ମଡ଼ର୍ଣ୍ଣ ପବ୍ଲିକ ସ୍କୁଲରେ ବାର୍ଷିକ ପ୍ରଦର୍ଶନୀ
ବାଲେଶ୍ୱର, (ସରୋଜ ପଣ୍ଡା):ମେଘଡମ୍ବରୁ ସ୍ଥିତ ମଡର୍ଣ୍ଣ ପବ୍ଲିକ ସ୍କୁଲର ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ତଥା କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ତମ୍ଭକାର ତଥା ଅବସରପ୍ରାପ୍ତ ପ୍ରଫେସର ଡ. ସୁବାସ ଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣିତ, ବିଜ୍ଞାନ ସମେତ ଅନ୍ୟାନ୍ୟ ଶିକ୍ଷଣୀୟ ବିଷୟ ପ୍ରତି ଆଗ୍ରହ ବୃଦ୍ଧିରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ଦୈନନ୍ଦିନ ଜୀବନଚର୍ଯ୍ୟାରେ ବିଜ୍ଞାନ ଏବଂ ଗଣିତର ବ୍ୟବହାର ସମ୍ପର୍କରେ ଡ. ପାତ୍ର ଆଲୋଚନା କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକମାନେ ଏହି ପ୍ରଦର୍ଶନୀର ପର୍ଯ୍ୟବେକ୍ଷକ ତଥା ବିଚାରକ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଏଥିରେ ୯ଟି ବିଭାଗରେ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ପର୍ଯ୍ୟବେକ୍ଷକମାନେ ପ୍ରଦର୍ଶନୀର ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହ ସମ୍ପୃକ୍ତ ବିଷୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟଙ୍କ ସମେତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


