ବେଗୁନିଆପଡ଼ା ବ୍ଳକରେ ଜୋନାଲ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ
କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସ୍ଥିତ ବାପୁଜୀ ଷ୍ଟାଡିୟମ ଠାରେ ୩ ଟି ବ୍ଲକର ହାଇସ୍କୁଲ ଛାତ୍ରଛାତ୍ରୀ ଖେଳାଳି ମାନଙ୍କୁ ନେଇ ଜୋନାଲ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଶନିବାର ଏହାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଭାଗୀରଥୀ ସ୍ବାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ବ୍ଲକ ବିଡିଓ, ଅଧକ୍ଷା, ଉପାଧ୍ୟକ୍ଷ ସମେତ ବହୁ କ୍ରୀଡାବିତ୍ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କ୍ରୀଡା ତଥା ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ପୁରୁଷୋତ୍ତମପୁର, ଖଲ୍ଲିକୋଟ ଓ ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବିଭିନ୍ନ ହାଇସ୍କୁଲର ୩୦୦ ଖେଳାଳି ଏହି କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିବା ଜଣାପଡିଛି। ସିନିଅର ଓ ଜୁନିଅର ବର୍ଗର ଖେଳାଳୀ ମାନଙ୍କ ମଧ୍ୟରେ ଦୌଡ, ଖୋଖୋ, ଲମ୍ବ ଡିଆଁ,ଜାବଲିନ୍ ଥ୍ରୋ,ଡିସ୍ କସ୍ ଥ୍ରୋ,ସଟ ପୁଟ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ୨ ଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡା ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ଦୁଇଗୋଟି ପର୍ଯ୍ୟାୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଉଛି। ୫୫ ଜଣ ଖେଳ ନିରୀକ୍ଷକ ଏହି ପ୍ରତିଯୋଗିତାକୁ ପରିଚାଳନା କରୁଥିବା ଜଣାପଡ଼ିଛି। ଏହି ପ୍ରତିଯୋଗିତାରୁ ଉନ୍ନୀତ ହେବା ପରେ ୧୭ ବର୍ଷରୁ ଉର୍ଦ୍ଧ୍ବ ଖେଳାଳି ମାନେ ଜିଲ୍ଲା ସ୍ତରୀୟ ସୁପର୍ ସିନିୟର କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ ବୋଲି ସୂଚନା ମିଳିଛି। ଅନ୍ୟପଟେ ୧୩ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ୍ । ଭୁବନେଶ୍ବର ଓ ରାଉରକେଲାରେ ହେବାକୁ ଥିବାରୁ ହକିକୁ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ପ୍ରୋତ୍ସାହିତ କରିବା ମଧ୍ୟ ଏହି କାର୍ଯ୍ୟକ୍ରମର ଅଂଶ ବିଶେଷ ବୋଲି କହିଛନ୍ତି ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ।


