ଗୋଲକନାଥ ଦେଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ବାଲେଶ୍ୱର, (ସରୋଜ ପଣ୍ଡା):ଅରୁଣ ଦେ ସ୍ମୃତି ପରିଷଦ ପକ୍ଷରୁ ଦିବଂଗତ ସମାଜସେବୀ ତଥା ରାଜନେତା ଜଗନ୍ନାଥ ଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଓ ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପିତା ସ୍ୱର୍ଗତ ଗୋଲକନାଥ ଦେଙ୍କ ପ୍ରତିମର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ମଲିକାଶପୁରସ୍ଥିତ ସ୍ୱର୍ଗତ ଦେଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ, ଅବସରପ୍ରାପ୍ତ ସେନା ଅଧିକାରୀ କର୍ଣ୍ଣେଲ ଶରତ ମହାପାତ୍ର, ଆଇନଜୀବୀ ଶରତ ମହାପାତ୍ର, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ଅରୁଣ ଦେଙ୍କ ଭଗିନୀ ତଥା ସ୍ମୃତି ପରିଷଦର ସଭାପତି ପ୍ରଫେସର ବାସନ୍ତି ଦେ ଚକ୍ରବର୍ତ୍ତୀ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଶତ୍ରୁଘ୍ନ ମଲିକ, ଜୟନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଗୋଲକନାଥ ଦେ ଓ ସ୍ୱର୍ଗତ ଜଗନ୍ନାଥ ଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ ସମେତ ନୀଳଗିରି ପ୍ରଜା ଆନ୍ଦୋଳନରେ ସ୍ୱର୍ଗତ ଗୋଲକନାଥ ଦେ ପ୍ରମୁଖ ଭୂମିକା ତଥା ସମାଜସେବା ସମ୍ପର୍କରେ ବକ୍ତମାନେ ଆଲୋକପାତ କରିଥିଲେ । ସେହିଭଳି ଦିବଂଗତ ଜଗନ୍ନାଥ ଜୀଙ୍କ ସମାଜସେବା ମୂଳକ କାର୍ଯ୍ୟଧାରା ଓ ରାଜନୈତିକ ଜୀବନ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ । ଦୁଇ ମହାନ ଆତ୍ମା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ଦେଙ୍କ ପ୍ରତି ଉପସ୍ଥିତ ବ୍ୟକ୍ତିମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଗୋଲକ ନାଥ ଦେଙ୍କ ପ୍ରତିମର୍ତ୍ତିକୁ ସଦର ବିଧାୟକ ଶ୍ରୀ ଦାସ ଓ କର୍ଣ୍ଣଲ ମହାପାତ୍ର ଉନ୍ମୋଚନ କରିଥିଲେ । ଅରୁଣ ଦେ ସ୍ମୃତି କମିଟି କର୍ମକର୍ତ୍ତା ବରିଷ୍ଠ ସାମ୍ବାଦିକ ରଂଜନ ବାଗ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ମହାନ୍ତି ସଂଚାଳନ କରିଥିଲେ । ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର, ଭୋଳାନାଥ ବେହେରା, ଅଭିଜିତ ଦାସ, ଅନୂସୟା ନାୟକ, ଶରତ ଦାସ, ମଧୁ ମହାପାତ୍ର, ଶରତ ନାୟକ ପ୍ରମୁଖଙ୍କ ସମେତ ପରିଷଦର କର୍ମକର୍ତ୍ତା, ସଦସ୍ୟଙ୍କ ସମେତ ବାଲେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇ ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।