ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ବିକାଶ ପରିଷଦ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ସଂସ୍କୃତି ବିଭାଗ ଦ୍ୱାରା ୨୦୨୧-୨୦୨୨ ବର୍ଷ ପାଇଁ ପ୍ରଦତ୍ତ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରଦାନ କ୍ଷେତ୍ରରେ ବହୁ ଅନିୟମିତତା ଏବଂ ପ୍ରାର୍ଥୀ ଚୟନରେ ଯଥେଚ୍ଛାଚାରିତା ଅତ୍ୟନ୍ତ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠ ସଂଗୀତ କ୍ଷେତ୍ରରେ ଅହେତୁକ ଅବହେଳା ଅବଲମ୍ବନ କରାଯାଇ ଓଡ଼ିଶାର ସଂସ୍କୃତି ପ୍ରେମୀ, ଶାସ୍ତ୍ରୀୟ ସଂଗୀତଜ୍ଞ ତଥା ଗୁରୁବର୍ଗମାନଙ୍କୁ ଅତ୍ୟନ୍ତ ମର୍ମାହତ କରିଅଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନ୍ୟସବୁ ସଂଗୀତ କ୍ଷେତ୍ରରେ ମଧ୍ୟ ଅତୀତରେ ବହୁ ହେରଫେର କରାଯାଇ ଏହିପରି ପୁରସ୍କାର ପ୍ରଦାନ କରାଯାଇଅଛି । ମୁଖ୍ୟତଃ ପୁରସ୍କାର ଚୟନ ନିମିତ୍ତ ଏକାଡ଼େମୀ ଦ୍ୱାରା ପ୍ରକାଶିତ ନିୟମାବଳୀ ଅନୁସାରେ ଯେଉଁମାନଙ୍କର ନିଜ ନିଜ କ୍ଷେତ୍ରରେ ବିଶେଷ ଅବଦାନଥାଏ ଯାହାଦ୍ୱାରା ଓଡ଼ିଶା ରାଜ୍ୟର କଳା ସଂସ୍କୃତିର ବିକାଶ କ୍ଷେତ୍ର ଗୁଡ଼ିକରେ ସେମାନଙ୍କର ଅବଦାନ ବିଚାର କରାଯାଇଥାଏ ଏବଂ ତାହାକୁ ଧ୍ୟାନ ଦିଆଯାଇଥାଏ । ଏଥିରେ ମୁଖ୍ୟତଃ ଯେଉଁମାନେ ବରିଷ୍ଠ ଗୁରୁ, ଅଧ୍ୟାପକ ବା ଶିକ୍ଷକ ଏବଂ ଦ୍ୱିତୀୟରେ ଯେଉଁମାନେ ବିଶିଷ୍ଟ ଶିଳ୍ପୀରୂପେ ସମାଜରେ ପ୍ରତିଷ୍ଠା ଲାଭ କରିଥାନ୍ତି ବା ଆକାଶବାଣୀ, ଦୂରଦର୍ଶନ ମାଧ୍ୟମରେ ପ୍ରତିଷ୍ଠା ଲାଭ କରିଥାନ୍ତି ବା ଯେଉଁମାନେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପ୍ରତିଷ୍ଠାକରି ସେଥିରେ ସଂଗୀତ କଳାକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ପ୍ରଚାର ଆଭିମୁଖୀ କାର୍ଯ୍ୟକ୍ରମ ତଥା ଶାସ୍ତ୍ରୀୟ ସଂଗୀତ ସମାରୋହ ବା ଗୁରୁ ପୂଜନ ଉତ୍ସବ, ନୂତନ ସଂଗୀତ ବିଦ୍ୟାର୍ଥୀମାନଙ୍କୁ ମଞ୍ଚରେ ପ୍ରବେଶ କରାଇ ଛାତ୍ର ଛାତ୍ରୀମାନଙ୍କୁ ପ୍ରାଥମିକ ସ୍ତରରୁ ମାଷ୍ଟର ଡ଼ିଗ୍ରୀ ପର୍ଯ୍ୟନ୍ତ ଆଦି ବିଭିନ୍ନ କ୍ଷେତ୍ର ଏବଂ ଏଥି ସହିତ ସଂଗୀତ ବିଦ୍ୟା ସମ୍ପର୍କିତ ପୁସ୍ତକ ପ୍ରଣୟନ କିମ୍ବା ଶାସ୍ତ୍ରୀୟ ଜ୍ଞାନ ଚର୍ଚ୍ଚା କରିଥାନ୍ତି ଏବଂ ସେମାନଙ୍କର ସମଗ୍ର ଜୀବନ ନିଜ ନିଜ କ୍ଷେତ୍ରରେ ସମାଜରେ ସେହି କାଳର ବିକାଶ ପାଇଁ ଉତ୍ସର୍ଗୀକୃତ କରିଥାନ୍ତି, ସେହିମାନଙ୍କୁ ଦିଆଯାଇଥାଏ ।କିନ୍ତୁ ଅତ୍ୟନ୍ତ ଦୁଃଖର କଥା ଏହି ବର୍ଷ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ପୁରସ୍କାର ପ୍ରଦାନରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ନିୟମ ବହିର୍ଭୁତ କାର୍ଯ୍ୟ କରାଯାଇ ଜଣେ ଅତ୍ୟନ୍ତ ନିକୃଷ୍ଟ ସଂଗୀତ ବିଦ୍ୟାର୍ଥୀ ଏବଂ ଆଉ ଜଣେ ଓଡ଼ିଶୀ ସଂଗୀତ ବିଭାଗର ପ୍ରତିଷ୍ଠିତ କଳାକାରଙ୍କୁ ପ୍ରଦାନ କରାଯାଇଅଛି । ଏ ପ୍ରକାର ଅନିୟମିତତା ଓଡ଼ିଶାରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠ ସଂଗୀତକୁ ପାଥେୟକରି ଗୁରୁମାନଙ୍କ ଆତ୍ମସମ୍ମାନକୁ ଆଘାତ କରିଅଛି । ଭାରତ ବର୍ଷର ସର୍ବଶ୍ରେଷ୍ଠ ଶାସ୍ତ୍ରୀୟ ସଂଗୀତ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରକୁ ଓଡ଼ିଶାରେ ଯଦି ଏପରି ହୀନମାନ୍ୟ ଦୃଷ୍ଟିରେ ଅବହେଳା ଏବଂ ଅବମାନନା କରାଯାଏ ତାହେଲେ ଆମ ରାଜ୍ୟରେ ପ୍ରକୃତରେ କଳାକାର, ସଂଗୀତଜ୍ଞ, ଗୁଣୀ, ବିଦ୍ୱାନମାନଙ୍କୁ ଆମେ କେତେ ସମ୍ମାନ ଦେଉ ତାହା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ । ସରକାରଙ୍କର ଏହି ପ୍ରକାର ପକ୍ଷପାତିତା ନୀତି ଜାଣିଶୁଣି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠ ସଂଗୀତର ଶିଳ୍ପୀମାନଙ୍କୁ ଏକପ୍ରକାର ମନୋବଳ ଭାଙ୍ଗି ଦେବାକୁ ପ୍ରୟାଶ କରାଯାଉଛି କହିଲେ ଅତ୍ୟୁକ୍ତି ହେବନାହିଁ ।ଓଡ଼ିଶାର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ବିକାଶ ପରିଷଦର କଳାକାର, ଗୁରୁ, ବିଦ୍ୟାର୍ଥୀମାନଙ୍କ ତରଫରୁ ଆମେ ସରକାରଙ୍କର ଏହି ପ୍ରକାର ଟାଳଟୁଳ ନୀତିର ଘୋର ବିରୋଧ କରୁଅଛୁ ଏବଂ ଦାବୀ କରୁଅଛୁ ଯେ ପ୍ରାର୍ଥୀ ଚୟନରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀରେ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ନାମିତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠ ସଂଗୀତର ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାର୍ଥୀ ଚୟନରେ ଏକ ଉପଯୁକ୍ତ ବିଶେଷଜ୍ଞ ଚୟନ କମିଟି ସରକାର ନିର୍ଦ୍ଧାରିତ କରି ଏହି ସବୁ ସମସ୍ୟାର ସମାଧାନ ନିମିତ୍ତ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ । ଏହା ନକଲେ ଆମ ରାଜ୍ୟ ତଥା ଭାରତ ବର୍ଷର ଗର୍ବ ଡ଼ଃ. ବିଦୁଷୀ ସୁନନ୍ଦା ପଟ୍ଟନାୟକଙ୍କ ପ୍ରତି ନିଶ୍ଚୟ ଅବମାନନା ହେବ ।


