ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଙ୍ଘର ଧାରଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଧାରଣା ଦିଆଯିବା ସହିତ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଚୁକ୍ତିଭିତ୍ତିକ ନିଯୁକ୍ତି ଉଛେଦ ନିଷ୍ପତ୍ତି ସବୁ ବିଭାଗରେ କାର୍ଯ୍ୟକାରୀ ହୋଇଥିବା ବେଳେ ଶିକ୍ଷା ବିଭାଗରେ ଏହାକୁ ଅବିଳମ୍ବେ ଲାଗୁ କରାଯାଇ ୨୦୧୬ରୁ ୨୦୨୨ ମସିହା ପର୍ଯ୍ୟନ୍ତ ନିଯୁକ୍ତିପ୍ରାପ୍ତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ଚାକିରୀ ସ୍ଥାୟୀ କରାଯିବା ନିମନ୍ତେ ଦାବି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ପତ୍ର ସଂଖ୍ୟା – ୨୯୦୭୬ ତା ୧୬.୧୦.୨୦୨୨ଅନୁଯାୟୀ ସମସ୍ତ ବିଭାଗ ସେମାନଙ୍କ ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କ ଚାକିରୀ ସ୍ଥାୟୀ କରୁଥିବା ବେଳେ କେବଳ ଶିକ୍ଷା ବିଭାଗ ଡି.ଏସ.ଇ.ର ମେମୋ ଆଳ ଦେଖାଇ ସେହି କାର୍ଯ୍ୟକୁ ପ୍ରଶମିତ ତଥା ବିଳମ୍ବିତ କରିବା ସମଗ୍ର ଯୁବ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସେମାନଙ୍କ ପରିବାରକୁ ହତାଶ କରିଥିବା ଅଭିଯୋଗ ହୋଇଛି । ସେହି ଚିରାଚରିତ କଥା ଛାମୁ ଯାହା ଦେଲେ ହରଷେ … ପାଉ ପାଉ ଗଲା ବରଷେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଘୋଷଣାକୁ ଅବିଳମ୍ବେ କାର୍ଯ୍ୟକାରୀ କରାନଗଲେ ଆଗାମୀ ଦଶମ ଶ୍ରେଣୀ ମୂଲ୍ୟାୟନକୁ ସମସ୍ତ ଚୁକ୍ତି ଭିତ୍ତିକ ଶିକ୍ଷକ ବର୍ଜ୍ଜନ କରିବା ସହ ଡି.ଏସ.ଇ. ସମ୍ମୁଖରେ ଅନଶନ କରାଯିବା ପାଇଁ ସରକାର ଦାୟୀ ରହିବେ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସଙ୍ଘର ସଭାପତି ପ୍ରତାପ କୁମାର ସାମଲ, ସମ୍ପାଦକ ସିରାଜ ଖାନ, କୋଷାଧ୍ୟକ୍ଷ ସେକ ସନୱାର ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣା ଆନ୍ଦୋଳନରେ ସଙ୍ଘର ଶତାଧିକ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୋଗଦେଇ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ