ପ୍ରତିଶ୍ରୁତି ପୂରଣ ନ ହେଲେ ବଜେଟ ବେଳକୁ ଆନ୍ଦୋଳନ ତିବ୍ରତର ପାଇଁ ସଜବାଜ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘର ଧାରଣା ବୁଧବାର ନବମ ଦିନରେ ପହଞ୍ôଚଥିବା ବେଳେ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ୮ ଦଫା ଦାବି ନେଇ ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୨୦ହଜାରରୁ ଉର୍ଦ୍ଧ୍ୱ (ଏକ୍ସ-କ୍ୟାଡର) ଶିକ୍ଷକ ଶିକ୍ଷୟିତ୍ରୀମାନେ ଗତ ଡିସେମ୍ବର ୨୭ ତାରିଖରୁ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନରୁ ଲୋୟର ପିଏମଜି ପର୍ଯ୍ୟନ୍ତ ଏକ ବିଶାଳ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବି ଗୁଡିକ ମଧ୍ୟରେ (ଏକ୍ସ-କ୍ୟାଡର) ଶିକ୍ଷକମାନଙ୍କୁ ସମଗ୍ର ଶିକ୍ଷାକୁ କରାଯାଇଥିବା ଡେପୁଟେସନ ବାତିଲ କରି (ଏକ୍ସ-କ୍ୟାଡର) ଉଚ୍ଛେଦ, ଓଟିଇଟି ଉଚ୍ଛେଦ କରି ୩ ହଜାର ଗଣ ଶିକ୍ଷକଙ୍କୁ ନିୟମିତ କରିବା , ନିୟମିତ ହୋଇଥିବା ସମସ୍ତ (ଏକ୍ସ-କ୍ୟାଡର) ଶିକ୍ଷକଙ୍କୁ ଇନକ୍ରିମେଣ୍ଟ ପ୍ରଦାନ କରିବା, ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ ଇତ୍ୟାଦି ଦାବି ସମ୍ପର୍କରେ ତିନୋଟି ପର୍ଯ୍ୟାୟରେ (ଏକ୍ସ-କ୍ୟାଡର) ମହାସଂଘ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ, କମିଶନର ତଥା ଶାସନସଚିବଙ୍କ ସହିତ ରାଜ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ଯେଉଁ ଦାବିଗୁଡିକ ସରକାରୀସ୍ତରରେ ନିଷ୍ପତ୍ତି ହୋଇସାରିଛି ତାହା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ଓ ସରକାରଙ୍କ ପଲିସି ନିଷ୍ପତ୍ତି ସମ୍ପର୍କିତ ଦାବିଗୁଡିକ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ବିଭାଗୀୟ ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ଏଣୁ ସଚିବଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଓ ଆଗାମୀ ହକି ବିଶ୍ୱକପ ଆୟୋଜନକୁ ଦୃଷ୍ଟିରେ ରଖି ମହାସଂଘ ଆନ୍ଦୋଳନକୁ ଆଗାମୀ ବଜେଟ ଅଧିବେଶନ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ ରଖାଗଲା ବୋଲି ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାଏକ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । ଏହି ଧାରଣା କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ପ୍ରଶାନ୍ତ ଖମାରୀ, ମହାସଚିବ ହାନେସ ପାତ୍ର ବାଗ, ଉପ ସଭାପତି ବିଶ୍ୱରଞ୍ଜନ ବାଗ, ରାଜକିଶୋର ପ୍ରଧାନ, ସମ୍ପାଦକ ପ୍ରମୋଦ ବେହେରା, ସୁଦର୍ଶନ ବରାଳ, ରାଜକିଶୋର ବାରିକ, ଶୁଭେନ୍ଦୁ ଲେଙ୍କା, ଅର୍ଜୁନ ସାହୁ, ଆଲୋକ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।


