୁ ଦାବି କରାଯାଇଛି । ଉକ୍ତ ପରିବାର ଅତ୍ୟନ୍ତ ଗରିବ ଓ ଭୂମିହୀନ ହୋଇଥିବାରୁ ପରିବାରକୁ ସରକାରୀ ଜମି ଯୋଗାଇ ଦେବା ପରିବର୍ତେ ଘର ଭାଙ୍ଗିବାକୁ ଧମକ ଦେଉଥିବା ରାଜସ୍ୱ ନିରୀକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରି ୭ଦିନ ମଧ୍ୟରେ ଆୟୋଗକୁୁ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ । ସେହିପରି ଉକ୍ତ ଘଟଣାରେ ଉପରେ ବିଧାନସଭାରେ ଉଠିଥିବା ପ୍ରଶ୍ନର ଜବାବରେ ରାଷ୍ଟ୍ରମନ୍ତ୍ରୀ ଦେଇଥିବା ଉତର ପ୍ରସଙ୍ଗକୁ ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ । ଏଠାରେ ରାଜ୍ୟ ସରକାର ଅନୁସୂଚିତ ଜାତିର ବିରୁଦ୍ଧ ସରକାର ବୋଲି ମନ୍ତବ୍ୟ ଦେବା ସହିତ ରାଜ୍ୟ ସରକାରଙ୍କର ଭାଷଣ ବାଜିରେ ଆଉ କାମ ଚଳିବ ନାହିଁ ବୋଲି ସେ କହିଥିଲେ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇ ଅଭିଯୁକ୍ତଙ୍କ ସମେତ ଉକ୍ତ ଘଟଣାରେ ସଂପୃକ୍ତ ଥିବା ସମସ୍ତ ପୁଲିସ କର୍ମଚାରୀ ଓ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ସେ ଡିଜି, ଆଇଜିଙ୍କୁ ଭେଟି ଆଲୋଚନା କରିବେ ବୋଲି କହିଥିଲେ । ସେହିପରି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ମୃତା ଯୁବତୀଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ସେଲର ସହ-ଅଧ୍ୟକ୍ଷ ବାଙ୍କନିଧି ବେହେରା, ଆବାହକ ଦେବେନ୍ଦ୍ର ମଲ୍ଲିକ,ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ ଉକ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ । ସେହିପରି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ପ୍ରକାଶ ଆର,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟା ପଣ୍ଡା,ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ସମେତ ଜିଲ୍ଲା ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଅନ୍ୟପଟରେ ଆୟୋଗଙ୍କ ଦାବିକୁ ବିଚାରକୁ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସଂପୃକ୍ତ ଡେରିକି ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର କୁମାର ନାୟକଙ୍କୁ କିଛି କ୍ଷଣ ମଧ୍ୟ ନିଲମ୍ବିତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ