ପ୍ରସ୍ତାବିତ ନୂଆ ବସଷ୍ଟାଣ୍ଡ ସମ୍ପତ୍ତି ବିକ୍ରିକୁ ସିଭିଲ ସୋସାଇଟିର ବିରୋଧ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଜନସଂଖ୍ୟା ବୃଦ୍ଧି ଓ ସହରାଞ୍ଚଳ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀ ଜାନୁଗଞ୍ଜ ଛକ ନିକଟରେ ଆଠ ଏକର ପରିମିତ ଜମିରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।ଏହି ଜମିର ଚତୁଃପାଶ୍ୱର୍ରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ମାତ୍ର ଏବେ ଏହି ପ୍ରସ୍ତାବିତ ବସଷ୍ଟାଣ୍ଡ ନିର୍ମାଣ ଦାୟିତ୍ୱ ନେଇଥିବା ବ୍ରିଟ୍ ପକ୍ଷରୁ ଏଠାରେ ବହୁତଳ ପ୍ରାସାଦ ନିର୍ମାଣ କରି ବ୍ୟକ୍ତିବିଶେଷଙ୍କୁ ବିକ୍ରି କରିବାକୁ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶ ସତ୍ୟ ହୋଇଥିଲେ ସଂଘାତିକ ବୋଲି ବାଲେଶ୍ୱର ସିଭିଲ ସୋସାଇଟି ଉଦବେଗ ପ୍ରକାଶ କରିଛି । ରବିବାର ସନ୍ଧ୍ୟାରେ ପଢ଼ୁଆଁପଦାଠାରେ ସିଭିଲ ସୋସାଇଟିର ଏକ ଜରୁରୀ ବୈଠକ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନୂଆ ବସଷ୍ଟାଣ୍ଡ ଜମି ପ୍ରସଙ୍ଗରେ ପ୍ରକାଶିତ ଖବରକୁ ନେଇ ଦୀର୍ଘ ଆଲୋଚନା କରାଯାଇଛି । ପ୍ରସ୍ତାବିତ ବସଷ୍ଟାଣ୍ଡ୍ ନିକଟରେ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ୍ କଲେଜ୍ ହସ୍ପିଟାଲ୍, ୩୦୦ ଶଯ୍ୟା ବିଶିଷ୍ଟ ଏମ୍ସ ହସ୍ପିଟାଲ୍, ପ୍ରସ୍ତାବିତ ନର୍ସିଂ ଓ ଫାର୍ମାସିଷ୍ଟ୍ କଲେଜ୍ ପ୍ରଭୃତି ନିର୍ମାଣ କାର୍ଯ୍ୟ ଚାଲିଛି । ଆସନ୍ତା ବର୍ଷେ ଦୁଇବର୍ଷ ମଧ୍ୟରେ ଜାନୁଗଞ୍ଜ ବ୍ୟସ୍ତବହୁଳ ଅଞ୍ଚଳ ହେବ ଓ ସଡ଼କପଥରେ ଶତାଧିକ ବସ୍ ଏବଂ ଅନ୍ୟାନ୍ୟ ଯାନବାହନ ଯାତାୟତ କରିବ । ତେଣୁ ପ୍ରସ୍ତାବିତ ଆଠଏକର ପରିମିତ ଜମିକୁ ସଂପୂର୍ଣ୍ଣ ବିନିଯୋଗ କରି ବସ୍ଷ୍ଟାଣ୍ଡ୍ ନିର୍ମାଣ ପାଇଁ ବୈଠକରେ ଦୃଢ଼ ଦାବି କରାଯାଇଛି । ବିଭିନ୍ନ ସାମାଜିକ ଓ ଗଣସଂଗଠନଙ୍କ ପକ୍ଷରୁ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବାକୁ ବୈଠକରେ ସିଦ୍ଧାନ୍ତ ନିଅ।।ଯାଇଛି । ବାଲେଶ୍ୱର ଜିଲ୍ଲାରେ ୪୦୦ରୁ ଊର୍ଦ୍ଧ୍ୱ ଘରୋଇ ବସ୍ ଚାଲୁଥିବାବେଳେ ଓ ସହଦେବଖୁଣ୍ଟା ବସଷ୍ଟାଣ୍ଡ୍କୁ ନବୀକରଣ ଆଳରେ ସେଠାରେ ମାତ୍ର ୩୩ଟି ବସ୍ର ରହଣି ଯୋଜନା କରି ଅବଶିଷ୍ଟ ସ୍ଥାନରେ ଶତାଧିକ ତ୍ରିତଳ ବ୍ୟବସାୟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ବାଲେଶ୍ୱର ସହର ପଶ୍ଚିମ ଦିଗକୁ ସମ୍ପ୍ରସାରିତ ହୋଇ ବିଶ୍ୱବିଦ୍ୟାଳୟ, ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍, ନୋସି ପାର୍କ, ଗଣେଶ୍ୱରପୁର ଓ ସୋମନାଥପୁର ଶିଳ୍ପାଞ୍ଚଳ ପ୍ରଭୃତି ପ୍ରତିଷ୍ଠାନ ଥିବାବେଳେ ଏହି ଅଞ୍ଚଳକୁ ଗମନାଗମନ ପାଇଁ ମଧ୍ୟସ୍ତଳରେ ପ୍ରସ୍ତାବିତ ବସ୍ଷ୍ଟାଣ୍ଡ୍କୁ ସଂକୁଚିତ କରିବା ଏକ ଅପରିଣାମଦର୍ଶୀ ନିଷ୍ପତ୍ତି ବୋଲି ବୈଠକରେ ଉପସ୍ଥିତ ସଦସ୍ୟମାନେ ମତ ପ୍ରଦାନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ସ୍ଥଳକୁ ଜିଲ୍ଲାପାଳ ସଙ୍କୁଚିତ କରି ପାରିବେକି ବୋଲି ସୋସାଇଟି ପକ୍ଷରୁ ପ୍ରଶ୍ନ ହୋଇଛି । ଯଦି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସସ୍ଥଳକୁ ବସ୍ଷ୍ଟାଣ୍ଡ୍ ବ୍ୟତିରେକ ଅନ୍ୟଥା କୌଣସି ପ୍ରକାର ବିନିଯୋଗ କରନ୍ତି ତେବେ ଜିଲ୍ଲାବାସୀ ଚରମ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସିଭିଲ୍ ସୋସାଇଟି ପକ୍ଷରୁ ଚେତାବନୀ ଦିଆଯାଇଛି । ସେହିଭଳି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ସାମଗ୍ରୀ ପରିବହନ ଖର୍ଚ୍ଚ ଗତବର୍ଷ କ୍ୱିଣ୍ଟାଲ୍ ପ୍ରତି ୭୫ ଟଙ୍କା ଥିବାବେଳେ ଚଳିତବର୍ଷ ଏହାକୁ ଦ୍ୱିଗୁଣିତ କରି ୧୫୦ଟଙ୍କା ଧାର୍ଯ୍ୟ କରିବାପାଇଁ ଗତ ନଭେମ୍ବର ୧୭ ତାରିଖରେ ଜିଲ୍ଲାପାଳଙ୍କ ବିଜ୍ଞପ୍ତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବୈଠକରେ ଆଲୋଚନା ହୋଇଛି । ଏହାଫଳରେ ରାଜ୍ୟ ସରକାରଙ୍କ ରାଜକୋଷରୁ ବ୍ୟାପକ କ୍ଷତି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି ବୈଠକରେ ସୋସାଇଟିର ସଂପାଦକ ତଥା ବରିଷ୍ଠ ଆଇନଜୀବୀ ମନୋଜ ନାୟକ ଆଲୋଚନାର ବିଷୟ ଆଗତ କରିଥିବାବେଳେ ଗୌରାଙ୍ଗ ପାଣିଗ୍ରାହୀ, ଗଣେଶ ଚନ୍ଦ୍ର ଜେନା, ଗଣେଶ୍ୱର ରାଉତ, ସୁରେଶ ଚନ୍ଦ୍ର ଜେନା, ନିରଞ୍ଜନ ପରିଡ଼ା, ଦେବାଶିଷ ସିଂହ, ସୀତାରାମ ପ୍ରଧାନ, ପରମାନନ୍ଦ ପଣ୍ଡା, ଭରତ ଚନ୍ଦ୍ର ସେଠୀ, କାର୍ତ୍ତିକଚନ୍ଦ୍ର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ ।


