ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ ଦାବିରେ ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ସହର ତଥା ତଳି ଅଞ୍ଚଳର ସରକାରୀ ଜାଗାରେ ବସବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଘରଡିହ ପଟ୍ଟା ପ୍ରଦାନରେ ପ୍ରଶାସନର ଖାମଖିଆଲି ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଜାଗ୍ରତ ନାରୀ ସଗଠନ । ଏହି ପରିପ୍ରେକ୍ଷୀରେ ବସ୍ତିବାସିନ୍ଦାଙ୍କୁ ନେଇ ସଂଗଠନର କର୍ମକର୍ତ୍ତାମାନେ ମଙ୍ଗଳବାର ଜିଲାପାଳଙ୍କୁ ସାକ୍ଷାତ ସହ ସେମାନଙ୍କ ପ୍ରତି ରେମୁଣା ଓ ସଦର ତହସିଲ ପକ୍ଷରୁ ହେଉଥିବା ଅବହେଳା ସମ୍ପର୍କରେ ଅବଗତ କରିଛନ୍ତି । ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ ଯୋଜନା ଅନୁସାରେ ଦୁଇ ତହସିଲରେ ବାରମ୍ବାର ଆବେଦନ କରିବା ପରେ ବି ସେମାନଙ୍କୁ ପଟ୍ଟା ମିଳୁ ନଥିବା ସଂଗଠନର କର୍ମକର୍ତ୍ତା କହିଛନ୍ତି । ଘରଡିହ ପଟ୍ଟା ନ କରିବା ଯୋଗୁଁ ଭୂମିହୀନ ପରିବାରଙ୍କୁ ତହସିଲରୁ କୌଣସି ପ୍ରମାଣପତ୍ର ମିଳିପାରୁ ନାହିଁ । ପ୍ରମାଣପତ୍ର ଅଭାବରୁ ସେମାନଙ୍କ ପିଲାମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି ବୋଲି ସଂଗଠନର ସଭାନେତ୍ରୀ ମମତା ଦାସ ଆରୋପ କରିଛନ୍ତି । ଅନ୍ୟପକ୍ଷରେ ଆବାସ ଯୋଜନାରେ ସେମାନେ ସାମିଲ ହୋଇପାରୁ ନଥିବା ଶ୍ରୀମତୀ ଦାସ କହିଛନ୍ତି । ଏନେଇ ଗତ ଜୁଲାଇ ମାସ ୨୬ ତାରିଖରେ ଜାଗ୍ରତ ନାରୀ ସଂଗଠନ ନେତୃତ୍ୱରେ ୫୦୦ରୁ ଊର୍ଦ୍ଧ୍ୱ ବସ୍ତି ପରିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ଘରଡିହ ପଟ୍ଟାରୁ କେହି ଭୂମିହୀନ ପରିବାର ବଞ୍ଚିତ ହେବେ ନାହିଁ ବୋଲି ସେତେବେଳେ ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଅଦ୍ୟାବଧି ଭୂମିହୀନ ବସ୍ତିବାସିନ୍ଦାଙ୍କ ଆବେଦନ ଉପରେ ତହସିଲ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ସଂଗଠନ ପକ୍ଷରୁ ଆରୋପ ହୋଇଛି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ ଆସନ୍ତା ଜନରାଜ୍ୟ ଦିବସ ଅର୍ଥାତ୨୦୨୩ ଜାନୁଆରୀ ୨୬ ତାରିଖରୁ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଜାରି ରହିବ ବୋଲି ସଂଗଠନର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି । ଏହି ଅବସରରେ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।


