ସାମ୍ପ୍ରଦାୟିକ ଶକ୍ତି ବିଜେପିକୁ ପଦ୍ମପୁର ଉପ ନିର୍ବାଚନରେ ପରାସ୍ତ କରିବାକୁ ସମାଜବାଦୀ ପାର୍ଟିର ଆହ୍ୱାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷର ମଞ୍ଜି ବୁଣି ବିଭାଜନ କରୁଥିବା ଜିଏସ୍ଟି ଲଦିଦେଇ ଗରିବ ଲୋକଙ୍କ ପେଟରେ ଲାତ ମାରିଥିବା ଚାଷୀ ହତ୍ୟାକାରୀ ବିଜେପିକୁ ପଦ୍ମପୁର ଉପନିର୍ବାଚନରେ ପରାସ୍ତ କରିବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଆହ୍ୱାନ କରିଛି ।
ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଶନିବାର ଦିନ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ବିଜେପି ସାଂସଦ ଜୁଏଲ ଓରାମ ଓ ଅପରାଜିତା ଷଡ଼ଙ୍ଗୀ ବିଜେଡ଼ିର ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ବିରୁଦ୍ଧରେ ଯେଉଁଭଳି କୁତ୍ସିତ ଶବ୍ଦ ପ୍ରୟୋଗ କରିଛନ୍ତି ତାହା ବିଜେପିର ନାରୀବିରୋଧୀ ମାନସିକତାର ପ୍ରତିଫଳନ । ପଦ୍ମପୁର ସ୍ୱାଭିମାନୀ ଜନସାଧାରଣ ମା’ ଭଉଣୀଙ୍କ ଇଜ୍ଜତର ସୁରକ୍ଷା ପାଇଁ ଏବଂ ବିଭାଜନକାରୀ ବିଜେପିକୁ ଉଚିତ ଜବାବ ଦେବା ପାଇଁ ୫ ତାରିଖ ଭୋଟ ଦିନ ବହୁ ସଂଖ୍ୟାରେ ଆଗେଇ ଆସିବାକୁ ଶ୍ରୀ ବେହେରା ନିବେଦନ କରିଛନ୍ତି । ବିଜେପିର ପରାଜୟ ଏହି ଉପନିର୍ବାଚନରେ ଚାଷୀ, ଆଦିବାସୀ ଓ ନାରୀଶକ୍ତିର ବିଜୟ ହେବ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସ୍ୱାଭିମାନୀ ପଦ୍ମପୁରବାସୀ ମା’ର ସମ୍ମାନ ଓ ସ୍ୱାଭିମାନ ରକ୍ଷା ପାଇଁ ବର୍ଷା ସିଂ ବରିହାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ଶ୍ରୀ ବେହେରା ନିବେଦନ କରିଛନ୍ତି ।